ଭାସ୍କର ପରିଚ୍ଛା

ପ୍ରାଚୀନ କାଳରୁ ସ୍ମୃତିଚାରଣ ସାହିତ୍ୟର ଏକ ମୁଖ୍ୟ ଅଙ୍ଗ ହୋଇଆସିଛି। ଜୁଲିଏସ୍ ସିଜରଙ୍କୁ ସ୍ମୃତିଚାରଣର ଜନକ କୁହାଯାଏ। ଖ୍ରୀଷ୍ଟପୂର୍ବ ୪୯ ଓ ୪୮ରେ ତାଙ୍କର ‘ଗଲ୍ଲିକ୍ ୱାର୍ସ’କୁ ଏ ଦିଗରେ ପ୍ରଥମ ଉଦ୍ୟମର ଶ୍ରେୟ ଦିଆଯାଏ। ଜାପାନ ଓ ଫ୍ରାନ୍ସରେ ମଧ୍ୟ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ କିଛି ମେମୋୟର ଲେଖାଯାଇଛି। ମଧ୍ୟ-ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କିନ୍ତୁ ସ୍ମୃତି ଅଲେଖ୍ୟ ଏତେ ଜୋରଦାର ନଥିଲା।

ବିଶ୍ଵ ଓ ଭାରତୀୟ ସାହିତ୍ୟ ତଥା ଏଠି ଆମ ଓଡ଼ିଶାରେ  ନିଜ ଅନୁଭୂତି ଓ ପରିବାର ସମ୍ପର୍କରେ ପୁସ୍ତକ ରଚନାର ପରମ୍ପରା ଜୋର ଧରିଛି ଏଇ କିଛି ବର୍ଷ ଧରି। ବୈଷୟିକ ଜ୍ଞାନର ବିକାଶ ଓ ମନସ୍ତତ୍ୱ ବିଜ୍ଞାନର ଆବିର୍ଭାବ ହିଁ ବ୍ୟକ୍ତିଗତ କଥା ଲେଖିବା ଓ ନିଜର ପୂର୍ବସୁରୀମାନଙ୍କ ସମ୍ପର୍କରେ ପାଠକବର୍ଗଙ୍କୁ ଅବଗତ କରାଇବା ପାଇଁ ବାଟ ଖୋଲିଲା ବୋଲି କହିଲେ ଭୁଲ ହେବ ନାହିଁ।

ଏକବିଂଶ ଶତାବ୍ଦୀର ପ୍ରଥମ ପର୍ଯ୍ୟାୟରେ ଡିଜିଟାଲ ବହିର ଆଦର ଓ ପ୍ରସାରଣ ସ୍ମୃତି ବହନ କରୁଥିବା ସାହିତ୍ୟର ଉନ୍ମେଷ ସକାଶେ ବହୁଳ ଭାବରେ ପଥ ପରିଷ୍କାର କରିଛି।

ଓଡ଼ିଶାରେ ସ୍ମୃତି ଆଲେଖ୍ୟର ଏକ ସମୃଦ୍ଧ ଅତୀତ ରହିଛି। ଆତ୍ମଜୀବନୀଠାରୁ ଟିକିଏ ହଟି ସମ୍ପୂର୍ଣ ଭାବେ ନିଜ ଚାକିରି ଜୀବନର ଘଟଣାକୁ ମନେ ପକାଇ ସେଗୁଡିକୁ ପୁସ୍ତକ ଆକାରରେ ଥୋଇବା କିନ୍ତୁ ଏତେ ସହଜସାଧ୍ୟ କାମ ନୁହେଁ। ସାଧାରଣଭାବେ ଦେଖିଲେ, ପ୍ରକାଶନର ଜଟିଳତା, ପୁରୁଣା କଥାକୁ ମନେ ପକାଇବାର ଅନାବେଗ ଓ ବିଧିବଦ୍ଧ ଭାବେ ତାହାକୁ ପ୍ରକାଶକଙ୍କ ପାଖରେ ପହଞ୍ଚାଇବାର ଶ୍ରମକାତରତା – ଏହି ଯାବତୀୟ  ମୁଣ୍ଡବ୍ୟଥାକୁ ଡରି ଅନେକେ ବହି ଜରିଆରେ ସ୍ମୃତି ଚାରଣ କରିବାକୁ ପଛେଇ ଥାଆନ୍ତି।

ସେହି ଦୃଷ୍ଟିରୁ ଡକ୍ଟର ଦିଗରାଜ ବ୍ରହ୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ‘ମୋ ସ୍ମୃତିର ଆଲେଖ୍ୟ’ ବାସ୍ତବରେ ଏକ ମେମୋଏର କାରଣ ଏଥିରେ ଉଭୟ ପିଲା ବେଳର କଥା ଓ ଚାକିରି ଜୀବନରେ ଘଟିଥିବା ଅନେକଗୁଡିଏ ଘଟଣା ସ୍ଥାନ ପାଇଛି।

ଜଣେ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଓ ଶିକ୍ଷାବିତ୍ ଡକ୍ଟର ବ୍ରହ୍ମା ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଢ଼େର ବର୍ଷ ଚାକିରି କରିବା ଭିତରେ ବେଶ୍ କିଛି ଅନୁଭୁତି ହାସଲ କରିଛନ୍ତି। ସେହିସବୁ ଅନୁଭୂତିକୁ ହିଁ ଖୁବ ସୁସଜ୍ଜିତ ଢଙ୍ଗରେ ସେ ତାଙ୍କ ସ୍ମୃତି ପୁସ୍ତକରେ ପରିବେଷଣ କରିଛନ୍ତି। ଡକ୍ଟର ବ୍ରହ୍ମାଙ୍କ  ଶିଶୁ ସାହିତ୍ୟ ରଚନା ଓ ଅନ୍ୟାନ୍ୟ ରଚନା ଯେଉଁଭଳି ଜୀବନଧର୍ମୀ, ଆଲୋଚ୍ୟ ପୁସ୍ତକଟି ମଧ୍ୟ ସେହିଭଳି ପଠନ-ଉପଯୋଗୀ। ସତୁରୀ ବର୍ଷ ବୟସରେ ପଦାର୍ପଣ କରିଥିବା ଜଣେ ସାହିତ୍ୟିକ-ଶିକ୍ଷାବିତଙ୍କ ପୁସ୍ତକ ନିଶ୍ଚିତ ଭାବରେ ପଢିବାକୁ ଭଲ ଲାଗିବ ଯଦିଓ ଏଥିରେ ରୋମାଞ୍ଚକାରୀ ଘଟଣାର ଉପାଦାନ ପାଇବା କଷ୍ଟ। ବିଶେଷକରି ଯେଉଁମାନେ ଓଡ଼ିଶାର ଶିକ୍ଷା ବିଭାଗରେ ୫୦ ବର୍ଷ ତଳେ କଣ ଘଟୁଥିଲା ସେ ସମ୍ପର୍କରେ  ଜାଣିବା ପାଇଁ ଆଗ୍ରହୀ ସେମାନେ ଏଥିରୁ ବେଶ୍ କିଛି ଖୋରାକ ପାଇ ପାରିବେ।

ମୁଖବନ୍ଧରେ ଲେଖକ ଲେଖିଛନ୍ତି,’ମୋ ସ୍ମୃତି ଭିତରେ ଲୁଚିଥିବା ଭାବନାକୁ ମୁଁ କେବେ ପ୍ରଦର୍ଶିତ କରିବାକୁ ଚାହିଁ ନାହିଁ, କିମ୍ବା କାହା ପ୍ରତି ମନରେ ଟିକିଏ ହେଲେ ଅସୂୟା ଭାଵ ରଖି ଲେଖି ନାହିଁ। ଯାହା ସତ, ଅଙ୍ଗେନିଭା କଥା ଲେଖିଚି। ଅପ୍ରିୟ ସତ୍ୟ କଥାଠାରୁ ଯେତେଦୁର ସମ୍ଭବ ନିଜକୁ ଦୂରେଇ ରଖିଛି। ‘ଏକ ସାଧୁ ଓ ନିଷ୍ଠାପର ସ୍ୱୀକାରୋକ୍ତି ନିଶ୍ଚିତରେ।

ପ୍ରାୟ ତିନିଶହ ପୃଷ୍ଠାର ଆତ୍ମକଥାର ସୂଚୀପତ୍ରକୁ ପଢିଲେ ହିଁ ଆପଣ ଧାରଣାକରି ନେଇପାରିବେ ପୁସ୍ତକର ଅଭ୍ୟନ୍ତରରେ କ’ଣ ଥିବ। ଜଲୌକା ପାହାଡ଼ ଓ ନିଜ ଗାଁ ରୁଦ୍ରପୁରରୁ ଆରମ୍ଭ କରି ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ସହିତ ସଂସ୍ପର୍ଶରେ ଆସିବା ପର୍ଯ୍ୟନ୍ତ ବହୁ କଥା ଏହି ଆତ୍ମଜୀବନୀରେ ସ୍ଥାନ ପାଇଛି, ଯାହା ଶିକ୍ଷଣୀୟ କେବଳ ନୁହେଁ ବେଶ୍ ଆନନ୍ଦଦାୟକ ମଧ୍ୟ।

ଡକ୍ଟର ବ୍ରହ୍ମା ଏହି ଆତ୍ମ ଜୀବନୀରେ ନିଜ ବଂଶାବଳୀକୁ ଯୋଡ଼ିବା ବ୍ୟତୀତ ଅତୀତର କିଛି ଦୁର୍ଲଭ ଫୋଟୋକୁ ସ୍ଥାନିତ କରିଛନ୍ତି। ନିଜ ଉଦ୍ୟମରେ ପ୍ରକାଶିତ ‘ମୋ ସ୍ମୃତିର ଆଲେଖ୍ୟ’ ଡକ୍ଟର ଦିଗରାଜ ବ୍ରହ୍ମାଙ୍କ ଲିଖିତ ପ୍ରାୟ ୫୦ଟି ପୁସ୍ତକର ମଉଡ଼ମଣି।

ଓଡ଼ିଶାର ଶିକ୍ଷା ଇତିହାସ ଯେଉଁମାନେ ଲେଖୁଥିବେ ସେମାନଙ୍କ ପାଇଁ ଏହା ଏକ ଚମତ୍କାର ସହାୟକ ରଚନା ହୋଇପାରିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment