ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଞ୍ଜୟ ଲୀଲା ବଂଶାଲୀଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତ୍’ ଚଳଚ୍ଚିତ୍ରକୁ ନେଇ ବିବାଦ ଥମୁନି। ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ବିଭିନ୍ନ ରାଜ୍ୟ ପକ୍ଷରୁ ଧିରେ ଧିରେ ଏହାକୁ ବ୍ୟାନ୍ କରାଯାଉଛି।

କ୍ଷତି ଆଶଙ୍କା କରି ନିର୍ଦ୍ଦେଶକ ବଂଶାଲୀ ବ୍ୟାନ୍ ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆସନ୍ତାକାଲି ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ରାଜସ୍ଥାନ ଓ ଗୁଜୁରାଟରେ ଚଳଚ୍ଚିତ୍ର ରିଲିଜ୍ ହେବାକୁ ଦିଆଯିବନି ବୋଲି କୁହାଯାଇଥିବା ବେଳେ ହରିୟାଣାରେ ମଧ୍ୟ ଅନୁରୂପ ଭାବେ ରିଲିଜକୁ ମନା କରାଯାଇଛି।

‘ପଦ୍ମାବତ୍’ରେ ଇତିହାସର ବିକୃତୀକରଣ କରାଯାଇଛି ଏବଂ ଏହାଦ୍ଵାରା ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ଫିଲ୍ମ ରିଲିଜ୍ ହେବାକୁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଫିଲ୍ମଟିକୁ ସାରା ଦେଶରେ ବିଭିନ୍ନ ରାଜପୁତ୍ ଗୋଷ୍ଠୀ ବିରୋଧ କରିଆସୁଛନ୍ତି। ନିର୍ଦ୍ଦିଷ୍ଟ ଭାବେ କରଣୀ ସେନା ଏହାର ତୀବ୍ର ବିରୋଧ କରିଛି। ତେବେ ସେନ୍ସର୍ ବୋର୍ଡ ପରାମର୍ଶରେ କିଛି ଦୃଶ୍ୟକୁ ହଟାଯିବା ସହ ଏହାର ନାମକରଣ ‘ପଦ୍ମାବତୀ’ରୁ ‘ପଦ୍ମାବତ୍’କୁ ପରିବର୍ତ୍ତନ ହେବାପରେ ମଧ୍ୟ ସଙ୍କଟ ଲାଗିରହିଛି।

Comment