ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଦ ଟଲ୍‌ ମ୍ୟାନ୍‌’କୁ ଉନ୍ମୋଚିତ କରିଛନ୍ତି ଦେଶର ୪ ଜଣ ବରିଷ୍ଠ ରାଜନେତା। ଉନ୍ମୋଚନ ଉତ୍ସବରେ ଯୋଗଦେଇ ବିଜୁବାବୁଙ୍କ ସାଥୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡା ଭାରତ ରତ୍ନ ସମ୍ମାନ କଥା ଉଠାଇଛନ୍ତି। ବିଜୁ ପଟ୍ଟନାୟକ ଭାରତ ରତ୍ନ ସମ୍ମାନ ପାଇଁ ହକ୍‌ଦାର ଥିଲେ ବୋଲି ଦେବେଗୌଡା କହିଛନ୍ତି।

“ବିଜୁ ପଟ୍ଟନାୟକ ଥିଲେ ଜାତୀୟ ସ୍ତରର ନେତା। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଥିଲା ଅନନ୍ୟ। ଭାରତର ରାଜନୀତିରେ ସେ ଥିଲେ କିଙ୍ଗ୍‌ ମେକର। ଏହାସହ ସେ ସଫଳ ପ୍ରଶାସକ ମଧ୍ୟ ଥିଲେ। ଓଡ଼ିଶାର ଯାହା ବିକାଶ ହୋଇଛି ତାହା କେବଳ ବିଜୁବାବୁଙ୍କ ପାଇଁ ସମ୍ଭବ ହୋଇଛି। ଏଭଳି ଜଣେ ମହାନ୍ ନେତା ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପୁରସ୍କାର ପାଇବା ପାଇଁ ହକ୍‌ଦାର ଥିଲେ”, କହିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜୁବାବୁଙ୍କ ସହଯୋଗୀ ଏଚ୍‌ ଡି ଦେବେଗୌଡା।

ଦେବେଗୌଡାଙ୍କ ଏହି ମନ୍ତବ୍ୟ ପରେ ପୁଣିଥରେ ‘ଭାରତ ରତ୍ନ’ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦେବେଗୌଡା ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଜୁବାବୁ ଉଦ୍ୟମ କରିଥିଲେ। ତାଙ୍କ ସମୟରେ ହିଁ ଓଡ଼ିଶାରେ ଶିଳ୍ପ ବିପ୍ଲବ ହୋଇଥିଲା। ବିଭିନ୍ନ ଶିଳ୍ପାନୁଷ୍ଠାନ ଓଡ଼ିଶାରେ ମୁଣ୍ଡ ଟେକିଥିଲା। ବିଜୁବାବୁଙ୍କ ନେତୃତ୍ୱରେ ଓଡ଼ିଶା ନୂଆ ଦିଶା ପାଇଥିଲା।

“ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହୋଇଥିଲି ସେତେବେଳେ ବିଜୁବାବୁଙ୍କ ସମର୍ଥନ ମୋ ପଛରେ ଥିଲା”, କହିଛନ୍ତି ଦେବେଗୌଡା।

ବିଜୁବାବୁଙ୍କୁ ‘ଭାରତ ରତ୍ନ’ ସମ୍ମାନ ଦେବା ପାଇଁ ବିଗତ ଦିନରେ ପ୍ରସ୍ତାବ ଦିଆଯାଇଥିଲା। ବିଜେଡି ପକ୍ଷରୁ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ବିଜୁବାବୁଙ୍କୁ ଏହି ସମ୍ମାନ ମିଳିପାରିନାହିଁ। ବିଜୁଙ୍କ ସହଯୋଗୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡା ‘ଦ ଟଲ୍‌ ମ୍ୟାନ୍‌’ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଭାରତ ରତ୍ନ ପ୍ରସଙ୍ଗ ଉଠାଇ ପୁଣିଥରେ ରାଜ୍ୟ ରାଜନୀତିକୁ ତାଜା କରିଛନ୍ତି।

ଜନନେତା ଥିଲେ ବିଜୁବାବୁ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ଜନନାୟକ। ସେ ଥିଲେ ଜାତୀୟ ସ୍ତରର ନେତା। ବିଜୁବାବୁ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ”, ଦ ଟଲ୍‌ ମ୍ୟାନ୍ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।

ଶ୍ରୀ ମୁଖାର୍ଜୀ ଆହୁରି କହିଥିଲେ ଯେ, ବିଜୁବାବୁଙ୍କ ଜୀବନ ଉପରେ ଆଧାରିତ ପୁସ୍ତକକୁ ଉନ୍ମୋଚନ କରି ମୁଁ ଗର୍ବ ଅନୁଭବ କରୁଛି। ମୁଁ ଯେତେବେଳେ ବି ଓଡ଼ିଶା ଆସେ ସେତେବେଳେ ମୁଁ ବିଜୁବାବୁଙ୍କୁ ମନେପକାଏ। ବିଜୁବାବୁଙ୍କଠାରୁ ମୋ ପତ୍ନୀ ଅନେକ ପ୍ରେରଣା ପାଇଛନ୍ତି।

ସବୁକ୍ଷେତ୍ରରେ ବିଜୁବାବୁଙ୍କର ଦକ୍ଷତା ଥିଲା।  ତାଙ୍କ ଦୂରଦ୍ରଷ୍ଟା ଏବଂ ନେତୃତ୍ବ ପାଇଁ ଓଡ଼ିଶା ଆଜି ବିକାଶ ପଥରେ ଆଗେଇ ଚାଲିଛି। ସେ ଥିଲେ ଆଧୁନିକ ଓଡ଼ିଶାର ସ୍ରଷ୍ଟା। ଇଣ୍ଡୋନେସିଆ ଏବଂ କାଶ୍ମୀରରେ ସେ ବୀରତ୍ୱର ପରିଚୟ ଦେଇଥିଲେ। ସେ ହେଉଛନ୍ତି ଭାରତର ଉପଯୁକ୍ତ ଦାୟଦ ବୋଲି ଶ୍ରୀ ମୁଖାର୍ଜୀ କହିଛନ୍ତି।

“ଓଡ଼ିଶାରେ ଶିଳ୍ପ ବିକାଶରେ ବିଜୁବାବୁଙ୍କ ଅନେକ ଅବଦାନ ରହିଛି। ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ। ଭୁବନେଶ୍ୱର ବିମାନ ବନ୍ଦର, ଅନୁଗୁଳରେ ନାଲ୍‌କୋ, ତାଳଚେରରେ ଥର୍ମାଲ ପାୱାର ଷ୍ଟେସନ, ସୁନାବେଡ଼ାରେ ଏରୋନେଟିକ୍ ଲିମିଟେଡ ଏବଂ ପାରାଦୀପ ବନ୍ଦର ବିଜୁବାବୁଙ୍କ ପାଇଁ ସଫଳ ହୋଇଛି। ତାଙ୍କୁ ଆଧୁନିକ ଓଡ଼ିଶାର ବିନ୍ଧାଣୀ କହିଲେ କିଛି ଭୁଲ୍‌ ହେବନାହିଁ”, କହିଛନ୍ତି ପ୍ରଣବ ମୁଖାର୍ଜୀ।

ବିଜୁବାବୁଙ୍କୁ ଆଜି ବି ଓଡ଼ିଶାବାସୀ ଭଲ ପାଉଛନ୍ତି

ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଜେପିର ବରିଷ୍ଠ ନେତା ତଥା ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି ଭାବବିହ୍ବଳ ଭାଷଣ ଦେଇଛନ୍ତି। ଆଜିର ଉତ୍ସବକୁ ଏକ ନିଆରା କାର୍ଯ୍ୟକ୍ରମ ଭାବେ ସେ ତୁଳନା କରିଛନ୍ତି।

ଆଡଭାନି କହିଛନ୍ତି, “ଜୀବନରେ ବହୁ ପୁସ୍ତକ ଉନ୍ମୋଚନ କରିଛି। ହେଲେ ଆଜିର ପରିବେଶ କେଉଁଠି ଦେଖିନି। ବିଜୁବାବୁଙ୍କ ପୁସ୍ତକ ଉନ୍ମୋଚନ ବେଳେ ଯେଉଁ ଆନନ୍ଦ ମିଳିଛି ତାହା ଅନ୍ୟ କେଉଁ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୋତେ ମିଳିନି। ବିଜୁ ପଟ୍ଟନାୟକଙ୍କୁ ଆଜି ବି ଓଡ଼ିଶାବାସୀ ବହୁତ ସମ୍ମାନ ଓ ଭଲପାଇବା ଦେଉଛନ୍ତି।”

ଆଧୁନିକ ଓଡ଼ିଶାର ବିନ୍ଧାଣୀ

ବିଜୁ ପଟ୍ଟନାୟକଙ୍କୁ ଆଧୁନିକ ଓଡ଼ିଶାର ବିନ୍ଧାଣୀ ବୋଲି କହିଛନ୍ତି ସିପିଆଇ(ଏମ୍‌)ର ବରିଷ୍ଠ ନେତା ସୀତାରାମ ୟେଚୁରୀ। ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଶ୍ରୀ ୟେଚୁରୀ କହିଲେ, “ମୁଁ ପିଲାଟି ଦିନରୁ ବିଜୁବାବୁଙ୍କୁ ରାଜନୀତିରେ ଦେଖି ଆସୁଛି। ତାଙ୍କ ବୀରତ୍ବର ଗାଥା ଶୁଣି ଆମେ ବଡ଼ ହୋଇଛୁ। ସେ ଏକାଧାରାରେ ସ୍ୱାଧୀନତା ସଂଗ୍ରାମୀ, ଜନନେତା ଏବଂ ଉଦ୍ୟୋଗୀ ଥିଲେ। ତାଙ୍କ ସମୟରେ ଓଡ଼ିଶା ନୂଆ ପରିଚୟ ପାଇଛି।”

ବିଜୁଙ୍କ ବୀରତ୍ୱ ଗାଥା କେବଳ ଭାରତରେ ନୁହେଁ, ଇଣ୍ଡୋନେସିଆର ଇତିହାସରେ ଲିପିବଦ୍ଧ ହୋଇ ରହିଛି। କାଶ୍ମୀର ସଂଗ୍ରାମରେ ବିଜୁବାବୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଲୋକଙ୍କ ସହ ମିଶୁଥିଲେ। ବିଜୁବାବୁ ସବୁବେଳେ ନେତା ତିଆରି କରିବା ସହ ନୀତି ଉପରେ ବିଶ୍ୱାସ କରୁଥିଲେ। ଦେଶ ଏବେ ନେତା ନୁହେଁ, ନୀତି ଦରକାର କରୁଛି ବୋଲି ଶ୍ରୀ ୟେଚୁରୀ କହିଛନ୍ତି।

ଦୃଢ଼ ନିଷ୍ପତ୍ତି ନେବାରେ ପାରଙ୍ଗମ ଥିଲେ ବିଜୁବାବୁ

‘ଦ ଟଲ୍‌ ମ୍ୟାନ୍‌’ ପୁସ୍ତକକୁ ସମୀକ୍ଷା କରି ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲା ବିଜୁବାବୁଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ସ୍ୱାଧୀନତା ସଂଗ୍ରାମରୁ ରାଜନୀତି ପର୍ଯ୍ୟନ୍ତ ସେ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବତାରଣା କରିଥିଲେ। ସେ ବିଜୁବାବୁଙ୍କୁ ଜାତୀୟବାଦୀ ନେତା ବୋଲି କହିଥିଲେ।

“ବିଜୁ ପଟ୍ଟନାୟକ ଅନେକ ଇତିହାସ ସୃଷ୍ଟି କରିଛନ୍ତି। ସେ ଥିଲେ ଦେଶଭକ୍ତ, ସଂଗ୍ରାମୀ ଏବଂ ଉଦ୍ୟୋଗୀ। ତାଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି କୁହାଯାଏ। ସେ ଜଣେ ଜାତୀୟବାଦୀ ନେତା ଥିଲେ। ତାଙ୍କ ମନରେ ଭୟ ନଥିଲା। ଦୃଢ଼ ନିଷ୍ପତ୍ତି ନେବାରେ ସେ ପାରଙ୍ଗମ ଥିଲେ। କଂଗ୍ରେସ ଏବଂ ଜନତା ଦଳ ରାଜନୀତିରେ ସେ ମୁଖ୍ୟ କେନ୍ଦ୍ରବିନ୍ଦୁ ସାଜିଥିଲେ”, କହିଛନ୍ତି ପ୍ରଭୁ ଚାୱଲା।

ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ଅଟଳବିହାରୀ ବାଜପେୟୀଙ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କର ପ୍ରିୟ ଥିଲେ। ହେଲେ ବିଜୁବାବୁଙ୍କ ପ୍ରତି ଅବହେଳା କରାଯାଇଛି ବୋଲି ଶ୍ରୀ ଚାୱଲା କହିଛନ୍ତି।

ବିଜୁବାବୁ ଥିଲେ ବିରାଟ ଇନଷ୍ଟିଚ୍ୟୁସନ୍

ବିଜବାବୁ ସାଧାରଣ ଲୋକ ନଥିଲେ। ସେ ଥିଲେ ବିରାଟ ଇନଷ୍ଟିଚ୍ୟୁସନ୍। ଜାତି, ଧର୍ମ, ବର୍ଣ୍ଣଠାରୁ ସେ ଥିଲେ ଊର୍ଦ୍ଧ୍ବରେ। କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରକୁ ସେ ସମୃଦ୍ଧ କରିଛନ୍ତି। ଓଡ଼ିଶାକୁ ନୂତନ ଭାବେ ଗଢ଼ିବାରେ ବିଜୁବାବୁଙ୍କ ଅବଦାନ ଥିଲା ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଉତ୍ସବରେ ସଭାପତିତ୍ୱ କରିବା ସହ ଆମନ୍ତ୍ରିତ ଅତିଥିଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ।

Comment