ଭାସ୍କର ପରିଚ୍ଛା

ଓଡ଼ିଶାର ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୀବନକୁ ନେଇ ଏକ ପୁସ୍ତକ ଆସନ୍ତା ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଲୋକାର୍ପଣ ହେବ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ପୁସ୍ତକର ଉନ୍ମୋଚନ କରିବେ। ଖାଲି ପ୍ରଣବ ମୁଖାର୍ଜୀ ନୁହନ୍ତି ଆହୁରି ବହୁ ମାନ୍ୟଗଣ୍ୟ ନେତା ଏହି ଉତ୍ସବରେ ଯୋଗ ଦେବେ। ବିଜୁ ଜନ୍ମ ଶତବାର୍ଷିକୀର ଉଦଯାପନର ଅଂଶବିଶେଷ ଭାବରେ ଏହି କାର୍ଯ୍ୟକ୍ରମକୁ ବିଚାର କରାଯାଉଛି। ଏହା ଏକ ନିର୍ଦ୍ଦଳୀୟ କାର୍ଯ୍ୟକ୍ରମ ଓ ବିଜୁ ପଟ୍ଟନାୟକ ଶତବାର୍ଷିକୀ କମିଟି ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଛି।

ଉଲ୍ଲେଖନୀୟ ବିଷୟ ହେଲା ଯେ ଏହି ଲୋକାର୍ପଣ ଉତ୍ସବରେ ବିଜେପିର ବରିଷ୍ଠ ନେତା ତଥା ଜରୁରିକାଳୀନ ପରିସ୍ଥିତି ବେଳେ ଏକାଠି ଜେଲ କଟାଇଥିବା ଓ ପରବର୍ତ୍ତୀ ସମୟରେ ମୋରାର୍ଜୀ ଦେଶାଇଙ୍କ ମନ୍ତ୍ରୀ ମଣ୍ଡଳରେ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଥିବା ଲାଲକୃଷ୍ଣ ଆଡଭାନି ଏବଂ ସିପିଏମର ବରିଷ୍ଠ ନେତା ସୀତାରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ରହିବେ। ଏମାନଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡା ମଧ୍ୟ ଯୋଗ ଦେବେ।

ଖାଲି ସେତିକି ନୁହେଁ, ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ମଧ୍ୟ ଏହି ଲୋକାର୍ପଣ ଉତ୍ସବକୁ ଆମନ୍ତ୍ରିତ କରାଯାଇଛି। ବିରୋଧୀ ଦଳ ପକ୍ଷରୁ ଆହୁରି ଅନେକ ନେତା ମଧ୍ୟ ୨୭ ତାରିଖରେ ଭୁବନେଶ୍ୱର ଆସିବାର ସମ୍ଭାବନା ରହିଛି।

ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଏହା ମୂଳତଃ ଏକ ଚିତ୍ର ସମ୍ବଳିତ ପୁସ୍ତକ ଏବଂ ତାଙ୍କ ପିଲା ବେଳର ଓ ଯୁବକ ସମୟର ଅନେକ ଦୁର୍ଲଭ ଓ ସଧାରଣ ଲୋକଙ୍କ ଆଖିରେ ପଡ଼ିନଥିବା ଫଟୋ ଏଥିରେ ସ୍ଥାନ ପାଇଥିବା ଜଣାପଡ଼ିଛି।

ରାଜନୀତି ବିଶେଷଜ୍ଞଙ୍କ ମତରେ ବିଜୁ ପଟ୍ଟନାୟକଙ୍କ ଉପରେ ଲେଖା ହୋଇଥିବା ବହିଟିକୁ ଏତେ ବଡ଼ବଡ଼ ହସ୍ତୀଙ୍କ ଉପସ୍ଥିତିରେ  ଉନ୍ମୋଚନ କରାଇବା ଏକ ବାହାନା ମାତ୍ର। ଅସଲ ଉଦ୍ଦେଶ୍ୟ ହେଉଛି ଏହିସବୁ ନେତାଙ୍କ ଗହଣରେ ଏକ ରାଜନୈତିକ ସନ୍ଦେଶ ପଠାଇବା ପାଇଁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

କେଉଁ କେଉଁ ନେତା ଏହି ପୁସ୍ତକ ଲୋକାର୍ପଣରେ ଯୋଗ ଦେଉଛନ୍ତି ନଜର ପକାନ୍ତୁ

ଯେଉଁମାନେ ଯୋଗ ଦେଉଛନ୍ତି ସେମାନେ ସମସ୍ତେ ଅଣ-ବିଜେପି ଓ ଅଣ-କଂଗ୍ରେସ ନେତା। ଯଦିଓ ଆଡ଼ଭାନି ବିଜେପିର ଜଣେ ତୁଙ୍ଗ  ନେତା, ହେଲେ ସେ ଏବେ ଦଳରେ ବର୍ତ୍ତମାନ ଅସ୍ତାଚଳଗାମୀ। ତାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ସମସ୍ୟା ସମ୍ପର୍କରେ ସମସ୍ତେ ପ୍ରାୟ  ଅବଗତ ଅଛନ୍ତି। ଅବଶ୍ୟ ବୟସ ଦୃଷ୍ଟିରୁ  ଆଡଭାନିଙ୍କୁ ଏହି ରାଜନୈତିକ ଅନୁମାନ ଭିତରକୁ ଟାଣିବା ଠିକ୍ ନୁହେଁ, କିନ୍ତୁ ଲୋକାର୍ପଣର ସମୟ ଓ ପରିସ୍ଥିତିକୁ ଯଦି ଦେଖାଯାଏ ଆଡଭାନିଙ୍କ ଭୁବନେଶ୍ୱର ଆସିବା ନିଶ୍ଚିତ ଭାବରେ ତାତ୍ପର୍ଯ୍ୟପୂର୍ଣ୍ଣ।

ଯାହା ଆଲୋଚନା ହେଉଛି ଏହି ଲୋକାର୍ପଣ ଉତ୍ସବର ଆଉ ଏକ ଉଦ୍ଦେଶ୍ୟ ହେଲା ପିଏମ ମୋଦି ଓ ତାଙ୍କ ଦଳ ବିଜେପିକୁ ପୂର୍ବ ଭାରତରେ ପ୍ରବେଶକୁ ରୋକିବା। ନବୀନ ପଟ୍ଟନାୟକ ବରାବର କହି ଆସିଛନ୍ତି ଯେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା ରଖିବାକୁ ହେଲେ ଆଞ୍ଚଳିକ ଦଳମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବାକୁ ପଡ଼ିବ। ବିଜେପି ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶାକୁ ପୂର୍ବ ଭାରତର ଗେଟ କହି ସାରିଛନ୍ତି ଓ ଏଠି କ୍ଷମତା ହାସଲ କରିବା ପାଇଁ କୌଣସି ଉଦ୍ୟମକୁ ସେ ହାତଛଡ଼ା କରୁନାହାନ୍ତି।

ନବୀନ ପଟ୍ଟନାୟକଙ୍କ ପୂରା ଉଦ୍ୟମ ହେଉଛି ଏହି ଅବସରରେ ବିରୋଧୀ ଦଳର ଏକତାକୁ ପ୍ରମାଣିତ କରିବା ଓ ଦେଶରେ ଏକ ଅଣବିଜେପି ଓ ଅଣକଂଗ୍ରେସ ରାଜନୈତିକ ବିକଳ୍ପ ତିଆରି କରିବା। ବିଜୁ ପଟ୍ଟନାୟକ ମଧ୍ୟ ଅତୀତରେ ରାଜନୈତିକ ବିକଳ୍ପର ସୂତ୍ରଧର ଥିଲେ। ନବୀନ ପଟ୍ଟନାୟକ ଚାହୁଁଛନ୍ତି ହିନ୍ଦୀଭାଷୀ ରାଜ୍ୟ ମାନଙ୍କରେ ଯେତେସବୁ ଆଞ୍ଚଳିକ ଦଳ ଅଛନ୍ତି ସେ ସମସ୍ତଙ୍କୁ ଏକତ୍ର କରିବା। ଆହୁରି ଖବର ମିଳିଛି ଯେ  ପୁସ୍ତକ ଲୋକାର୍ପଣ ଉତ୍ସଵ ପରେ ଭୋଜନ ଓ ଆଲୋଚନା ବୈଠକର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବିଜେପି ଓ କଂଗ୍ରେସକୁ ଅଲଗା ରଖି ଦେଶରେ  କିଭଳି ତୃତୀୟ ବିକଳ୍ପ ଠିଆ କରାଯାଇପାରିବ ସେନେଇ ବିସ୍ତୃତ ଆଲୋଚନା କରାଯିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment