ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୨୦ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୭୦ ଡଲାର ଛୁଇଁବା ସମ୍ଭାବନା
  • ଭାରତରେ ପେଟ୍ରୋଲ୍ ଦର ବଢିବା ନେଇ ଚିନ୍ତା
  • ୨୦୧୯ରେ ମୋଦିଙ୍କ ପାଇଁ ହେବ ବଡ଼ ମୁଣ୍ଡ ବ୍ୟଥା!

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲ୍ ଲିଟର ପିଛା ୮୦ ଟଙ୍କା ଓ ଡିଜେଲ ୬୭ ଟଙ୍କାରେ ପହଞ୍ଚିଛି। ସେହିପରି ଗ୍ଲୋବାଲ୍ ମାର୍କେଟରେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍ ପିଛା ୭୦ ଡଲାର ପାର୍ ହୋଇଗଲାଣି। ଯଦି ତାହା ଏହି ହାରରେ ଦର ବୃଦ୍ଧି ପାଏ ତେବେ ଆଉ କିଛି ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଯିବ।

୨୦୧୨-୧୪ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଭାରତର ରାଜନୀତିରେ ଗୁରୁତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୟୁପିଏ ସରକାର ଅମଳରେ ଅନ୍ତର୍ଜାତୀୟ ବଜାରରେ ଘନ ଘନ ତୈଳ ଦର ବୃଦ୍ଧି ଯୋଗୁଁ ରାଜନୀତିରେ ମଧ୍ୟ ତା’ର ପ୍ରଭାବ ପଡିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ୨୦୧୪ ନିର୍ବାଚନରେ ବିରୋଧୀ ଦଳ ଏହି ଦରବୃଦ୍ଧିକୁ ଅନ୍ୟତମ ମୁଖ୍ୟ ଅସ୍ତ୍ର କରିଥିଲା। ଶେଷରେ କଂଗ୍ରେସକୁ ଶାସନ ଗାଦିରୁ ଯିବାକୁ ପଡ଼ିଥିଲା।

୨୦୧୪ରେ ମୋଦି ଦେଶର ଶାସନ ଭାର ହାତକୁ ନେବା ପରେ ଅଚାନକ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ମୂଲ୍ୟ ହ୍ରାସ ପାଇଥିଲା, ଯାହାକି ବିଜେପି ସରକାର ପାଇଁ ଆଣିଥିଲା ସୁବର୍ଣ୍ଣ ସୁଯୋଗ। ଏପରିକି ୨୦୧୪ ପରେ ପରେ ଏହି ଦର ବ୍ୟାରେଲ୍ ପିଛା ୧୨୫ ଡଲାରରୁ ୩୦ ଡଲାରକୁ ଖସି ଆସିଥିଲା। କିନ୍ତୁ ଅଶୋଧିତ ତୈଳର ମୂଲ୍ୟରେ ଏହି ଆଖିଦୃଶିଆ ହ୍ରାସ ତୁଳନାରେ ଭାରତରେ ପେଟ୍ରୋଲ୍ ଓ ଡିଜେଲର ମୂଲ୍ୟରେ ସେଭଳି କୌଣସି ହ୍ରାସ ଘଟିନଥିଲା।

ବିଗତ ଦିନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ଫାଇଦା ନେଇ ସରକାର ପେଟ୍ରୋଲ ଓ ଡିଜେଲ୍‌ ଦରରେ କିଛିଟା କମ୍‌ କରିଥିଲେ। ଏହାକୁ ନେଇ ମୋଦି ସରକାର ବାହାବା ନେବାକୁ ମଧ୍ୟ ପଛାଇ ନଥିଲେ। କିନ୍ତୁ ଏବେ ପରିସ୍ଥିତି ଅଣାୟତ ହେବାକୁ ଯାଉଛି। ତେଲ ଦର ବୃଦ୍ଧି ଯୋଗୁଁ ବିଜେପି ସରକାର ଅତୀତର କଂଗ୍ରେସ ସରକାର ଭଳି ଚ୍ୟାଲେଞ୍ଜର ମୁକାବିଲା ହେବା ନିଶ୍ଚିତ। ବିଶେଷକରି, ୨୦୧୮ ଶେଷ ଭାଗକୁ ଆସୁଛି ସାଧାରଣ ନିର୍ବାଚନ। ଏଭଳି ସ୍ଥିତିରେ ତୈଳ ଦର ବୃଦ୍ଧି ମୋଦି ସରକାର ପାଇଁ ଅଡୁଆ ହେବା ବେଳେ ବିରୋଧୀଙ୍କ ପାଇଁ ସୁଯୋଗ ହୋଇପାରେ।

‘ଅଚ୍ଛେ ଦିନ୍’ର ନାରା ଦେଇ ସରକାରକୁ ଆସିଥିବା ବିଜେପି ପାଇଁ ଏହି ମୂଲ୍ୟ ବୃଦ୍ଧି ୨୦୧୯ ନିର୍ବାଚନରେ ଅଗ୍ନି ପରୀକ୍ଷା ସଦୃଶ ହୋଇପାରେ।

ଗତ କିଛି ଦିନ ଧରି ଭାରତରେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ନିର୍ଦ୍ଧାରଣ କରିବା ପାଇଁ ଥିବା ନିୟମରେ ପରିବର୍ତ୍ତନ ଆସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟକୁ ଦେଖି ଏବେ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍‌ ଦରରେ ପରିବର୍ତ୍ତନ କରାଯାଉଛି। କିନ୍ତୁ ଏହା ସେଭଳି ପ୍ରଭାବଶାଳୀ ହେଉନାହିଁ। ତେଣୁ ଯଦି ଆଗାମୀ ଦିନରେ ଦେଶରେ ଯଦି ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚେ ତେବେ ଏହି ମହଙ୍ଗା ମାଡରେ ସିଧାସଳଖ ଶିକାର ହେବେ ସାଧାରଣ ଲୋକେ। ଆଉ ତା’ର ଶକ୍ତ ପ୍ରଭାବ ମଧ୍ୟ ସରକାରଙ୍କ ଉପରେ ପଡ଼ିବ।

ବିଶେଷକରି ଡିଜେଲ୍‌ ଦରରେ ବୃଦ୍ଧି ଓ ହ୍ରାସର ସିଧାସଳଖ ପ୍ରଭାବ ମଧ୍ୟ ପରିବହନ ବ୍ୟବସ୍ଥା ଉପରେ ପଡ଼ିଥାଏ। ତେଣୁ ଏହା ବିଭିନ୍ନ ଜିନିଷର ଦରଦାମ ଉପରେ ଚାପ ପକାଇଥାଏ। ଏ ବାବଦରେ କେନ୍ଦ୍ର ସରକାର ଆଜିଠାରୁ ସାବଧାନ ନହେଲେ ଆଗକୁ ପରିସ୍ଥିତି ଅଣାୟତ ହେବା ନିଶ୍ଚିତ।

Comment