ଓଡ଼ିଶାଲାଇଭ୍ ବ୍ୟୁରୋ

  • ମେ ୨୭ ପର୍ଯ୍ୟନ୍ତ ଚାଲିବ ଆଇପିଏଲ
  • ଜାନୁଆରୀ ୨୭ ଏବଂ ୨୮ ତାରିଖ ଖେଳାଳିଙ୍କ ନିଲାମ
  • ରାତି ୮ରେ ଆରମ୍ଭ ହେଉଥିବା ମ୍ୟାଚ ସନ୍ଧ୍ୟା ୭ଟାରେ
  • ଅପରାହ୍ନ ୪ଟାରେ ଆରମ୍ଭ ହେଉଥିବା ମ୍ୟାଚ ୫ଟା ୩୦ରେ ଆରମ୍ଭ

ଚଳିତ ବର୍ଷ ଏପ୍ରିଲ ୭ରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଏକାଦଶତମ ସଂସ୍କରଣ। ଏଡଇ ଫଟାଫଟ କ୍ରିକେଟ୍ ମେ ୨୭ ପର୍ଯ୍ୟନ୍ତ ଚାଲିବ।

ଆଇପିଏଲର ପ୍ରଥମ ଉଦ୍‌ଘାଟନୀ ମ୍ୟାଚ ଓ ଶେଷ ଫାଇନାଲ ଉଦ୍‌ଯାପନୀ ମ୍ୟାଚ ମୁମ୍ବଇରେ ଖେଳାଯିବ ଓ ଉଦ୍‌ଘାଟନୀ ଉତ୍ସବ ମୁମ୍ବଇରେ ଆୟୋଜିତ ହେବ ବୋଲି ଆଇପିଏଲ ପରିଚାଳନା ପରିଷଦ (ଆଇଜିସି) ସୋମବାର ଘୋଷଣା କରିଛି।

ଜାନୁଆରୀ ୨୭ ଏବଂ ୨୮ ତାରିଖ ଦୁଇ ଦିନ ବାଙ୍ଗାଲୁରୁରେ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମ ହେବ। ଏଥିରେ ୩୬୦ ଭାରତୀୟ ଖେଳାଳିଙ୍କୁ ମିଶାଇ ମୋଟ ୫୭୮ ଖେଳାଳିଙ୍କୁ ନିଲାମ ପାଇଁ ତାଲିକାଭୁକ୍ତ କରାଯାଇଛି।

ମ୍ୟାଚ୍‌ ପ୍ରସାରକ ଷ୍ଟାର ସ୍ପୋର୍ଟସର ଅନୁରୋଧକୁ ଗ୍ରହଣ କରି ମ୍ୟାଚ ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ରାତି ୮ରେ ଆରମ୍ଭ ହେଉଥିବା ମ୍ୟାଚ ସନ୍ଧ୍ୟା ୭ଟାରେ ଓ ଅପରାହ୍ନ ୪ଟାରେ ଆରମ୍ଭ ହେଉଥିବା ମ୍ୟାଚ ୫ଟା ୩୦ରେ ଆରମ୍ଭ ହେବ ବୋଲି ଆଇପିଏଲ ପରିଚାଳାନା ପରିଷଦ ବୈଠକ ପରେ ଅଧ୍ୟକ୍ଷ ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି।

ଏହି ବୈଠକରେ ପରିଚାଳନା ପରିଷଦର ସଦସ୍ୟ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଯୋଗ ଦେଇନଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ କିଙ୍ଗ୍‌ସ ଇଲେଭନ ପଞ୍ଜାବ ନିଜ ଘରୋଇ ସହର ମୋହାଲିରେ ୪ଟି ଓ ଇନ୍ଦୋରରେ ୩ଟି ମ୍ୟାଚ ଖେଳିବ। ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଥିବା ରାଜସ୍ଥାନ ରୟାଲ୍ସର ମ୍ୟାଚ୍‌ କାର୍ଯ୍ୟସୂଚୀ ଜାନୁଆରୀ ୨୪ ହାଇକୋର୍ଟଙ୍କ ଶୁଣାଣି ପରେ ଚୂଡାନ୍ତ କରାଯିବ।

Comment