ଭାସ୍କର ପରିଚ୍ଛା

ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନରେ ହୋଇଛି ଏକ ବଡ଼ ପରିବର୍ତ୍ତନ। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। ନିକଟରେ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ଭାରତୀୟ ନ୍ୟାୟ ସଂହିତା ବିଲ୍‌। ରାଷ୍ଟ୍ରପତିଙ୍କ ମୋହର ବାଜିବା କ୍ଷଣି ଏହା ଆଇନରେ ପରିଣତ ହେବ।

ଏଠାରେ ଉଲ୍ଳେଖ କରାଯାଇ ପାରେ ଯେ ଭାରତ ସରକାର ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ମୋଟ ୩ଟି ବିଲ୍‌ ଆଣିଥିଲେ। ୧୮୬୦ ମସିହାରୁ ପ୍ରଚଳିତ ଇଣ୍ଡିଆନ ପିନଲ୍ କୋଡ (ଆଇପିସି) ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ୧୮୯୮ ମସିହାର ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ) ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ।

ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ଏବେ ବଦଳାଇ ଦିଆଯାଇଛି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ। ଏହି ଶ୍ରେଣୀରେ ଆସୁଥିବା ଅପରାଧକୁ ଧାରା ୧୫୦ ଅଧୀନରେ ବିଚାର କରାଯିବ। ଯଦି କେହି ଜାଣିଶୁଣି ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ନିଜର ଶବ୍ଦ, ଆଚରଣ, ଇଲେକ୍ଟ୍ରୋନିକ ମିଡିଆ ଦ୍ୱାରା କ୍ଷତି ପହଞ୍ଚାଇବେ କିମ୍ବା ଏଥିପାଇଁ ପାଣ୍ଠି ଯୋଗାଣ କରିବେ, ତା’ହେଲେ ସେମାନଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ୭ ବର୍ଷ ଯାଏଁ ଜେଲଦଣ୍ଡ ହେବାସହ ଜୋରିମାନା ମଧ୍ୟ ଲାଗୁ କରାଯିବ।

ବିଲ୍‌ରେ ଭିଡ଼ ହିଂସା ବା ମବ ଲିଚିଂ ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ଓ ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି। ନୂଆ ବିଲ୍‌ରେ ମହିଳା ଓ ଛୋଟ ପିଲାଙ୍କ ବିରୋଧରେ ଅପରାଧ, ହତ୍ୟା ତଥା ଦେଶ ବିରୋଧୀ କାର୍ଯ୍ୟକଳାପକୁ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ପ୍ରଥମଥର ପାଇଁ ଛୋଟ ମୋଟ ଅପରାଧ ପାଇଁ ଜେଲ ବଦଳରେ ସମାଜ ସେବା ଭଳି ଦଣ୍ଡ ମିଳିବ। ସେହିପରି ଅପରାଧ ପାଇଁ ଲିଙ୍ଗଗତ ନିରପେକ୍ଷତା ଅବଲମ୍ବନ କରାଯିବ। ବିଲ୍‌ରେ ସାଂଘାତିକ ଅପରାଧ ପାଇଁ ପୂର୍ବରୁ ଥିବା ମୃତ୍ୟୁଦଣ୍ଡକୁ ପୂର୍ବଭଳି କାଏମ ରଖାଯାଇଛି। ଅପରାଧ ଯେଉଁଠି ଘଟିଥିଲେ ମଧ୍ୟ ଯେକୌଣସି ସ୍ଥାନରେ ଏହାର ଏଫଆଇଆର ରୁଜୁ କରାଯାଇପାରିବ।

ଚେନ ଛିଣ୍ଡାଇ ନେବା ଭଳି ଘଟଣା ପାଇଁ ମଧ୍ୟ ଏବେ କଠୋର ଦଣ୍ଡ ମିଳିବ। ନୂଆ ଆଇନ ଅନୁସାରେ ଏଥିରେ ଦୋଷୀକୁ ସର୍ବାଧିକ ୭ ବର୍ଷ ଯାଏଁ ଜେଲଦଣ୍ଡ ମିଳିବାର ପ୍ରବଧାନ ରହିଛି। ସେହିପରି ୩ ବର୍ଷ ଯାଏଁ ଜେଲ ମିଳିବାକୁ ଥିବା ଅପରାଧଗୁଡ଼ିକର ଟ୍ରାଏଲ ବା ବିଚାର ଶୀଘ୍ର କରିବାକୁ ବ୍ୟବସ୍ଥା ହେବ। ଚାର୍ଜଫ୍ରେମ ହେବାର ୩୦ ଦିନ ମଧ୍ୟରେ ବିଚାରପତିଙ୍କୁ ଏହି ମାମଲାରେ ରାୟ ଦେବାକୁ ପଡ଼ିବ।

ଅନ୍ୟପଟେ ଯଦି କୌଣସି ଅପରାଧ ପାଇଁ କାହାକୁ ଗିରଫ କରାଯାଉଛି, ତା’ହେଲେ ତୁରନ୍ତ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବ। ଏଥିପାଇଁ ଜଣେ ସ୍ୱତନ୍ତ୍ର ପୁଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ।

ସାଂଗଠନିକ ଅପରାଧ ପାଇଁ ମଧ୍ୟ ନୂଆ ବିଲରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ତେବେ ନୂଆ ଆଇନ ଅନୁସାରେ ମୃତ୍ୟୁ ଦଣ୍ଡକୁ ସ୍ଥିତି ଅନୁସାରେ ଆଜୀବନ ଜେଲରେ ପରିଣତ କରାଯାଇପାରିବ, କିନ୍ତୁ ଅପରାଧୀକୁ ସଂପୂର୍ଣ୍ଣ ଭାବେ ଜେଲରୁ ଖଲାସ କରାଯାଇ ପାରିବନାହିଁ।

Tags: #IndianLaw #IPC #CRPC #CriminalProcedure #JusticeSystem #India

Comment