ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ
  • ୪ ବିଚାରପତିଙ୍କୁ ଭେଟିବେ ୭ ଜଣିଆ କମିଟି
  • ୩ ବିଚାରପତି ଦିଲ୍ଲୀ ବାହାରେ
  • ରବିବାର ୪ ବିଚାରପତିଙ୍କୁ ଭେଟିବେ ପ୍ରଧାନ ବିଚାରପତି

ନ୍ୟାୟପାଳିକା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଉପରେ ଏଥିରେ ଆଲୋଚନା ହୋଇଛି।

ରବିବାର ଆସୋସିଏସନ୍‌ ସଦସ୍ୟମାନେ ଅଭିଯୋଗ ଆଣିଥିବା ୪ ବିଚାରପତିଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିବେ। ବିଚାରପତିମାନଙ୍କ ସାମ୍ବାଦିକ ସମ୍ମିଳନୀକୁ ନାପସନ୍ଦ କରିଛି ବାର୍‌ ଆସୋସିଏସନ୍‌।

ଅଭିଯୋଗ ଆଣିଥିବା ୪ ବିଚାରପତିଙ୍କୁ ମଧ୍ୟରୁ ୩ ଜଣ ଦିଲ୍ଲୀ ବହାରେ ଅଛନ୍ତି। ରବିବାର ସନ୍ଧ୍ୟା ସୁଦ୍ଧା ଏମାନେ ଦିଲ୍ଲୀ ଫେରିବାର ସମ୍ଭାବନା ରହିଛି। ବିଚାରପତିମାନେ ଦିଲ୍ଲୀ ଫେରିବା ପରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏମାନଙ୍କୁ ଭେଟିବେ ବୋଲି କୁହାଯାଉଛି।

ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି, “ମିଡିଆରେ ମୁହଁ ଖୋଲିଥିବା ବିଚାରପତିଙ୍କ ସହ ଆଲୋଚନା କରାଯିବ। ଏଥିପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି। ସୁପ୍ରିମକୋର୍ଟର ଅଧିକାଂଶ ବିଚାରପତି ଏ ସମ୍ପର୍କରେ ଆଲୋଚନା କରିବାକୁ ରାଜି ଅଛନ୍ତି।”

ଶୁକ୍ରବାର ଭାରତୀୟ ଆଇନ୍‌ ଇତିହାସରେ ଏକ ଚକିତ କରିବା ଭଳି ଘଟଣା ଘଟିଥିଲା। ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ମିଡିଆରେ ମୁହଁ ଖୋଲି ସୁପ୍ରିମକୋର୍ଟରେ କିଛି ଠିକ୍‌ ଚାଲିନାହିଁ ବୋଲି କହିଥିଲେ। ଯଦି ଏଭଳି ଚାଲେ ତାହାଲେ ଦେଶର ଗଣତାନ୍ତ୍ରିକ ପକ୍ରିୟା ପ୍ରତି ବିପଦ ଦେଖାଦେବ।

ସୁପ୍ରିମକୋର୍ଟରେ ଚାଲିଥିବା ଅନିୟମିତତା ସମ୍ପର୍କରେ ୪ ଜଣ ବରିଷ୍ଠ ବିଚାରପତି ୪ ମାସ ତଳେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଜଣାଇଥିଲେ। ହେଲେ ପ୍ରଧାନ ବିଚାରପତି କୌଣସି ପଦକ୍ଷେପ ନନେବାରୁ ସେମାନେ ମିଡିଆକୁ ଆସିଛନ୍ତି ବୋଲି କହିଥିଲେ।

Comment