ନୀଳାମ୍ବର ରଥ, ଅଭିଷେକ ରାୟ ଏବଂ ସଙ୍ଗୀତା ମାନସିଂହ

ଅର୍ଥ ମନ୍ତ୍ରୀ ଆଜି କେନ୍ଦ୍ର ବଜେଟ୍‌ରେ ବ୍ୟକ୍ତିଗତ ଆୟକର ଉପରେ ଏକ ବିଶେଷ ଘୋଷଣା କରିଛନ୍ତି। ନୂଆ ବଜେଟ୍ ଅନୁଯାୟୀ ଏବେ ବ୍ୟକ୍ତିଗତ ଆୟକାରୀଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି କର ଦେବାକୁ ପଡ଼ିବ ନାହିଁ। ନୂଆ ଆୟକର ବ୍ୟବସ୍ଥା ବା ନିଉ ଟ୍ୟାକ୍ସ ରେଜିମ୍ ଲାଗି ଏହି ଘୋଷଣା କରାଯାଇଛି ଅର୍ଥାତ୍ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କ୍ଷେତ୍ରରେ ଯେଉଁ ରିବେଟ୍ ଲାଗୁ ହେଉଥିଲା ଏବେ ତାହା ୭ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି।

ତେବେ କେବଳ ନୂଆ ଆୟକର ହିସାବ ବା ରେଜିମ୍ ଲାଗି ଏହା ଲାଗୁ ହେବ। ଅର୍ଥାତ ପୁରୁଣା ଟ୍ୟାକ୍ସ ରେଜିମରେ ଆୟକର ରିହାତି ସୀମା ଏବଂ ସ୍ଳାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସେହିପରି ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ ବାର୍ଷିକ ୭ ଲକ୍ଷ ଟଙ୍କାରୁ ଅଧିକ ଆୟକାରୀଙ୍କ କ୍ଷେତ୍ରରେ ୬ଟି ଟ୍ୟାକ୍ସ ସ୍ଲାବ୍ ଘୋଷଣା କରାଯାଇଛି।

ନୂଆ ଆୟକର ସ୍ଲାବ୍

ସେହିପରି ଆଗରୁ ଆୟକରଦାତାମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ରହିଥିଲା ୫୦ ହଜାର ଟଙ୍କା। ଚଳିତ ବଜେଟ୍‌ରେ ଏହାକୁ ୫୨ ହଜାର ୫୦୦ ଟଙ୍କାକୁ ଏହାକୁ ବୃଦ୍ଧି କରାଯାଇଛି। କୌଣସି ଆୟକରଦାତାଙ୍କ କ୍ଷେତ୍ରରେ ତାଙ୍କର ବାର୍ଷିକ ମୋଟ ଆୟରୁ ପ୍ରଥମେ ଏହି ପରିମାଣକୁ ବାଦ୍ ଦେଇ ଆୟକର ହିସାବ କରାଯାଇଥାଏ।

ପୁରୁଣା ଟିକସ ହିସାବ ବ୍ୟବସ୍ଥାରେ ଜଣେ ଆୟକରଦାତାଙ୍କୁ ବିଭିନ୍ନ ସଞ୍ଚୟ, ସ୍ଵାସ୍ଥ୍ୟ ବୀମା, ଗୃହ ଋଣ ବାବଦ ସୁଧ ଇତ୍ୟାଦି ଉପରେ ଆୟକର ନିୟମ ଅନୁଯାୟୀ ସ୍ଵତନ୍ତ୍ର ଛାଡ଼ ମିଳିଥାଏ। ଆୟକର ଧାରାର ସେକ୍ସନ ୮୦ସି ଅନୁଯାୟୀ ବିଭିନ୍ନ ଦୀର୍ଘକାଳୀନ ନିବେଶ (ଯେପରିକି ଜୀବନ ବୀମା, ଇପିଏଫ୍, ପିପିଏଫ୍, ଇଏଲଏସଏସ୍, ଗୃହ ଋଣ ବାବଦ ମୂଳ ପରିଶୋଧ ବାବଦ, ପିଲାଙ୍କ ପାଠପଢ଼ା ଲାଗି ଟ୍ୟୁସନ୍ ଫି’ ବାବଦ) ଉପରେ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଆୟକର ଲାଗୁ ହୋଇନଥାଏ। ଚଳିତ ବଜେଟ୍‌ରେ ଅର୍ଥ ମନ୍ତ୍ରୀ ଏ ବିଷୟରେ ପରିବର୍ତ୍ତନର କୌଣସି ସୂଚନା ଦେଇନାହାନ୍ତି। ଏହା ଛଡ଼ା ନିଜର ତଥା ପିତାମାତାଙ୍କ ସ୍ଵାସ୍ଥ୍ୟ ବୀମା ଲାଗି ପୁରୁଣା ଆୟକର ହିସାବ ବା ରେଜିମ୍‌ରେ ବ୍ୟବସ୍ଥା ରହିଛି।

କିନ୍ତୁ ନୂଆ ଆୟକର ହିସାବରେ ଜଣେ ଆୟକରଦାତାଙ୍କୁ କୌଣସି ପ୍ରକାର ନିବେଶ ବା ବୀମା ଆଦି ଉପରେ କୌଣସି ଆୟକର ରିହାତି ମିଳିବ ନାହିଁ। ଅତଏବ, ଯେଉଁ ଭାରତୀୟମାନେ ବିଭିନ୍ନ ୮୦ସି ଅଧୀନରେ ବିଭିନ୍ନ ଜମା ବା ନିବେଶ କରି ଆସୁଛନ୍ତି ସେମାନେ ନୂତନ ଆୟକର ଢାଞ୍ଚାରେ ହିସାବ କଲେ ବା ନୂଆ ରେଜିମ୍‌ରେ ଗଲେ ଏ ବାବଦରେ କୌଣସି ବିଶେଷ ଫାଇଦା ପାଇପାରିବେ ନାହିଁ।

ସେହିପରି ନିର୍ମଳା ସୀତାରମଣ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। ୨୦୨୦ ବଜେଟ୍‌ରେ କେନ୍ଦ୍ର ସରକାର ପୁରୁଣା ସହ ନୂଆ ଆୟକର ହିସାବ ବ୍ୟବସ୍ଥା ଲାଗୁ କରିଥିଲେ। ଜଣେ ଆୟକରଦାତା ନିଜ ଆଗ୍ରହ ଅନୁଯାୟୀ ପୁରୁଣା କିମ୍ବା ନୂଆ ହିସାବ ବା ଟ୍ୟାକ୍ସ ରେଜିମ୍ ବ୍ୟବହାର କରିପାରିବେ। କିନ୍ତୁ ଚଳିତ ବଜେଟରେ ନିଉ ଟ୍ୟାକ୍ସ ରେଜିମ୍ ଅନୁଯାୟୀ କର ହିସାବ କରିବାକୁ ଆୟକରଦାତାମାନଙ୍କୁ ସରକାର ଉତ୍ସାହିତ କରିବେ। ଏଥିପାଇଁ ଆୟକର ପୈଠ ବେଳେ ନିଉ ଟ୍ୟାକ୍ସ ରେଜିମ୍‌କୁ ଆୟକର ବିଭାଗର ପୋର୍ଟାଲରେ ‘ଡିଫଲ୍ଟ’ ସେଟିଂ ଭାବେ ରଖାଯିବ। ତେବେ କୌଣସି ଆୟକରଦାତା ପୁରୁଣା ହିସାବ ବ୍ୟବସ୍ଥା ଅନୁଯାୟୀ ଚାହିଁଲେ ‘ଓଲଡ୍ ରେଜିମ୍’ ଅନୁଯାୟୀ ନିଜର କର ହିସାବ କରି ପୈଠ କରିପାରିବେ।

ଚଳିତ ବଜେଟ୍‌ରେ ବରିଷ୍ଠ ନାଗରିକମାନଙ୍କୁ ପାଇଁ ସେଭଳି କୌଣସି ବିଶେଷ ରିହାତି ବା ସୁବିଧା ଘୋଷଣା କରାଯାଇ ନାହିଁ। ବରିଷ୍ଠ ନାଗରିକ ସଞ୍ଚୟ ସ୍କିମର ସର୍ବାଧିକ ସୀମାକୁ ୧୫ ଲକ୍ଷରୁ ୩୦ ଲକ୍ଷକୁ ବୃଦ୍ଧି କରାଯିବାକୁ କୁହାଯାଇଛି।

ସରକାରୀ ଚାକିରିରୁ ଅବସର ନେଉଥିବା କର୍ମଚାରୀମାନେ ସେମାନଙ୍କର ବଳକା ଛୁଟି (ଲିଭ୍ ଏନକ୍ୟାସମେଣ୍ଟ) ବାବଦରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାପ୍ତି ଉପରେ ଆୟକର ଛାଡ଼ ରହିଥିଲା। ଚଳିତ ବଜେଟରେ ଏହାକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅଧିକ ଆୟକାରୀ ବର୍ଗଙ୍କ ଲାଗି ସରକାର ଅତିରିକ୍ତ କର ଉପରେ କିଛିଟା ରିହାତି ଘୋଷଣା କରିଛନ୍ତି। ବାର୍ଷିକ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯେଉଁ ଅତିରିକ୍ତ କର ୩୭ ପ୍ରତିଶତକୁ କମାଇ ୨୫ ପ୍ରତିଶତ କରାଯାଇଛି। ତେବେ ଏହି ବ୍ୟବସ୍ଥା କେବଳ ଆୟକରର ନୂଆ ରେଜିମ୍ ଅନୁଯାୟୀ ଲାଗୁ ହେବ। ପୂର୍ବରୁ ବାର୍ଷିକ ଦୁଇ କୋଟିରୁ ୫ କୋଟି ମଧ୍ୟରେ ଆୟକାରୀଙ୍କ କ୍ଷେତ୍ରରେ ୨୫ ପ୍ରତିଶତ ଅତିରିକ୍ତ କର ଲାଗୁ ହେଉଥିଲା।

ମୋଟାମୋଟି ଭାବେ ଦେଖିବାକୁ ଗଲେ ନିର୍ମଳା ସୀତାରମଣଙ୍କ ଚଳିତ ବଜେଟ ଅନୁଯାୟୀ ଭାରତୀୟ ଆୟକରଦାତାଙ୍କୁ ବିଶେଷ ଫାଇଦା ମିଳିବାର ନାହିଁ। କାରଣ ଆପଣ ଯଦି ନୂଆ ରେଜିମ୍ ଅନୁଯାୟୀ ନିଜର ଆୟକର ହିସାବ କରନ୍ତି ଏବଂ ଆପଣଙ୍କ ବାର୍ଷିକ ଆୟ ୭ଲକ୍ଷ ଟଙ୍କା ମଧ୍ୟରେ ସୀମିତ ଥାଏ ତେବେ ଆପଣଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। କିନ୍ତୁ ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ଗଲେ ଆପଣ ବିଭିନ୍ନ ଅନୁମୋଦିତ ସ୍ଵଳ୍ପ ସଞ୍ଚୟ, ନିବେଶ, ଗୃହ ଋଣ ବାବଦ ପୈଠ ଇତ୍ୟାଦି ଉପରେ କୌଣସି ରିହାତି ପାଇବେ ନାହିଁ। ତେଣୁ ପୁରୁଣା ଏବଂ ନୂଆ ରେଜିମ୍ ମଧ୍ୟରେ ଆଉ ବିଶେଷ ଫରକ ରହିବ ନାହିଁ।

ସୀତାରମଣଙ୍କ ଏହି ପେଞ୍ଚ ବୁଝିଲା ବେଳକୁ ଆୟକରଦାତାଙ୍କ ମଧ୍ୟରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିବେଟ୍ ଶୁଣି ଯେଉଁ ଖୁସି ସୃଷ୍ଟି ହୋଇଥିଲା ତାହା ହୁଏତ ଫିକା ପଡ଼ିଯାଇପାରେ।

Tags: #Unionbudget2023 #FY2023-24 #TaxRebate #FinanceMinister #NirmalaSitharaman #Parliament #India

 

Comment