ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରୀ ୨୦ ତାରିଖରେ ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଏଣୁ ଜାନୁଆରୀ ୨୦ ପରେ ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍‌ ବାଜିପାରେ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

  • ଆସୁଛି ନୂଆ ଭୋଟର ତାଲିକା
  • ଜାନୁଆରୀ ୨୦ରେ ବିଜେପୁର ପାଇଁ ଚୂଡ଼ାନ୍ତ ଭୋଟର ତାଲିକା
  • ଫେବୃଆରୀ ୧୬ରେ ୧୪୬ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା

ବିଜେପୁର ଉପ-ନିର୍ବାଚନକୁ ନେଇ ଦେଖାଦେଇଥିଲା ଅନିଶ୍ଚିତତା। କେବେ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ସେନେଇ ବିଭିନ୍ନ ରାଜନୈତିକ ଦଳମାନେ ଚିନ୍ତାରେ ପଡ଼ିଥିଲେ। ହେଲେ ଯୁଗ୍ମ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ ନୂଆ ଭୋଟର ତାଲିକା କଥା ଘେଷଣା କରିବା ପରେ ବିଜେପୁର ଉପ-ନିର୍ବାଚନ ପାଇଁ ରାସ୍ତା ଖୋଲୁଥିବା ଆଲୋଚନା ହେଉଛି।

“ଆସୁଛି ନୂଆ ଭୋଟର ତାଲିକା। ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ନୂଆ ଭୋଟର ତାଲିକା ଚୂଡାନ୍ତ କରିଛନ୍ତି। ଏହିକ୍ରମରେ ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ପ୍ରଥମେ ନୂଆ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ଜାନୁଆରୀ ୨୦ ତାରିଖରେ ବିଜେପୁର ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଆଉ ୧୪୬ଟି ନିର୍ବାଚନମଣ୍ଡଳୀ ପାଇଁ ଫେବୃଆରୀ ୧୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ”, କହିଛନ୍ତି ଭବାନୀ ପ୍ରସାଦ ରାୟ।

ବିଜେପୁର ପାଇଁ ଜାନୁଆରୀ ୨୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିବା ପରେ ଉପ-ନିର୍ବାଚନ ଖବୁଶୀଘ୍ର ହେବ ବୋଲି ଚର୍ଚ୍ଚା ହେଉଛି। ୨୦ ତାରିଖ ପରେ ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଗୁଲ୍‌ ବଜାଇ ପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ବିଜେପୁର ଏବେ ପୁଣି ଚଳଚଞ୍ଚଳ ହୋଇ ଉଠିଛି।

ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଅଗଷ୍ଟ ୨୨ରୁ ବିଜେପୁର ନିର୍ବାଚନମଣ୍ଡଳୀ ଫାଙ୍କା ପଡ଼ିଛି। ୬ ମାସ ଭିତରେ ଉପ-ନିର୍ବାଚନ କରିବାର ନିୟମ ରହିଛି। ହେଲେ ୪ ମାସ ଅତିକ୍ରାନ୍ତ କରିଥିଲେ ବି ଉପ-ନିର୍ବାଚନ ତାରିଖ ଘୋଷଣା ହେଉନାହିଁ। ଏଥିପାଇଁ ବିଜେପି-ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର୍ ଧରିଥିଲା।

ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ନହେଉଣୁ ତିନି ରାଜନୈତିକ ଦଳ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରି ବିଜେଡି ନିର୍ବାଚନ ବିଗୁଲ୍ ପ୍ରଥମେ ଫୁଙ୍କିଥିଲା। ଏପଟେ ବିଜେପି ମଧ୍ୟ ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ନେଇ ବରପାଲ୍ଲିରେ ଶକ୍ତି ପ୍ରଦର୍ଶନ କରିଥିଲା। କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନଥିଲେ ମଧ୍ୟ ଛାମୁଆ ନେତାଙ୍କୁ ଦାୟିତ୍ବ ଦେଇ ବିଜେପୁର ମୁହାଁ ହୋଇଥିଲା ଏହି ଜାତୀୟ ଦଳ।

ନିକଟରେ ବିଜେପୁର ଦଖଲ ପାଇଁ ବିଜେପି ନୂଆ ଅଭିଯାନ ଆରମ୍ଭ କରିଥିଲା। ଡିସେମ୍ବର ୩୧ରେ ବିଜେପୁରର ୨୭୦ ବୁଥ୍‌ରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଆୟୋଜନ କରି ବିଜେପି ପତିଆରା ଦେଖାଇଥିଲ। ଏହାପରେ ଅଶାନ୍ତ ହୋଇଯାଇଥିଲା ବିଜେପୁର। ବିଜେପି କର୍ମୀଙ୍କ ଘର ଉପରକୁ ୩ ରାଉଣ୍ଡ ଗୁଳି ମାଡ଼ ହେବା ଘଟଣାକୁ କେନ୍ଦ୍ର କରି ବିଜେପି-ବିଜେଡି ମୁହାଁମୁହିଁ ହୋଇଥିଲେ।

Comment