ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ୨୦ ଜଣ ଆମ୍‌ ଆଦ୍‌ମୀ ପାର୍ଟି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ନକରିବାକୁ କୋର୍ଟ ନୋଟିସରେ କହିଛନ୍ତି।

ଫେବୃଆରୀ ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଅଯୋଗ୍ୟ ଘୋଷିତ ହୋଇଥିବା ୨୦ ବିଧାୟକ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସଦସ୍ୟ ପଦ ରବ୍ଦ କରିବା ଘଟଣାକୁ ଆଇନ୍ ବିରୋଧୀ ବୋଲି କହିଥିଲେ ଏହି ବିଧାୟକ।

ଗତ ରବିବାର ଆମ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଥିଲା। ନିର୍ବାଚନ କମିଶନ ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରସ୍ତାବ ଦେଇଥିଲା। ରାଷ୍ଟ୍ରପତି ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲେ।

୨୦୧୫ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୨୦ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ କରିଥିଲେ। ଏହାକୁ ସେତେବେଳେ ବିରୋଧ କରାଯାଇଥିଲା। ଏହା ସମ୍ବିଧାନ ବିରୋଧୀ ବୋଲି ସେତେବେଳେ ଅଭିଯୋଗ ହୋଇଥିଲା।

କିଏ ଏହି ୨୦ ବିଧାୟକ ?

ଅଳକା ଲାମ୍ବା: ଦିଲ୍ଲୀ ଚାନ୍ଦିନୀଚୌକର ବିଧାୟକ ଥିଲେ ଅଳକା ଲାମ୍ବା। ଏହାସହ ପର୍ଯ୍ୟଟନ ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ ଅଳକା। କଂଗ୍ରେସ ପାର୍ଟି ଛାଡ଼ି ଅଳକା ଲାମ୍ବା ଆପ୍‌ରେ ସାମିଲ୍ ହୋଇଥିଲେ।

ପ୍ରବୀଣ କୁମାର: ଜଙ୍ଗପୁରାର ବିଧାୟକ ଥିଲେ ପ୍ରବୀଣ କୁମାର। ଏହାସହ ସେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ। ସେ ବିଜେପି ପ୍ରାର୍ଥୀ ମନିନ୍ଦର ସିଂହ ଧୀରଙ୍କୁ ପରାଜିତ କରିଥିଲେ।

ଶରଦ କୁମାର: ନରେଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଶରଦ କୁମାର। ସେ ରାଜସ୍ୱ ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ।

ଆଦର୍ଶ ଶାସ୍ତ୍ରୀ: ଦ୍ୱାରକା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଜିତିଥିବା ଆଦର୍ଶ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସଂସଦୀୟ ସଚିବ ଭାବେ ନିୟୋଜିତ ହୋଇଥିଲେ।

ମଦନ ଲାଲ: କସ୍ତୁରବା ନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମଦନ ଲାଲ ସତର୍କତା ବିଭାଗ ମନ୍ତ୍ରୀଙ୍କ ସଚିବ ଥିଲେ।

ଶିବ ଚରଣ ଗୋଏଲ: ମୋତି ନଗରର ବିଧାୟକ ଏବଂ ଅର୍ଥ ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ ଶିବ ଚରଣ ଗୋଏଲ। ବିଜେପି ପ୍ରାର୍ଥୀ ସୁଭାଷ ସଚଦେବାଙ୍କୁ ସେ ପରାଜିତ କରିଥିଲେ।

ସରିତା ସିଂହ: ରୋହତାସ ନଗରର ବିଧାୟକ ଥିଲେ ସରିତା ସିଂହ। ସେ ନିଯୁକ୍ତି ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ।

ନରେଶ ଯାଦବ: ମହରୌଲିରୁ ବିଧାୟକ ହୋଇଥିବା ନରେଶ ଯାଦବଙ୍କୁ ଶ୍ରମ ମନ୍ତ୍ରୀଙ୍କ ସଂସଦୀୟ ସଚିବ କରାଯାଇଥିଲା। ସେ ବିଜେପିର ସରିତା ଚୌଧୁରୀଙ୍କୁ ପରାଜିତ କରିଥିଲେ।

ଜରନୈଲ ସିଂହ: ଦିଲ୍ଲୀ ସରକାରରେ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ ଜରନୈଲ ସିଂହ। ତିଲକ ନଗର ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ରାଜେଶ ଗୁପ୍ତା: ବଜିରପୁରର ବିଧାୟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ।

ନୀତିନ ଯୋଗୀ: ଲକ୍ଷ୍ମୀ ନଗର ବିଧାୟକ ନୀତିନ ଯୋଗୀ ଦିଲ୍ଲୀ ସରକାରଙ୍କ ମହିଳା, ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗର ସଂସଦୀୟ ସଚିବ ଥିଲେ।

ସଞ୍ଜିବ ଝା: ବୁରାଡି ବିଧାନସଭା ଆସନରୁ ବିଧାୟକ ଜିତିଥିବା ସଞ୍ଜିବ ଝା।

କୈଳାଶ ଗେହଲଟ୍: କୈଳାଶ ଗେହଲଟ୍ ପ୍ରଥମ ଥର ନଜାଫଗଡରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଆଇନ୍ ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ।

ବିଜେନ୍ଦର ଗର୍ଗ: ରାଜେନ୍ଦ୍ରନଗରରୁ ବିଧାୟକ ହୋଇଥିବା ବିଜେନ୍ଦର ଗର୍ଗ ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ।

ରାଜେଶ ଋଷି: ଜନକପୁରୀରୁ ବିଧାୟକ ନିର୍ବାଚିତ ହୋଇଥିବା ରାଜେଶ ଋଷି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ।

ଅନିଲ କୁମାର ବାଜପେୟୀ: ଛାତ୍ର ରାଜନୀତିରୁ ସକ୍ରିୟ ଥିବା ଅନିଲ କୁମାର ବାଜପେୟୀ ଗାନ୍ଧିନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ବି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସଂସଦୀୟ ସଚିବ ଥିଲେ।

ସୋମ ଦତ୍ତ: ସଦର ବଜାର ଆସନରୁ ବିଧାୟକ ଜିତିଥିବା ସୋମ ଦତ୍ତ ଦିଲ୍ଲୀ ସରକାରା ଉଦ୍ୟୋଗ ମନ୍ତ୍ରୀଙ୍କ ସଂସଦୀୟ ସଚିବ ରହିଥିଲେ।

ସୁଖବୀର ସିଂହ ଡାଲା: ମୁଣ୍ଡକା ବିଧାନସଭା ଆସନରୁ ବିଧାୟକ ଜିତିଥିବା ସୁଖବୀର ସିଂହ ଡାଲା ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ମନ୍ତ୍ରୀଙ୍କ ସଂସଦୀୟ ସଚିବ ରହିଥିଲେ।

ମନୋଜ କୁମାର: କୋଣ୍ଡଲି ବିଧାନସଭା ଆସନରୁ ବିଧାୟକ ଜିତିଥିବା ମନୋଜ କୁମାର ଖାଦ୍ୟ ମନ୍ତ୍ରୀଙ୍କ ସଂସଦୀୟ ସଚିବ ରହିଥିଲେ।

ଅବତାର ସିଂହ: କାଲକାଜି ନିର୍ବାଚନମଣ୍ଡଳୀର ବିଧାୟକ ଥିବା ଅବତାର ସିଂ ବିଜେପିର ହରମିତ ସିଂହ କାଲକାଙ୍କୁ ପରାଜିତ କରିଥିଲେ।

Comment