ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାକାଶରେ ଦେଖିବାକୁ ମିଳିଛି ମହାଜାଗତିକ ଦୃଶ୍ୟ। ଗୋଟିଏ ଦିନରେ ବ୍ଲଡମୁନ୍, ସୁପର ମୁନ୍ ଏବଂ ବ୍ଲୁ ମୁନ୍ ଦେଖିବାକୁ ମିଳିଥିବାରୁ ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି ‘ସୁପର୍ ବ୍ଲୁ ବ୍ଲଡ ମୁନ୍‌’। ୧୫୦ ବର୍ଷ ପରେ ଏଭଳି ମହାଜାଗତିକ ଦୃଶ୍ୟକୁ ବିଶ୍ୱବାସୀ ଦେଖିବାର ସୁଯୋଗ ପାଇଛନ୍ତି।

ବୁଧବାର ସାରା ବିଶ୍ୱ ଦେଖିଛି ମହାଜାଗତିକ ଦୃଶ୍ୟ। ଭାରତ ସମେତ ପୃଥିବୀର ଅନ୍ୟ କିଛି ଦେଶରେ ଦେଖିବାକୁ ମିଳିଛି ଏହି ବିରଳ ଚନ୍ଦ୍ର ଗ୍ରହଣ। ଗୋଟିଏ ଦିନରେ ବ୍ଲଡମୁନ୍, ସୁପର ମୁନ୍ ଏବଂ ବ୍ଲୁ ମୁନ୍ ଦେଖିବାକୁ ମିଳିଥିବାରୁ ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି ‘ସୁପର୍ ବ୍ଲୁ ବ୍ଲଡ ମୁନ୍‌’। ୧୫୦ ବର୍ଷ ପରେ ଏଭଳି ମହାଜାଗତିକ ଦୃଶ୍ୟକୁ ବି୍ଶ୍ୱବାସୀ ଦେଖିବାର ସୁଯୋଗ ପାଇଛନ୍ତି।

ସନ୍ଧ୍ୟା ୫ଟା୧୮ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଥିଲା। ରାତି ୮ଟା ୪୭ରେ ମୋକ୍ଷ ହୋଇଛି। ଏହାସହ ଚନ୍ଦ୍ର ଓ ପୃଥିବୀ ପରସ୍ପର ନିକଟତର ହୋଇଥିବାରୁ ବଡ଼ ଏବଂ ଉଜ୍ଜ୍ବଳ ଜହ୍ନ ଦେଖିବାକୁ ମିଳିଛି।

ସନ୍ଧ୍ୟା ୬ଟା୨୧ରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିବାରୁ କିଛି ସମୟ ପାଇଁ ଅନ୍ଧାର ଦେଖାଦେଇଥିଲା।

ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ କିରଣ ପ୍ରତିସରଣ ହୋଇ ଚନ୍ଦ୍ରପୃଷ୍ଠରେ ପଡ଼ିଥାଏ। ଫଳରେ ଗ୍ରହଣ ଚନ୍ଦ୍ର ଫିକା ଲାଲ୍ ବା ନାରଙ୍ଗୀ ଦେଖାଯାଏ। ଏଣୁ ବୁଧବାର ହେଉଥିବା ଗ୍ରହଣରେ ଚନ୍ଦ୍ର ଲାଲ ଦେଖାଯିବ। ଏହାକୁ ଲାଲ୍ ଜହ୍ନ ମଧ୍ୟ କୁହାଯାଉଛି।

୨୦୧୮ ବର୍ଷର ଏହା ପ୍ରଥମ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ଦେଖାଦେଇଥିଲା। ଦିଲ୍ଲୀ, ମୁମ୍ବାଇ, ଜୟପୁର ଏବଂ ଭୁବନେଶ୍ୱରରେ ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ରେ ଏହି ବିରଳ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା।

ଚନ୍ଦ୍ରଗହଣ ପାଇଁ ବୁଧବାର ସକାଳ ୬ଟା୨୫ରୁ ଦେବ ନୀତି, ପାକ ନିଷେଧ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଦେବ ନୀତିରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା।

୧୯୮୨ରେ ଏହି ବିରଳ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥିଲା। ୨୦୧୮ ପରେ ପୁଣି ୨୦୨୮ ଏବଂ ୨୦୩୭ରେ ଏହା ଦେଖିବାକୁ ମିଳିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଭାରତରେ ଏହି ବିରଳ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଏହାସହ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସମେତ କାନାଡାର କିଛି ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।

Comment