ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇଦିନ ହେଲା ଲାଗି ରହିଥିବା ସୁପ୍ରିମକୋର୍ଟ ବିବାଦ ଆଜି ଟଳିଛି। ଏନେଇ ସୂଚନା ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ। ରବିବାର ବାର୍‌ କାଉନସିଲ ଅଫ୍ ଇଣ୍ଡିଆର ପ୍ରତିନିଧି ଅଭିଯୋଗ ଆଣିଥିବା ୪ ବିଚାରପତିଙ୍କୁ ଭେଟିବା ପରେ ଏହି ଦାବି କରିଛନ୍ତି ବେଣୁଗୋପାଳ।

ବିବାଦ ଟଳିବା ପରେ ଆଜି ୪ ଜଣ ବିଚାରପତି କାର୍ଯ୍ୟରେ ଯୋଗଦେଇଛନ୍ତି। ଶୁକ୍ରବାର ୪ ଜଣ ବିଚାରପତି ଗଣମାଧ୍ୟମରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ଖଣ୍ଡପୀଠକୁ କେସ୍‌ ବଣ୍ଟନରେ ସ୍ୱଚ୍ଛତା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ନ୍ୟାୟପାଳିକାରେ ଫାଟ ରହିଥିବା ଚର୍ଚ୍ଚା ହୋଇଥିଲା। ଏହି ବିବାଦର ସମାଧାନ ପାଇଁ ବାର୍‌ କାଉନସିଲ ଅଫ ଇଣ୍ଡିଆ ଅଣ୍ଟା ଭିଡ଼ିଥିଲା। ବିଚାରପତି ଚେଲାମଶ୍ବରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ବାର୍ କାଉନସିଲର ପ୍ରତିନିଧି ଦଳ।

ଭାରତୀୟ ଆଇନ୍ ଇତିହାସରେ ଶୁକ୍ରବାର ଘଟିଥିଲା ପ୍ରଥମ ଘଟଣା। ୪ ବିଚାରପତି ଗଣମାଧ୍ୟମରେ ମୁହଁ ଖୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଝଡ଼ ବହିଥିଲା। ବିଭିନ୍ନ ରାଜନୈତିକ ଦଳ ଏହାକୁ ନାପସନ୍ଦ କରିଥିଲେ। ସୁପ୍ରିମକୋର୍ଟର ପ୍ରଶାସନିକ କାର୍ଯ୍ୟ ଠିକ୍‌ରେ ଚାଲୁନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ।

Comment