ଓଡ଼ିଶାଲାଇଭ୍ବ୍ୟୁରୋ

ହାଇସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ସରକାର ନେଇଥିବା ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କନିଷ୍ଠ ଅଧ୍ୟାପକମାନେ। ହାଇସ୍କୁଲରେ ସେମାନେ କଲେଜ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ କୁନ୍ତୁକୁନ୍ତୁ ହେଉଛନ୍ତି। ସରକାରଙ୍କ  ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ଓଡ଼ିଶାର ୧୩ ଜିଲ୍ଲାର କନିଷ୍ଠ ଅଧ୍ୟାପକମାନେ ମେଳି ବାନ୍ଧିଲେଣି।

ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୧୩ଟି ମୁଖ୍ୟ ହାଇସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଖାଲି ଶ୍ରେଣୀ ଖୋଲାଯିବ ନାହିଁ, ଆସନ୍ତା ଶିକ୍ଷାବର୍ଷଠାରୁ ସେଠାରେ ମଧ୍ୟ ପାଠପଢା ହେବ। ଏ ସମ୍ପର୍କରେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କର ବୈଠକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଡକାଯାଇଛି।

ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବୈଠକରେ କଟକର ରେଭେନ୍ସା କଲେଜିଏଟ୍ ହାଇସ୍କୁଲ, ବିବି ହାଇସ୍କୁଲ ଢେଙ୍କାନାଳ, ପୁରୀ ଜିଲ୍ଲା ହାଇସ୍କୁଲ, ଭୁବନେଶ୍ୱରସ୍ଥ କ୍ୟାପିଟାଲ ହାଇସ୍କୁଲ, ଛତ୍ରପୁରସ୍ଥ ଅନ୍‌ସ୍ଲୋ ହାଇସ୍କୁଲ, ସରକାରୀ ହାଇସ୍କୁଲ କୋରାପୁଟ, ଭବାନୀପାଟଣା ଟାଉନ୍ ହାଇସ୍କୁଲ, ବଲାଙ୍ଗୀର ପିଆର ହାଇସ୍କୁଲ, ଫୁଲବାଣୀ ଏଜେଓ ହାଇସ୍କୁଲ, ସମ୍ବଲପୁର ଜିଲ୍ଲା ହାଇସ୍କୁଲ, ବାଲେଶ୍ୱର ଜିଲ୍ଲା ହାଇସ୍କୁଲ, ବାରିପଦା ଏମ୍‌କେସି ହାଇସ୍କୁଲ ଓ କେନ୍ଦୁଝର ଡିଏନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକମାନେ ଯୋଗଦେବେ।

ଏହି ୧୩ଟି ହାଇସ୍କୁଲରେ ସରକାର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଯୋଗଦେବାକୁ ଆସିଲା ବେଳେ ଏହି ହାଇସ୍କୁଲର ପ୍ରଧାନଶିକ୍ଷକମାନେ ନିଜ ସ୍କୁଲରେ ଥିବା ସୁବିଧା ଓ ଅସୁବିଧା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତକରି ଆଣିବାକୁ କୁହାଯାଇଛି।

Comment