ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ତଥା ପ୍ରସାରକୁ ଦୃଷ୍ଟିରେ ରଖି ନିକଟରେ ଓଡ଼ିଶା ସରକାର କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ଡିସେମ୍ବର ୨୬ରେ ପୁରୀଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ପ୍ରସଙ୍ଗରେ ୨୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ, ଓଡ଼ିଆ ଭାଷା ଆୟୋଗ ଗଠନ, ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖାଯିବା ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଓ ପ୍ରୋତ୍ସାହନ ତା’ ମଧ୍ୟରେ ଅନ୍ୟତମ । ଆସନ୍ତୁ ଜାଣିବା ରାଜ୍ୟର କିଛି ଶିକ୍ଷାବିତ୍, ଭାଷାବିତ୍ ଏବଂ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା।

ପ୍ରଫେସର ରାଜକିଶୋର ମିଶ୍ର, ଭାଷାତତ୍ତ୍ୱବିତ୍

ଓଡ଼ିଆ ଭାଷା ଆୟୋଗ ଗଠନ ପାଇଁ ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ ସରକାରଙ୍କ ପାଖରେ ଦାବି ରଖିଥିଲେ । ତେବେ ଶ୍ରୀକ୍ଷେତ୍ରରେ ଡିସେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଏନେଇ ଶେଷରେ ଘୋଷଣା କରିଛନ୍ତି। ଏହାକୁ ନେଇ ଆମେ ଖୁସି । ହେଲେ ଯେଉଁ ଆୟୋଗ ଗଠନ କରାଯିବ ତାର କାର୍ଯ୍ୟବିଧି କ’ଣ ହେବ, ଏଥିରେ କେଉଁମାନେ ସଦସ୍ୟ ରହିବେ ଏବଂ କୌଣସି ଆଇନ୍ ବିଶାରଦ ରହିବେ କି ନାହିଁ ସେ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ। ସେଥିପାଇଁ ଅପେକ୍ଷା ରହିଲା।

ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ପାଇଁ ଆୟୋଗ ଗଠନ କରାଯାଇଛି। ସରକାରୀ ସ୍ତରରେ ଏଣିକି ଓଡ଼ିଆ ଭାଷାରେ କାର୍ଯ୍ୟ କରାଯିବ। ଫଳରେ କାମ କରିବା ପାଇଁ ସରକାରୀ ଅଫିସରେ କର୍ମଚାରୀମାନଙ୍କୁ ସହଜ ହେବ । ଭାଷା ଆଇନ୍ ଉଲ୍ଲଂଘନ କଲେ ଦଣ୍ଡ ବିଧାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ଦଣ୍ଡବିଧାନ ସାଙ୍ଗେ ସାଙ୍ଗେ ନକରି ଆଇନ୍ କାର୍ଯ୍ୟକାରୀ ହେବାର କିଛିଦିନ ପରେ ଲାଗୁ କରିବା ଉଚିତ୍ ।

ସରକାରୀ ସଂସ୍ଥା ସହ କର୍ପୋରେଟ୍ ସେକ୍ଟରରେ ମଧ୍ୟ ଏହି ଲଗାମ୍ ଲାଗୁ ହେବା ଦରକାର। ଓଡ଼ିଆ ଭାଷାକୁ ତୃଣମୂଳ ସ୍ତରରୁ ସଜାଡ଼ିବା ପାଇଁ ପ୍ରତି ସ୍କୁଲରେ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବା ଦରକାର। ନଚେତ୍ ଯେଉଁ ଶିକ୍ଷକମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ କିଛି ଶିକ୍ଷକଙ୍କୁ ଓଡ଼ିଆ ଭାଷାରେ ତାଲିମ୍ ଦେବା ଦରକାର।

ଶିଶୁ ଓ କିଶୋରମାନଙ୍କ ପାଇଁ ପୂର୍ବରୁ ରାଜ୍ୟ ସରକାର ପତ୍ରିକା ପ୍ରକାଶ କରୁଥିଲେ। ଏହାର ପୁନଃ ପ୍ରକାଶନର ଆବଶ୍ୟକତା ରହିଛି। ସେହିପରି ଭାଷା ପ୍ରତିଷ୍ଠାନ ପକ୍ଷରୁ ବର୍ଣ୍ଣବୋଧ ବହି ପ୍ରକାଶ କରାଯାଉଥିଲା। କିନ୍ତୁ କିଛି ତ୍ରୁଟି ଯୋଗୁ ତାହାକୁ ବନ୍ଦ କରି ଦିଆଯାଇଛି। ଏଥିପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ।

ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ ନିହାତି ଆବଶ୍ୟକ। ଓଡ଼ିଶାର କୋଣ ଅନୁକୋଣକୁ ଓଡ଼ିଆ ଭାଷାର ଏକତା ସୂତ୍ରରେ ବାନ୍ଧି ରଖିବା ଦରକାର।

ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯଦି ସରକାର ରୋଜଗାରର ପନ୍ଥା ବାହାର କରିପାରନ୍ତେ ତାହାଲେ ସେମାନଙ୍କ ପାଇଁ ଭଲ ହୁଅନ୍ତା। ଏବେ ସାହିତ୍ୟକୁ ବଞ୍ଚାଇବା ପାଇଁ ବହୁ ଅନୁଷ୍ଠାନ ଗଢ଼ା ହୋଇଛି। ଏହା ଆମ ଭାଷା-ସାହିତ୍ୟ ପାଇଁ ସ୍ୱାଗତଯୋଗ୍ୟ।

ଡକ୍ଟର ହରପ୍ରସାଦ ଦାସ, ଲେଖକ ଓ ସ୍ତମ୍ଭକାର

ଭାଷାର ଉନ୍ନତି ପାଇଁ ଯେ କୌଣସି ପ୍ରସ୍ତାବ ସ୍ୱାଗତଯୋଗ୍ୟ । ଅତୀତରେ ମଧ୍ୟ ଏଭଳି ବିଭିନ୍ନ ପ୍ରସ୍ତାବ ଆସିଛି ଓ ସରକାର କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଆ ଭାଷାର ଉନ୍ନତି ପାଇଁ ଅନେକ ଦିନ ଧରି ଆନ୍ଦୋଳନ ଚାଲିଥିଲା ଓ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଉଥିଲା। ସରକାର ଏବେ ସେସବୁକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କଲେ। ସରକାରୀ କଳର ଆନ୍ତରିକ ଉଦ୍ୟମ ରହିଲେ ଏହିସବୁ ପ୍ରସ୍ତାବ ନିଶ୍ଚିତ ଭାବେ କାର୍ଯ୍ୟକାରୀ ହୋଇପାରିବଏବଂ କାର୍ଯ୍ୟକାରୀ ହେଲେ ଓଡ଼ିଶାବାସୀଙ୍କର ମଙ୍ଗଳ ହେବ।

ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଗୋଟିଏ ବିଭାଗ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ତିନୋଟି ବିଭାଗ ମିଶାଇ କ’ଣ କରାଯାଇପାରିବ ସେକଥା ଅତୀତରେ କେବେ ଚିନ୍ତାକରାଯାଇ ନାହିଁ । ସଂସ୍କୃତି, ସାହିତ୍ୟ ଓ ଭାଷା – ତିନୋଟିଯାକ ମିଶିକି କୌଣସି ପ୍ରକାର ଭିଜନ୍ ସରକାରଙ୍କର ଆଗରୁ ନଥିଲା । ବର୍ତ୍ତମାନ ସରକାର ଏ ଦିଗରେ କ’ଣ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତାହା ଦେଖିବାକୁ ବାକିରହିଲା ।

ଓଡ଼ିଆ ଭାଷା ଆୟୋଗ ଗଠନ ଏକ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହା ଦୁଇଦିନିଆ କାମ ନୁହେଁ । କାହାକୁ ଅଳ୍ପରେ ସନ୍ତୁଷ୍ଟ କରାଯାଇପାରିବ ନାହିଁ । ଏହା ଗୋଟିଏ ଜାତୀୟ ଜୀବନଧାରା ସହିତ ସମ୍ପୃକ୍ତ ଭଳି ଯୋଜନାଟିଏ । ଏହାକୁ ଶତକଡା ଶହେ ସମ୍ପୂର୍ଣ୍ଣ ନକଲା ପର୍ଯ୍ୟନ୍ତ ଓଡିଶା ସରକାର ଚୁପ୍ ବସିବେ ନାହିଁ ବୋଲି ମୋର ବିଶ୍ୱାସ ।

ପ୍ରକୃତରେ ଜଣଙ୍କ ଭାଷା, ଧର୍ମ ଭଳି ମଣିଷର ସହଜାତ ପ୍ରବୃତିର କଥା । ତେଣୁ ଏ କ୍ଷେତ୍ରରେ କୌଣସି ନିର୍ଦ୍ଧିଷ୍ଟ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ବାତାବରଣ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ ।

ଭାଗବତର ଅଧ୍ୟୟନ ଏବଂ ପ୍ରଚାର ଓ ପ୍ରସାର କରିବା ତଥା ଭାଗବତ ଟୁଙ୍ଗୀକୁ ସାଂସ୍କୃତିକ କେନ୍ଦ୍ର ଭାବେ ବ୍ୟବହାର କରିବା ଏକ ଭଲ ଚିନ୍ତାଧାରା । ପୂର୍ବରୁ ମଧ୍ୟ ଏହା ହୋଇଥିଲା । ବର୍ତ୍ତମାନ ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରାଯିବା ଦରକାର । ଏହାକୁ ପୂରଣ କରିବା ପାଇଁ ଏକ ମାଧ୍ୟମ ଆବଶ୍ୟକ । ନହେଲେ ଏହା କାର୍ଯ୍ୟକାରୀ କରିବା ସହଜ ହେବ ନାହିଁ ।

ଭାଷା ଆଇନକୁ କାର୍ଯକାରୀ କରୁନଥିବା ଲୋକମାନଙ୍କ ଉପରେ ଯେଉଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି ତାହା ଏକ ପ୍ରଶ୍ନବାଚୀ। କାରଣ, ଓଡ଼ିଆ ଭାଷା କହିଲେ ପୁରସ୍କାର ମିଳିବ, ନକହିଲେ ଦଣ୍ଡ ବିଧାନ କରାଯିବ – ଏ ବାବଦରେ ମୋର ସ୍ପଷ୍ଟ ମତ ରହିଛି । ତା’ହେଲା ଓଡ଼ିଆ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ଦଣ୍ଡ ନଦେଇ ସେମାନଙ୍କ ଭିତରେ ଆଗ୍ରହ ଓ ଆବେଗ ସୃଷ୍ଟି କରାଯାଇପାରିଲେ ଭାଷା-ଭାବନା ସଫଳ ହୋଇପାରିବ । ପ୍ରତି ୫ବର୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପ୍ରସ୍ତାବ ଭଲକଥା। ତେବେ ଏହା କରିବା ପୂର୍ବରୁ ଚେନ୍ନାଇରେ ଅନୁଷ୍ଠିତ ବିଶ୍ୱ ତାମିଲ୍ ଉତ୍ସବ ପାଳନରୁ ଆମେ କିଛିଟା ଶିଖିବା ଉଚିତ୍ ହେବ।

ସୌରୀବନ୍ଧୁ କର, ଲେଖକ ଓ ସ୍ତମ୍ଭକାର

ଓଡ଼ିଆ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ଓଡ଼ିଶାରେ, ଓଡ଼ିଆ ଭାଷାରେ ସବୁ ସରକାରୀ କାର୍ଯ୍ୟ ପରିଚାଳନା ହେବ, ଏହା ଅତ୍ୟନ୍ତ ଖୁସିର କଥା। ଅନେକ ଦିନରୁ ଏହି ଦାବି ହୋଇଆସୁଥିଲା। ଏବେ ତାହା ପୂରଣ ହୋଇଛି।

ଏବେ ସରକାରୀ କଳ ଭିତରେ ଓଡ଼ିଆ ଭାଷାରେ ସବୁ ଚିଠିପତ୍ର ଲେଖାଯିବ ଓ ସରକାରୀ କାର୍ଯ୍ୟ ହେବ। ସେହିପରି ସାଧାରଣ ଲୋକେ ମଧ୍ୟ ସରକାରଙ୍କୁ ଓଡ଼ିଆରେ ଚିଠିପତ୍ର ଲେଖିପାରିବେ। ଏହା ଖୁବ୍ ଭଲକଥା।

ଆମ ରାଜ୍ୟରେ ବିଭିନ୍ନ ଅଫିସ ଓ ବ୍ୟବସାୟିକ ପ୍ରତିଷ୍ଠାନର ସାଇନ୍ ବୋର୍ଡ ମଧ୍ୟ ଓଡ଼ିଆରେ ଲେଖାଯିବା ଉପରେ ଜୋର ଦିଆଯାଉଛି। ଏହା ଏବେ ବାଧ୍ୟତାମୂଳକ ହୋଇଛି ଏବଂ ଏହାକୁ ପାଳନ ନକଲେ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଏହି ନିୟମ କିଭଳି ଭାବେ ପାଳନ ହେବ ତାହା ଗୁରୁତ୍ୱପୂର୍ଣ୍ଣ।

ଓଡ଼ିଆ ଭାଷା କେବଳ ସରକାରୀ ସ୍ତରରେ ବ୍ୟବହାର ହେଲେ ଚଳିବ ନାହିଁ; ସହରଠାରୁ ଆରମ୍ଭକରି ଗାଁ ପର୍ଯ୍ୟନ୍ତ କିପରି ଏହାର ବହୁଳ ପ୍ରସାର ହୋଇପାରିବ ତାହା ଦେଖିବା କଥା। ଏ ଦୃଷ୍ଟିରୁ ସରକାର ଯେଉଁ ଜିଲ୍ଲାସ୍ତରୀୟ ପୁସ୍ତକମେଳା ଏବଂ ଗାଁ ଭାଗବତ ଟୁଙ୍ଗିଗୁଡ଼ିକର ପ୍ରସାର ବିଷୟ ଘୋଷଣା କରିଛନ୍ତି, ତାହା ମଧ୍ୟ ସ୍ୱାଗତଯୋଗ୍ୟ।

ସେହିପରି ଓଡ଼ିଆ ଭାଷାରେ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ଏକ ସାଧୁ ଉଦ୍ୟମ। ଏହା  ଆମ ଭାଷା ଓ ସାହିତ୍ୟର ପ୍ରସାର ଓ ପ୍ରତିଷ୍ଠା ଦିଗରେ ସହାୟକ ହେବ। ତେବେ ଏସବୁ ନିଷ୍ପତ୍ତି କିଭଳି ଭାବରେ କାର୍ଯ୍ୟକାରୀ ହେବ ତାହା ସବୁଠାରୁ ବଡ଼ କଥା। ସରକାରଙ୍କ ଆନ୍ତରିକ ଇଚ୍ଛାଥିଲେ ତାହା ନିଶ୍ଚୟ ସମ୍ଭବ ହୋଇପାରିବ।

ଆଜି ଆମେ ଅନେକ ଲୋକ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁନୁ କି ଚିଠିପତ୍ର ଲେଖୁନୁ। ଏପରିକି ଆମେ ନିମନ୍ତ୍ରଣପତ୍ର ବି ଆମ ଭାଷାରେ ଲେଖୁନୁ। ଓଡ଼ିଆ ଶାସ୍ତ୍ରୀୟ ଭାଷାର ମନ୍ୟତା ପାଇଛି। ତେଣୁ ଆଜି ସବୁ କ୍ଷେତ୍ରରେ ଏହାର ବହୁଳ ପ୍ରୟୋଗ ହେବା ଦରକାର। ଏଥିପାଇଁ ସବୁ ଦିଗରୁ ମଧ୍ୟ ଉଦ୍ୟମ ଆବଶ୍ୟକ।

ଓଡ଼ିଆ ଭାଷାର ପ୍ରତିଷ୍ଠା ପାଇଁ ଆମକୁ ସ୍କୁଲ୍ ଓ କଲେଜ୍ ସ୍ତରରେ ଖାଲିଥିବା ଓଡ଼ିଆ ଶିକ୍ଷକ ଓ ଅଧ୍ୟାପକ ପଦବୀ ପୂରଣ କରିବାକୁ ହେବ। ସେହିପରି ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ସକ୍ରିୟ କରିବା ସହ ଆମ ଭାଷା ଓ ସଂସ୍କୃତିର ପ୍ରସାର ପାଇଁ ସରକାର ଅଧିକ ଅର୍ଥ ବରାଦ କରିବା ଦରକାର। ଏସବୁ କରାଗଲେ ନିଶ୍ଚିତ ଭାବରେ ଆମ ଭାଷାର ଦ୍ରୁତ ପ୍ରସାର ସମ୍ଭବପର ହେବ ଓ ଦିନେ ଭାଷାଭିତ୍ତିରେ ଯେଉଁ ପ୍ରଦେଶ ଗଠିତ ହୋଇଥିଲା ସେହି ଓଡ଼ିଆ ଭାଷା ଆମର ମୂଳ ପରିଚୟ ହୋଇପାରିବ।

ଓଡ଼ିଶାର ବ୍ୟାପକ ପର୍ଯ୍ୟଟନ ସମ୍ଭାର ରହିଛି। ତେଣୁ ପର୍ଯ୍ୟଟନ ବିଭାଗକୁ ସଂସ୍କୃତି ବିଭାଗଠାରୁ ଅଲଗା କରାଗଲେ ଉଭୟ କ୍ଷେତ୍ରର ବିକାଶ ଲାଗି ଅଧିକ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ମୁଁ ଭାବୁଛି।

ଦାଶ ବେନହୁର, ଶିକ୍ଷାବିତ୍ ଓ ଲେଖକ

ଯେ କୌଣସି ଭାଷାଗୋଷ୍ଠୀ ପାଇଁ ଭାଷା ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା। ଏଣୁ ଓଡ଼ିଆମାନଙ୍କର ଓଡ଼ିଆ ଭାଷା ପ୍ରତି ଆବେଗ ରହିବା ସ୍ୱାଭାବିକ। ଓଡ଼ିଆ ଭାଷାକୁ କିଭଳି ସରକାରୀ ଭାଷାର ମାନ୍ୟତା ମିଳିବ ସେନେଇ ବହୁଦିନ ଧରି ଭାଷା ସୁରକ୍ଷା ସମିତି ଏବଂ ଭାଷା ସଂଗ୍ରାମ ସମିତି ଭଳି ଅନୁଷ୍ଠାନଗୁଡ଼ିକ ଦାବି କରି ଆସୁଥିଲେ। ଡିସେମ୍ବର ୨୬ ତାରିଖରେ ଏହା ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି। ଏହା ଅତ୍ୟନ୍ତ ଆନନ୍ଦର କଥା। ସରକାର ନେଇଥିବା ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୁଏ ତାହାଲେ ଯେଉଁ ଦାବି ହୋଇ ଆସୁଥିଲା ତାହା ପ୍ରାୟ ପୂରଣ ହୋଇଯିବ ବୋଲି ମୁଁ ଭାବୁଛି।

କ୍ୟାବିନେଟରେ ପାରିତ ହୋଇଥିବା ନିଷ୍ପତ୍ତି ୨୦୧୮ ଏପ୍ରିଲ୍ ୧ ତାରିଖରୁ କାର୍ଯ୍ୟକାରୀ କରିବାକୁ ସରକାର ସ୍ଥିର କରିଛନ୍ତି। ଯେଉଁମାନେ ଏହାକୁ ଅମାନ୍ୟ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସରକାର ଘୋଷଣା କରିଛନ୍ତି। ସବୁଠୁ ବଡ଼କଥା ହେଉଛି ଓଡ଼ିଆ ଭାଷାର କିପରି ପ୍ରସାର ହେବ ଏବଂ ଏହାକୁ କିପରି ଜ୍ଞାନ ବିଜ୍ଞାନର ଭାଷା କରାଯିବ ସେ ବାବଦରେ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି। ସ୍କୁଲ ଏବଂ କଲେଜ ସ୍ତରରେ ଯେଉଁ ଛାତ୍ରଛାତ୍ରୀମାନେ ଓଡ଼ିଆରେ ଭଲ ନମ୍ବର ରଖିବେ ସେମାନଙ୍କୁ ସରକାର ପୁରସ୍କାର ପ୍ରଦାନ କରିବେ। ଭାଷାକୁ ଆଖି ଆଗରେ ରଖି ଫକୀରମୋହନ ବୃତ୍ତିକୁ କୋହଳ କରାଯିବ। ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ପାଖରେ କିପରି ଓଡ଼ିଆ ଭାଷା ଉପଲବ୍ଧ ହେବ ସେଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସରକାର କହିଛନ୍ତି। ଏସବୁ ସ୍ୱାଗତଯୋଗ୍ୟ।

ପ୍ରତି ଜିଲ୍ଲାରେ ପାଠାଗାର ଖୋଲିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରତି ଜିଲ୍ଲାରେ ପୁସ୍ତକ ମେଳା ଆୟୋଜନ କରିବା ପାଇଁ କୁହାଯାଇଛି। ଭାଗବତ ଟୁଙ୍ଗୀର ପୁନରୁଦ୍ଧାର କରିବା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏସବୁ ପଦକ୍ଷେପରୁ ଜଣାପଡ଼ୁଛି ଯେ, ଓଡ଼ିଆ ଭାଷାକୁ ସୁଦୂରପ୍ରସାରୀ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏସବୁ ନିଷ୍ପତ୍ତିକୁ ଦେଖିଲେ ମନେହେଉଛି ସରକାର ନୂଆ ପଦକ୍ଷେପ ନେଇଛନ୍ତି। ୧୯୫୪ ମସିହା ଭାଷା ଆଇନକୁ ବଳବତ୍ତର ରଖିବା ପାଇଁ ଯାହା ସଂଶୋଧନ ଦରକାର ତାହା କରିବା ପାଇଁ ସରକାର ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି।

ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, କବି ଓ ସମ୍ପାଦକ

ଓଡ଼ିଆ ଭାଷା ସମ୍ପର୍କରେ ରାଜ୍ୟ କ୍ୟାବିନେଟ୍ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ୱାଗତଯୋଗ୍ୟ। କିନ୍ତୁ ନବକୃଷ୍ଣ ଚୌଧୁରୀଙ୍କ ସମୟରୁ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥଲା। ବିଭିନ୍ନ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିନଥଲା। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଏହି ଆଇନ୍ ପୁନଃ କାର୍ଯ୍ୟକାରୀ କରିବା  ପାଇଁ ଉଦ୍ୟମ ହେଲା। କିଛିଦିନ କାର୍ଯ୍ୟକାରୀ ହେଲା। କିନ୍ତୁ ତାହା ମଧ୍ୟ ଧୀରେ ଧୀରେ ବନ୍ଦ ହୋଇଗଲା। ଏଣୁ ଡିସେମ୍ବର ୨୬ ତାରିଖରେ ରାଜ୍ୟ କ୍ୟାବିନେଟ୍ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଓଡ଼ିଆ ଲୋକମାନଙ୍କ ଭାବାବେଗକୁ ଆଖରେ ରଖି ନିଆଯାଇଛି।

ଏବେ ଓଡ଼ିଶାରେ ଅନେକ ପରିବର୍ତ୍ତନ ଘଟିଛି। ସାମାଜିକ ଓ  ରାଜନୈତିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଆମ ପିଲାମାନେ ଓଡ଼ିଶାରେ ଚାକିରି ନକରି ସାରା ପୃଥିବୀରେ ବିକ୍ଷିପ୍ତ ଭାବେ ରହିଛନ୍ତି। କର୍ପୋରେଟ୍ କ୍ଷେତ୍ରରେ ଓଡ଼ିଆ ଭାଷାର ସେତେଟା ପ୍ରାଧାନ୍ୟ ନାହିଁ। ତେଣୁ ପିଲାମାନେ ଓଡ଼ିଆ ଭାଷାକୁ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହା ଏକ ତାତ୍କାଳିକ ସ୍ଥିତି।

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଭାଷା ପ୍ରତିଷ୍ଠାନ ରହିଛି। ଓଡ଼ିଶା ଏକାଡେମୀ ଭଳି ପୁରାତନ ଅନୁଷ୍ଠାନ ରହିଛି। ସଂସ୍କୃତି ବିଭାଗ ଅଧୀନରେ ଏହା ପରିଚାଳିତ ହେଉଛି। ସାହିତ୍ୟ ଏକାଡେମୀ ଉଦ୍ୟମ ଦ୍ୱାରା ଭାଷାର ପ୍ରସାର ଅଧିକ ହୋଇପାରିବ। କିନ୍ତୁ ସଂସ୍କୃତି ବିଭାଗକୁ ଯେତିକି ପ୍ରାଧାନ୍ୟ ଦିଆଯିବା କଥା ତାହା ସରକାରଙ୍କ ପକ୍ଷରୁ ଏଯାଏଁ ଦିଆଯାଇନାହିଁ। ଏବେ ନୂଆ ନିଷ୍ପତ୍ତିରେ ସଂସ୍କୃତି ବିଭାଗକୁ ଅଧିକ କିଛି କରିବାକୁ ସୁଯୋଗ ମିଳିବ ବୋଲି ମୁଁ ଭାବୁଛି।

ପର୍ଯ୍ୟଟନ ବିଭାଗର ବଜେଟ୍ ଓ ସଂସ୍କୃତି ବିଭାଗର ବଜେଟ୍ ଭିତରେ ଆକାଶ ପାତାଳ ତଫାତ ରହିଛି। ଦୁଃଖର କଥା ହେଉଛି ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଷୟରେ ଯେଉଁମାନେ ଅବଗତ ନୁହନ୍ତି, ଅନେକ ସମୟରେ ସେମାନଙ୍କୁ ସଂସ୍କୃତି ବିଭାଗର ସଚିବ କରାଯାଉଛି। ଅବଶ୍ୟ ସୁଖର କଥା ହେଉଛି ଯେ ଏବେ କିଛି ବର୍ଷ ହେଲାଣି ଓଡିଆମାନେ ସଂସ୍କୃତି ଦାୟିତ୍ୱରେ ରହୁଛନ୍ତି। ତେଣୁ ସେମାନଙ୍କ ଦ୍ୱାରା ଅଧିକ କିଛି କାର୍ଯ୍ୟ କରାଯାଇପାରିବ। ଯଦି ସଂସ୍କୃତି ବିଭାଗକୁ ଓଡ଼ିଆମାନଙ୍କୁ ଭାଷା ସାହିତ୍ୟ ଓ ସଂସ୍କୃତି ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ କରାଇବାକୁ ସରକାର ସ୍ୱାଧୀନତା ଦିଅନ୍ତେ  ତା’ହେଲେ ଆହୁରି ଅଧିକ କାର୍ଯ୍ୟ ହୋଇପାରନ୍ତା।

ଏବେ ଭାଷାକୁ ନେଇ ଯେଉଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେଉଁ ପ୍ରୋତ୍ସାହନ ଦିଆଯିବାର ନିଷ୍ପତ୍ତି ହୋଇଛି ତା’ର ବେଶ୍ ସୁଫଳ ମିଳିପାରିବ। ସେହିପରି ସରକାରୀ ଓ ବେସରକାରୀ – ସବୁ ସ୍ତରରେ ଆମ ଭାଷାର ପ୍ରସାର ହେଲେ ବିଶ୍ୱସ୍ତରରେ ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ମାନ୍ୟତା ମିଳିପାରିବ।

ଓଡ଼ିଆରେ ନାମଫଳକ ଲେଖିବାର ପରମ୍ପରା ବହୁ ଆଗରୁ ଥଲା। ଏଥପାଇଁ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ଥିଲା। ଆର୍ଥିକ ଦଣ୍ଡ ମଧ୍ୟ ଥିଲା। ଏହାକୁ ଲୋକମାନେ ମାନୁନାହାନ୍ତି। ଏହାର କାରଣ ହେଉଛି ବ୍ୟବସାୟିକ ପ୍ରତିଷ୍ଠାନକୁ ତ କେବଳ ଓଡ଼ିଆ ଲୋକ ଯାଉନାହାନ୍ତି, ପୃଥିବୀର ବିଭିନ୍ନ ଯାଗାର ଲୋକ ଯାଉଛନ୍ତି। ତେଣୁ ପ୍ରଥମେ ଓଡ଼ିଆରେ ଲେଖିବ ପରେ ହିନ୍ଦୀ ବା ଇଂରାଜୀରେ ଲେଖିଲେ କିଛି ଅସୁବିଧା ନାହିଁ।

ଆଜିକାଲି ଓଡ଼ିଆ ସମ୍ବାଦପତ୍ରଗୁଡ଼ିକରେ ଅନେକ ପ୍ରକାର ଭାଷା ପଶିଆସିଲାଣି। ତେଣୁ ଯଦି ଶୁଦ୍ଧ ଓଡ଼ିଆ ଖବରକାଗଜ ପ୍ରସ୍ତୁତ କରାଯାନ୍ତା ତେବେ ତାହା ଓଡ଼ିଆମାନଙ୍କ ପାଇଁ ଲାଭପ୍ରଦ ହୁଅନ୍ତା। ଖବରକାଗଜର ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ଭାଷାକୁ ପରିଚାଳନା କରିବାରେ। ସବୁ ସମ୍ପାଦକ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ।

ଜିଲ୍ଲାସ୍ତରରେ ପାଠାଗାର ହେବା ଆଇନ୍ ପୂର୍ବରୁ ଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ପାଠାଗାରଟା ଗ୍ରାମାଞ୍ଚଳରେ ହେଲେ ଅଧିକ ଲାଭପ୍ରଦ ହୁଅନ୍ତା।

Comment