ଡକ୍ଟର ଫକୀର ମୋହନ ନାହାକTelevision Katha

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଇଲେକ୍ସନ ଏକ୍ସପ୍ରେସର ସଫଳତା, ଈଟିଭି ଓ ଟେଲିଭିଜନ ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା। ହେଲେ କେବଳ ଇଲେକ୍ସନ ଏକ୍ସପ୍ରେସରେ ସୀମିତ ନଥିଲା ଈଟିଭି। ନିର୍ବାଚନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତି ଏବଂ ଉପସ୍ଥାପନା କ୍ଷେତ୍ରରେ ମଧ୍ୟ ଏକ ନୂଆ ଧାରା ଆରମ୍ଭ କରିଥିଲା ଈଟିଭି। ଈଟିଭି ଓଡ଼ିଆ ଆସିବା ପୂର୍ବରୁ ନିର୍ବାଚନ ସମ୍ପର୍କିତ ଖବର ଜାଣିବା ପାଇଁ ଓଡ଼ିଆ ଦର୍ଶକଙ୍କ ପାଖରେ ଥିଲା ଏକମାତ୍ର ସ୍ରୋତ ଜାତୀୟ ଗଣମାଧ୍ୟମ, ତା ପୁଣି ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ। ବିଶେଷ କରି ଭୋଟଗଣତି ଦିନ ଦୂରଦର୍ଶନ (ଡିଡି-ନ୍ୟାସନାଲ)ରେ ଆଲୋଚନା, ବିଶ୍ଳେଷଣ ଥିଲା ଦର୍ଶକଙ୍କ ଆବଶ୍ୟକତା ପୂରଣ କରୁଥିବା କାର୍ଯ୍ୟକ୍ରମ।ଯଦି ପ୍ରକୃତ ରୂପେ ଦେଖାଯାଏ, ତାହେଲେ ୨୦୦୪ ସାଧାରଣ ନିର୍ବାଚନ ବେଳକୁ ନିର୍ବାଚନ ଖବର ଉପସ୍ଥାପନା ନିମନ୍ତେ ଆବଶ୍ୟକ ଗ୍ରାଫିକ୍ସ ସଫ୍ଟୱେୟାର ବିକାଶ ଲାଭ କରୁଥାଏ। ସେ ସମୟର ଜାତୀୟ ଗଣମାଧ୍ୟମ ଏହି ସବୁ ସଫ୍ଟୱେୟାରକୁ ଆପଣେଇବା ଆରମ୍ଭ କରୁଥିଲା ବେଳେ ଈଟିଭି ମଧ୍ୟ ଏହାକୁ ସମାନ୍ତରାଳ ଭାବେ ଆପଣେଇଥିଲା। କିନ୍ତୁ ଅନଭିଜ୍ଞତା ଓ ଆବଶ୍ୟକତାଠାରୁ ଅଧିକ ସତର୍କତା କାରଣରୁ ଏକାସଙ୍ଗରେ ପାର୍ଲାମେଣ୍ଟ ଓ ବିଧାନସଭା ନିର୍ବାଚନ ଫଳାଫଳ ପ୍ରସାରଣ ଲାଗି ଗ୍ରାଫିକ୍ସ ପରିଚାଳନା କରିବାରେ ବିଫଳ ହୋଇଥିଲା ଈଟିଭି। କିନ୍ତୁ ନିର୍ବାଚନ ଫଳାଫଳ ସମ୍ପର୍କିତ ଖବର ସଂଗ୍ରହ କରିବା ଦିଗରେ ଈଟିଭି ଯେଉଁ ପ୍ରଥମ ପରୀକ୍ଷଣ ଆରମ୍ଭ କରିଥିଲା ୨୦୦୪ ମସିହାରେ, ତାହା ସଫଳ ଥିଲା। ଏଭଳି ବ୍ୟବସ୍ଥା, ସେ ସମୟରେ ସାରା ଦେଶରେ କୌଣସି ଟେଲିଭିଜନ ଚାନେଲ ପାଖରେ ନଥିଲା। ଏହି ପରୀକ୍ଷଣର ଫଳ ସ୍ୱରୂପ, ସଠିକ୍ ଫଳାଫଳ ଠିକ୍ ସମୟରେ ଖୁବ୍ ଶୀଘ୍ର ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରିଥିଲା ଈଟିଭି।ଈଟିଭିର ଏହି ପରୀକ୍ଷଣର ନାଁ ଥିଲା ରଟ୍ (RUT- Result Updating Team)। ହାଇଦ୍ରାବାଦରେ ଥିବା ରାମୋଜୀ ଫିଲ୍ମ ସିଟିରେ ଈଟିଭିର ନ୍ୟୁଜ୍ ସେଣ୍ଟରରେ ଏକ ଅସ୍ଥାୟୀ କଲ୍ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା କେବଳ ଭୋଟ୍ ଗଣତି ସମ୍ପର୍କିତ ଖବର ସଂଗ୍ରହ ପାଇଁ। ଏକ ଅତ୍ୟାଧୁନିକ ସଫ୍ଟୱେୟାର ମାଧ୍ୟମରେ ଏହାକୁ ପରିଚାଳନା କରାଯାଉଥିଲା। ପ୍ରତି ନିର୍ବାଚନମଣ୍ଡଳୀର ପ୍ରତି ଗଣତି ବୁଥ୍ ପାଖରେ ନିଯୁକ୍ତ ଖବରଦାତା ଏହି କଲ୍ ସେଣ୍ଟରକୁ ଫୋନ୍ ଯୋଗେ ନିଜ ତଥ୍ୟ ଦେଉଥାନ୍ତି। ଏହାକୁ କଲ୍ ସେଣ୍ଟରରେ ଥିବା ଈଟିଭି ନ୍ୟୁଜ୍ ଡେସ୍କର ସଦସ୍ୟମାନେ ଭୋଟ୍ ଗଣତି ବୁଥରୁ ଆସୁଥିବା ତଥ୍ୟକୁ ସେହି ସଫ୍ଟୱେୟାରରେ ଏଣ୍ଟ୍ରି କରାନ୍ତି।ବିଭିନ୍ନ କଲ୍ ସେଣ୍ଟରରୁ ଆସିଥିବା ତଥ୍ୟ ଆପେ ଆପେ ଏକାଠି ହୋଇ ଟିଭି ପରଦାରେ ତାହା ଅପଡେଟ୍ ହେଉଥାଏ। ନିର୍ବାଚନ ଲଢୁଥିବା ବିଭିନ୍ନ ପ୍ରାର୍ଥୀ, କିଏ କେଉଁଠି ଆଗୁଆ କେଉଁଠି ପଛୁଆ ତାହା ଅତି ସହଜରେ ଏକା ସମୟରେ ଜଣାପଡ଼ିଯାଉଥାଏ। କେବଳ ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ RUTରେ କାମ କରୁଥିବା ବରିଷ୍ଠ ସଦସ୍ୟ ଏହାକୁ ବାରମ୍ବାର ଯାଞ୍ଚ କରନ୍ତି ଏବଂ ଶେଷରେ ଘୋଷଣା କରନ୍ତି। ୨୦୦୪ରେ ଆରମ୍ଭ ହୋଇଥିବା ଏହି ପରୀକ୍ଷଣର ସଫଳତା, ଈଟିଭିକୁ ସାରାଦେଶରେ ନିର୍ବଚାନ ଫଳାଫଳ ପରିଚାଳନା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା।ପରବର୍ତ୍ତୀ ସମୟରେ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନରେ ଏହାକୁ ଏତେ ସଫଳତାର ସହ ପ୍ରୟୋଗ କରାଯାଇଥିଲା ଯେ, ୨୦୦୯ ସାଧାରଣ ନିର୍ବାଚନ ବେଳକୁ ଏହା ପରିଣତ ହୋଇଥିଲା ଏକ ବଳିଷ୍ଠ ବ୍ୟବସ୍ଥାରେ। ୨୦୧୪ ସାଧାରଣ ନିର୍ବାଚନ ବେଳକୁ ଏହି ବ୍ୟବସ୍ଥା ଦେଶର ଅନ୍ୟ ଟେଲିଭିଜନ ନେଟୱର୍କ ପାଇଁ ପାଲଟି ଯାଇଥିଲା ଏକ ଚ୍ୟାଲେଞ୍ଜ। କେହି କେତେ ଚେଷ୍ଟା କଲେ ବି, ଈଟିଭିର ଟ୍ରେଣ୍ଡ୍ ସହିତ ମେଳ କରାଇପାରୁନଥିଲେ। ସମ୍ପୂର୍ଣ୍ଣ ସଠିକ୍ ତଥ୍ୟ ଯୋଗାଇବାରେ ସକ୍ଷମ ହୋଇଥିଲା ଈଟିଭି। ଈଟିଭି ନେଟୱର୍କର ବରିଷ୍ଠ ସଦସ୍ୟ ରାଜେଶ ରୈନା ପୂରା ବ୍ୟବସ୍ଥାର ତଦାରଖ କରୁଥିଲେ। ସେହିଭଳି ଈଟିଭି ଓଡ଼ିଆର ବରିଷ୍ଠ ସଦସ୍ୟ ମାୟାଧର ପ୍ରଧାନ, ଶ୍ୱେତ ସୁନ୍ଦର ସାମନ୍ତରାୟ, ଲିଙ୍ଗରାଜ ମିଶ୍ର ପ୍ରମୁଖ ନେଟୱର୍କ ସହିତ ସମନ୍ୱୟ ରକ୍ଷାକରି ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନ ବେଳକୁ ଈଟିଭି ଓଡ଼ିଆ ତାର ପ୍ରସାରଣ ବନ୍ଦ କରିସାରିଥିଲା ଏବଂ ଏହା ବଦଳରେ ଈଟିଭିର ସ୍ଥାନ ନେଇଥିଲା ନ୍ୟୁଜ୍-୧୮। ନ୍ୟୁଜ୍- ୧୮ ନେଟୱର୍କ ଆଞ୍ଚଳିକ ଓ ଜାତୀୟ ସ୍ତରରେ କାମ କରୁଥିବାରୁ ଏବଂ ଏହି ସବୁ ବର୍ଷ ଭିତରେ ହୋଇଥିବା ବୈଷୟିକ ପରିବର୍ତ୍ତନ, ନିର୍ବାଚନ ଫଳାଫଳ ସମ୍ପର୍କିତ କାର୍ଯ୍ୟକ୍ରମ ପ୍ରସ୍ତୁତିର ରୂପରେଖକୁ ବଦଳାଇ ସାରିଥିଲା। RUT- Result Updating Teamର ନାମ ପରିବର୍ତ୍ତନ ହୋଇ ପାଲଟି ଯାଇଛି ରେଜଲଟ୍ ହବ୍ (Result Hub)।୨୦୦୪ ନିର୍ବାଚନ ବେଳେ ଏହି ଲେଖକ ପାର୍ଲାମେଣ୍ଟ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଡାଟାବେସ୍ ପ୍ରସ୍ତୁତି ଲାଗି କାର୍ଯ୍ୟ କରିଥିଲା ବେଳେ ୨୦୦୯ ନିର୍ବାଚନରେ ଭୋଟଗଣତି କାର୍ଯ୍ୟକ୍ରମ ପ୍ରସ୍ତୁତିର ଦାୟିତ୍ୱ ନିର୍ବାହ କରିଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱର ଷ୍ଟୁଡିଓରେ ବରିଷ୍ଠ ରିପୋର୍ଟର ଅପୂର୍ବ ମହାନ୍ତି ନିର୍ବାଚନ ବିଶ୍ଳେଷଣକୁ ସଂଯୋଜନା ଏବଂ ଉପସ୍ଥାପନା କରୁଥିଲେ। ଏହାସହ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ ବି ଏହି ଦାୟିତ୍ୱ ନିର୍ବାହ କରିଥିଲେ। ସେହି ସମୟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ମତଦାନ ସମୟରେ ସକାଳୁ ଭୁବନେଶ୍ୱରର କୌଣସି ଏକ ବୁଥରୁ ଲାଇଭ୍ ରିପୋର୍ଟିଂ ଆରମ୍ଭ କରି, ତା ପରେ ଡିଏସ୍ଏନଜି ଭ୍ୟାନ୍ ନେଇ ଆଗକୁ ଆଗକୁ ମାଡ଼ିଯିବା ଏବଂ ବାଟରେ ପଡୁଥିବା ଜିଲ୍ଲାମାନଙ୍କରୁ ଲାଇଭ୍ ରିପୋର୍ଟିଂ କରିବା। ଏହିଭଳି ରିପୋର୍ଟିଂ ପ୍ରଥମ ଥର ପାଇଁ ହୋଇଥିଲା ଓଡ଼ିଆ ଟେଲିଭିଜନରେ। ଏହି ଦାୟିତ୍ୱ ଅତି ଦକ୍ଷତାର ସହିତ ତୁଲାଇଥିଲେ ତତ୍କାଳୀନ ଈଟିଭି ରିପୋର୍ଟର ଭବାନୀ ଶଙ୍କର ତ୍ରିପାଠୀ।କେବଳ ସେତିକି ନୁହେଁ, ଦେଶର ଅନ୍ୟାନ୍ୟ ରାଜ୍ୟରେ ହୋଇଥିବା ନିର୍ବାଚନ କଭରେଜ୍ ନିମନ୍ତେ ଈଟିଭି ଓଡ଼ିଆ ଟିମରୁ ସଦସ୍ୟମାନେ ସାମିଲ ହୋଇଥିଲେ। ରିପୋର୍ଟିଂଠାରୁ ଆରମ୍ଭ କରି ସମ୍ପୃକ୍ତ ରାଜ୍ୟର ନିର୍ବାଚନୀ ଡେସ୍କରେ କାର୍ଯ୍ୟକ୍ରମ ପରିଚାଳନା ଯାଏଁ ସବୁ କାମରେ ସେମାନେ ସାମିଲ ହୋଇଛନ୍ତି। ଶୁଭ୍ରାଂଶୁ ପଣ୍ଡା, ସ୍ମୃତି ରଞ୍ଜନ ବେହେରା, ଶ୍ରୀନିବାସ ମହାପାତ୍ର, ନୀଳାମ୍ବର ରଥ ପ୍ରମୁଖ ରାଜ୍ୟ ବାହାରକୁ ଯାଇ ଅନ୍ୟ ରାଜ୍ୟରେ ନିର୍ବାଚନ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ କଭରେଜ୍ ଦାୟିତ୍ୱ ସମ୍ଭାଳିଛନ୍ତି। ଇଏ ତ କେବଳ ପାର୍ଲାମେଣ୍ଟ ଓ ବିଧାନସଭା ନିର୍ବାଚନ ପରିଚାଳନା କଥା। ଏହା ବ୍ୟତୀତ, ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନକୁ ଅତି ଗୁରୁତ୍ୱର ସହିତ ସମସ୍ତ ସମୟ, ଶ୍ରମ, ଅର୍ଥ ଖର୍ଚ୍ଚ କରି କିଭଳି ସୁରୁଖୁରୁରେ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇ ପାରିବ, ସେହି ଉଦ୍ୟମ କରିଥିଲା ଈଟିଭି।ଚାନେଲ ଆରମ୍ଭ ହେବା ସମୟରେ ହିଁ ରାଜ୍ୟରେ ଚାଲିଥିଲା ପଞ୍ଚାୟତ ନିର୍ବାଚନ। ୨୦୦୨ ମସିହାରେ ଏହା ଥିଲା ପୂରା ଈଟିଭି ନ୍ୟୁଜ୍ ଡେସ୍କ ପାଇଁ ପ୍ରଥମ ଅଭିଜ୍ଞତା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୦୩ ପୌର ନିର୍ବାଚନ ବେଳେ ପ୍ରଥମ ଥର ପାଇଁ ନିର୍ବାଚନ କଭରେଜ୍ ସହିତ ନବନିର୍ବାଚିତ ପୌରାଧ୍ୟକ୍ଷମାନଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାରର ଏକ ସିରିଜ୍ ପ୍ରସାରଣ କରିଥିଲା ଈଟିଭି। ଏହାକୁ ଉପସ୍ଥାପନ କରୁଥିଲେ ତତ୍କାଳୀନ ଈଟିଭି ଓଡ଼ିଆର ରିପୋର୍ଟର ସତ୍ୟ ପ୍ରକାଶ ନାୟକ। ପରବର୍ତ୍ତୀ ସମୟରେ ସେ ଈଟିଭି ନ୍ୟୁଜ୍ ଓଡ଼ିଆର ସମ୍ପାଦକ ଭାବେ ଯୋଗ ଦେଇଥିଲେ।   ସେହିଭଳି ସମସ୍ତ ମହାନଗରର ନିର୍ବାଚନ ସମ୍ପର୍କିତ ଖବରର ଏକ ସ୍ୱତନ୍ତ୍ର ସେଗମେଣ୍ଟ ପ୍ରସାରିତ ହେଉଥିଲା ଈଟିଭି ମହାନଗର ବୁଲେଟିନରେ। ୨୦୦୭ର ପଞ୍ଚାୟତ ନିର୍ବାଚନ ଓ ୨୦୦୮ ପୌର ନିର୍ବାଚନକୁ ଆହୁରି ଅଧିକ ସକ୍ରିୟତାର ସହ ଉପସ୍ଥାପନ କରିଥିଲା ଈଟିଭି ଓଡ଼ିଆ। ଚାନେଲର ପ୍ରସାରଣ ସେବା ଆରମ୍ଭ ହେବା ସମୟରେ ବିଭୂତି ବିଶ୍ୱାଳ, ମୃଣାଳକାନ୍ତି ନନ୍ଦ, ରାଜଶ୍ରୀ ମହାପାତ୍ର, ନୀଳାମ୍ବର ରଥ ଆଦି ଉପସ୍ଥାପନା ଦାୟିତ୍ୱ ସମ୍ଭାଳୁଥିଲା ବେଳେ ମୌସୁମୀ ମହାନ୍ତି, ଇତିଶ୍ରୀ ନାୟକ, ସଂଗ୍ରାମ କେଶରୀ ଷଡ଼ଙ୍ଗୀ, ବିଜୟଲକ୍ଷ୍ମୀ ରଥ, ଜ୍ୟୋତି ମିଶ୍ର, ରଜନିକାନ୍ତ ମିଶ୍ର ଏବଂ ଶକ୍ତିସାଇ ମିଶ୍ରଙ୍କ ଭଳି ନ୍ୟୁଜ୍ ଆଙ୍କରମାନେ ଦ୍ୱିତୀୟ ପର୍ଯ୍ୟାୟରେ ଈଟିଭି ଓଡ଼ିଆରେ କାର୍ଯ୍ୟକ୍ରମ ପରିବେଷଣର ଦାୟିତ୍ୱ ନିର୍ବାହ କରିଥିଲେ।ନିର୍ବାଚନ ବେଳେ କେବଳ ନିର୍ବାଚନ ସମ୍ପର୍କିତ ଖବର ନୁହେଁ, ଏହା ସହିତ ଜଡ଼ିତ କିଛି ମନଛୁଆଁ ନିଆରା ଘଟଣାକୁ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନ କରାଯାଉଥିଲା। ଏହାସହ ରାଜନୈତିକ ବ୍ୟଙ୍ଗର ଏକ ଧାରା ଆରମ୍ଭ ହୋଇଥିଲା ୨୦୦୪ ସାଧାରଣ ନିର୍ବାଚନ ସମୟରେ। ପରବର୍ତ୍ତୀ ସମୟରେ ଓଡ଼ିଶାର ଅନ୍ୟ ଚାନେଲଗୁଡ଼ିକରେ ରାଜନୈତିକ ବ୍ୟଙ୍ଗ ଏବଂ ନିତିଦିନିଆ ଜୀବନର ବିଭିନ୍ନ ଘଟଣା ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ରୂପରେ ପରିବେଷଣ କରାଯିବାର ଧାରା ଆରମ୍ଭ ହୋଇଥିଲା। ଏବେ ରାଜ୍ୟରେ ୨୦ରୁ ଅଧିକ ଟେଲିଭିଜନ୍ ଚାନେଲ, ତାରି ଭିତରେ ୨୪ ଘଣ୍ଟିଆ ନ୍ୟୁଜ୍ ଚାନେଲଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଈଟିଭି ଓଡ଼ିଆ ଦ୍ୱାରା ଆରମ୍ଭ ହୋଇଥିବା ପ୍ରବାହ, ପରବର୍ତ୍ତୀ ସମୟରେ ଅନ୍ୟମାନେ ଆପଣେଇଛନ୍ତି। ଜାତୀୟ ଓ ଆଞ୍ଚଳକି ଗଣମାଧ୍ୟମରେ ଆଜି ବି ରଟ୍- Result Updating Team(RUT)ର କୌଣସି ବିକଳ୍ପ ବାହାରି ପାରିନାହିଁ।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tag: #ETVOdia #ElectionNews #ResultUpdatingTeam #DrFakirMohanNahak #JourneyofTelevisioninOdisha #ଇଲେକ୍ସନଏକ୍ସପ୍ରେସ #ଡକ୍ଟରଫକୀରମୋହନନାହାକ #ଈଟିଭିଓଡ଼ିଆ

Comment