ଓଡ଼ିଶାଲାଇଭ୍ ବ୍ୟୁରୋ

“ବ୍ରିଟିଶ ଶାସନ ଅମଳରୁ ପ୍ରଚଳିତ ଭାରତୀୟ ଅପରାଧୀକ ଆଇନରେ ପରିବର୍ତ୍ତନ ହୋଇଛି। ନୂଆ ଆଇନରେ ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ସୃଷ୍ଟିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଏହା ସହିତ ଦେଶ ବିରୋଧରେ କହିଲେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ”, ବୁଧବାର ଦିନ ଲୋକସଭାରେ ଆଇପିସି, ସିଆରପିସି ଏବଂ ଆଇଇଏ ସଂଶୋଧନ ବିଲ୍ ଆଗତ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଅମିତ ଶାହ କହିଛନ୍ତି, ଭିଡ଼ ହିଂସା ଏକ ଘୃଣ୍ୟ ଅପରାଧ। ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି। ଭିଡ଼ ହିଂସା ସୃଷ୍ଟିକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି।

ଦୁର୍ଘଟଣା ଘଟାଇ ଆହତଙ୍କୁ ଛାଡ଼ି ପଳାଇଲେ ୧୦ ବର୍ଷ ଜେଲଦଣ୍ଡ, ହିଟ ଆଣ୍ଡ ରନ ପାଇଁ ଦୋଷୀକୁ ୧୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ମହିଳା ଏବଂ ଶିଶୁ ବିରୋଧୀ ହିଂସା ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ରହିଥିବା ଅମିତ ଶାହ କହିଛନ୍ତି।

ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। କାରଣ ରାଜ୍ୟସଭା ପରେ ଭାରତୀୟ ନ୍ୟାୟ ସଂହିତା ବିଲ୍‌ ଲୋକସଭାରେ ପାରିତ ହୋଇଛି। ଏଥିରେ ରାଷ୍ଟ୍ରପତି ମୋହର ମାରିବା କ୍ଷଣି ଏହା ଆଇନରେ ପରିବର୍ତ୍ତନ ହେବ।

କେନ୍ଦ୍ର ସରକାର ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ମୋଟ ୩ଟି ବିଲ୍‌ ଆଣିଥିଲେ। ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା, ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ। ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଇ ଦିଆଯାଇଥିଲା।

Tags: #India #IndianLaw #CriminalLaw #LokSabha

Comment