ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ପଦ୍ମାବତ୍’। ଆସନ୍ତା ୨୫ ତାରିଖରେ ଦେଶର ସମସ୍ତ ପ୍ରେକ୍ଷାଳୟରେ ରିଲିଜ୍ ହେବ ଏହି ସିନେମା। ଏହି ଆଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ।

ପଦ୍ମାବତର ରିଲିଜ୍ ନେଇ ସୁପ୍ରିମକୋର୍ଟରେ ହୋଇଥିବା ସବୁ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଫିଲ୍ମ ରିଲିଜ୍ ପାଇଁ ସୁପ୍ରିମକୋର୍ଟ ସବୁଜ ସଂକେତ ଦେବା ପରେ ଏହାର ପୁନଃବିଚାର କରିବା ପାଇଁ ଆବେଦନ କରିଥିଲେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ସମେତ କେତେକ ସଂଗଠନ ।

ଆଗାମୀ ୨୫ ତାରିଖରେ ଫିଲ୍ମ ରିଲିଜ କରିବାକୁ ପ୍ରଯୋଜନା ସଂସ୍ଥା ଘୋଷଣା କରିବା ପରେ ପୁଣି ବିରୋଧ ଆରମ୍ଭ କରିଥିଲା କରଣି ସେନା । ବିଭିନ୍ନ ସହରରେ ଫିଲ୍ମର ରିଲିଜକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି କରିଛି । ଏହାରି ଭିତରେ ଫିଲ୍ମ ରିଲିଜ ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ।

କିନ୍ତୁ ସୁପ୍ରିମକୋର୍ଟ ସବୁ ଆବେଦନକୁ ଖାରଜ କରି ଫିଲ୍ମ ରିଲିଜ୍ ପାଇଁ ଅନୁମତି ଦେଇଛନ୍ତି। ସଞ୍ଜୟଲୀଲା ଭଂସାଲିଙ୍କ ଦ୍ବାରା ନିର୍ଦ୍ଦଶେିତ ଏହି ଚଳଚ୍ଚିତ୍ର ବଲିଉଡର ସବୁଠୁ ବିବାଦୀୟ ଚଳଚ୍ଚିତ୍ରର ଆଖ୍ୟା ପାଇଛି।

କାହାଣୀ ଘୋଷଣା ପରଠୁ ଲାଗିଥିବା ଏହି ବିବାଦ ରିଲିଜ୍ ହେବା ଯାଏଁ ବି ଥମିନି। ‘ପଦ୍ମାବତ୍’ରେ ଇତିହାସର ବିକୃତୀକରଣ କରାଯାଇଛି ଏବଂ ଏହାଦ୍ଵାରା ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବ୍ୟାଘାତ ଆଶଙ୍କା କରି ଫିଲ୍ମ ରିଲିଜ୍ ହେବାକୁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଫିଲ୍ମଟିକୁ ସାରା ଦେଶରେ ବିଭିନ୍ନ ରାଜପୁତ୍ ଗୋଷ୍ଠୀ ବିରୋଧ କରିଆସୁଛନ୍ତି। ନିର୍ଦ୍ଦିଷ୍ଟ ଭାବେ କରଣୀ ସେନା ଏହାର ତୀବ୍ର ବିରୋଧ କରିଛି। ତେବେ ସେନ୍ସର୍ ବୋର୍ଡ ପରାମର୍ଶରେ କିଛି ଦୃଶ୍ୟକୁ ହଟାଯିବା ସହ ଏହାର ନାମକରଣ ‘ପଦ୍ମାବତୀ’ରୁ ‘ପଦ୍ମାବତ୍’କୁ ପରିବର୍ତ୍ତନ ହେବାପରେ ମଧ୍ୟ ସଙ୍କଟ ଲାଗିରହିଛି।

Comment