ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୩-୨୪ରେ ଓଡ଼ିଶା ୮.୫ ପ୍ରତିଶତ ହାରରେ ବିକାଶ କରିବ 
  • ଓଡ଼ିଶାରେ ଜିଡିପି ଅଭିବୃଦ୍ଧିର ହାର ଜାତୀୟ ହାରଠାରୁ ଅଧିକ
  • ଓଡ଼ିଶାର ପ୍ରତି ବ୍ୟକ୍ତି ମୁଣ୍ଡ ପିଛା ଆୟ ଦେଢ଼ ଲକ୍ଷ ଟଙ୍କା ପାର କରିଛି

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆସିବା ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ। ଏହି ରିପୋର୍ଟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ବିକାଶ ଦର ୭.୮ ପ୍ରତିଶତ ରହିବ। ସେହିଭଳି ୨୦୨୪ରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ହାରରେ ବଢ଼ିବ ବୋଲି ଆକଳନ କରାଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ବିଧାନସଭାରେ ଏହି ଆର୍ଥିକ ସର୍ବେକ୍ଷଣ ରିପୋର୍ଟକୁ  ଉପସ୍ଥାପନ କରିଛନ୍ତି।

ଏହି ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ବିକାଶ ହାର ଭାରତ ତୁଳନାରେ ଅଧିକ ରହିଥିବାର କୁହାଯାଇଛି। ରିପୋର୍ଟ ଅନୁସାରେ ଓଡ଼ିଶାବାସୀଙ୍କ ପ୍ରତି ବ୍ୟକ୍ତି ମୁଣ୍ଡପିଛା ଆୟ ବଢ଼ି ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କାରେ ପହଞ୍ଚିଛି। ୨୦୧୫- ୧୬ରେ ଏହା ୬୪ ହଜାର ୮୩୫ ଟଙ୍କା ଥିଲା। ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ୧୦.୯ ପ୍ରତିଶତ ହାରରେ ବଢ଼ିଛି।

ରିପୋର୍ଟ ଅନୁସାରେ ୨୦୨୨ ଡିସେମ୍ବର ସୁଦ୍ଧା ଓଡ଼ିଶାର ମୁଦ୍ରାସ୍ପୀତି ୬.୫୬ ପ୍ରତିଶତ ରହିଛି। ଏହା ୨୦୨୧-୨୨ରେ ୩.୭ ପ୍ରତିଶତ ରହିଥିଲା। ରୁଷ- ୟୁକ୍ରେନ ଯୁଦ୍ଧ, ତୈଳ ଦର ବୃଦ୍ଧି ଓ ବିଶ୍ଵରେ ସୃଷ୍ଟି ହୋଇଥିବା ଯୋଗାଣ ସମସ୍ୟା ପାଇଁ ମୁଦ୍ରାସ୍ପୀତି ବଢ଼ିଥିବା ରିପୋର୍ଟରେ କୁହାଯାଇଛି।

ଓଡ଼ିଶାର ପ୍ରାୟ ୪୭ ପ୍ରତିଶତ ଲୋକ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ। ରାଜ୍ୟର ଅର୍ଥନୀତିରେ ଏହା ୨୨.୫ ପ୍ରତିଶତ ଯୋଗଦାନ ଦେଉଛି ରିପୋର୍ଟ ଆନୁସାରେ ରାଜ୍ୟର କୃଷି କ୍ଷେତ୍ରର ବିକାଶ ହର ୬ ପ୍ରତିଶତ ରହିଛି। ଏହା ଜାତୀୟ ହାରରୁ ପ୍ରାୟ ୨ଗୁଣ ଅଧିକ ରହିଛି ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୬୭ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା କରାଯାଇଛି।

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୨୦୨୨-୨୩ରେ ରାଜ୍ୟରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୬.୦୫ ପ୍ରତିଶତ ରହିଛି। ସେହିଭଳି ଓଡ଼ିଶାର ସେବା କ୍ଷେତ୍ର ୮.୭୯ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ସେବା କ୍ଷେତ୍ର ଓଡ଼ିଶାର ଅର୍ଥନୀତିରେ ୩୬.୨ ପ୍ରତିଶତ ଯୋଗଦାନ କରୁଛି।

ଓଡ଼ିଶାର ବେକାରି ହାର ୫.୩ ପ୍ରତିଶତ ରହିଛି। ଏହା ଭାରତର ବେକାରି ହାର ତୁଳନାରେ କମ ବୋଲି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ଲୋକମାନଙ୍କ କାମଧନ୍ଧାରେ ଅଂଶଗ୍ରହଣ ହାର ୫୬.୫ ପ୍ରତିଶତ ରହିଛି। ଶ୍ରମ କ୍ଷେତ୍ରରେ ଓଡ଼ିଶାର ମହିଳାମାନଙ୍କ କାର୍ଯ୍ୟରେ ଅଂଶଗ୍ରହଣ ହାର ୩୩.୨ ପ୍ରତିଶତ ରହିଛି।

ଓଡ଼ିଶାର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ପ୍ରତିବର୍ଷ ବଜେଟ ପୂର୍ବଦିନ ବିଧାନସଭାରେ ଉପସ୍ଥାପନ କରାଯାଏ। ଏହାକୁ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏହାକୁ ପ୍ରସ୍ତୁତ କରିଥାଏ।

Tags: #Budget2023-24 #OdishaEconomicSurvey #StateGDP #FinanceMinister #NiranjanPujari #OdishaAssembly #Bhubaneswar #Odisha

Comment