ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ମିଡିଆରେ ମୁହଁ ଖୋଲିବାର ଦିନକ ପରେ ଜଷ୍ଟିସ୍‌ କୁରିଏନ୍‌ ଯୋସେଫ୍ କହିଛନ୍ତି ଯେ ନ୍ୟାୟ ଏବଂ ନ୍ୟାୟପାଳିକାର ହିତ ପାଇଁ ଆମେ ସାମ୍ବାଦିକ ସମ୍ମିଳନୀ ଡାକିଲୁ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ କିଛି ଠିକ୍‌ ଚାଲିନାହିଁ। ମାମଲା ପରିଚାଳନାରେ ବିଚାରପତିଙ୍କ ମଧ୍ୟରେ ପକ୍ଷପାତିତା କରାଯାଉଛି। ଗଣମାଧ୍ୟମରେ ଏଭଳି ଅଭିଯୋଗ ଆଣି ନ୍ୟାୟପାଳିକାକୁ କାଠଗଡ଼ାରେ ଛିଡ଼ା କରିଥିବା ୪ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ୍‌ କୁରିଏନ୍‌ ଯୋସେଫ୍‌ ଶନିବାର ପୁଣି ମୁହଁ ଖୋଲିଛନ୍ତି। କହିଛନ୍ତି, ଆମେ ନ୍ୟାୟ ଏବଂ ନ୍ୟାୟପାଳିକା ସପକ୍ଷରେ ରହିଛୁ। ଆମେ ଯେଉଁ ପ୍ରସଙ୍ଗ ଉଠାଇଛୁ ତାର ସମାଧାନ ଖୁବଶୀଘ୍ର ହେବ।

ନ୍ୟାୟପାଳିକା ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଆମେ ଏଭଳି ପଦକ୍ଷେପ ନେଇଛୁ ବୋଲି କେରଳରେ ଜଷ୍ଟିସ୍‌ ଯୋସେଫ୍ କହିଛନ୍ତି। ନ୍ୟାୟ ଏବଂ ନ୍ୟାୟପାଳିକାର ହିତ ପାଇଁ ଆମେ କାମ କରୁଛୁ ବୋଲି ସେ କହିଛନ୍ତି।

କ’ଣ ଥିଲା ଘଟଣା

ଶୁକ୍ରବାର ଭାରତୀୟ ଆଇନ୍‌ ଇତିହାସରେ ଏକ ଚକିତ କରିବା ଭଳି ଘଟଣା ଘଟିଥିଲା। ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ମିଡିଆରେ ମୁହଁ ଖୋଲି ସୁପ୍ରିମକୋର୍ଟରେ କିଛି ଠିକ୍‌ ଚାଲିନାହିଁ ବୋଲି କହିଥିଲେ। ଯଦି ଏଭଳି ଚାଲେ ତାହାଲେ ଦେଶର ଗଣତାନ୍ତ୍ରିକ ପକ୍ରିୟା ପ୍ରତି ବିପଦ ଦେଖାଦେବ।

ସୁପ୍ରିମକୋର୍ଟରେ ଚାଲିଥିବା ଅନିୟମିତତା ସମ୍ପର୍କରେ ୪ ଜଣ ବରିଷ୍ଠ ବିଚାରପତି ୪ ମାସ ତଳେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଜଣାଇଥିଲେ। ହେଲେ ପ୍ରଧାନ ବିଚାରପତି କୌଣସି ପଦକ୍ଷେପ ନନେବାରୁ ସେମାନେ ମିଡିଆକୁ ଆସିଛନ୍ତି ବୋଲି କହିଥିଲେ।

Comment