ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଜିଏସ୍‌ଟି ଓ ବିମୁଦ୍ରାକରଣ ପରେ କରଦାତାଙ୍କ ସଂଖ୍ୟା ସହ ଲୋକଙ୍କ ସଞ୍ଚୟ ମଧ୍ୟ ବଢ଼ିଥିବା ରିପୋର୍ଟରୁ ଜଣାପଡ଼ିଛି। ଏହାସହ ଟିକସ ଦେଉଥିବା ଲୋକଙ୍କ ସଂଖ୍ୟା ପରୋକ୍ଷ ଭାବେ ୫୦ ପ୍ରତିଶତ ବୃଦ୍ଧିପାଇଛି ବୋଲି ଉଲ୍ଲେଖ କରାଯାଇଛି।

ଜିଏସ୍‌ଟି ଉପରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗୁରୁତ୍ବାରୋପ କରାଯାଇଛି। ଭାରତୀୟ ଅର୍ଥନୀତିକୁ ଜିଏସ୍‌ଟି ନୂଆ ଦିଗ ଦେଇଛି ଏବଂ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଜିଡିପି ୭ରୁ ୭.୫ ବଢ଼ିବ ବୋଲି ରିପୋର୍ଟ ଆକଳନ କରିଛି। ଭାରତୀୟ ଅର୍ଥନୀତି ପୁଣି ଟ୍ରାକ୍‌କୁ ଫେରିବ ବୋଲି ଆଶା କରାଯାଉଛି।

ଏହାସହ ସନ୍ତାନ ଜନ୍ମ ଉପରେ ଭାରତୀୟଙ୍କ ମାନସିକତାକୁ ନେଇ ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇଛି। ଅଧିକାଂଶ ଭାରତୀୟଙ୍କ ପୂତ୍ର ସନ୍ତାନ ମୋହ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ସର୍ଭେ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ପୂତ୍ରମୋହ ଦୂର କରିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯିବା ଦରକାର ବୋଲି ପରାମର୍ଶ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଏକ ସୁଦୂରପ୍ରସାରୀ ପଦକ୍ଷେପ ବୋଲି ସର୍ଭେ ରିପୋର୍ଟ କହିଛି।

Comment