ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ୨୦୧୮-୧୯ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦିଆଯାଇଛି। କୃଷକ, ଗରିବ, ଯୁବକ ଏବଂ ଗୃହିଣୀମାନଙ୍କୁ ଖୁସି କରିବା ଭଳି ବଜେଟ୍ ଉପସ୍ଥାପନ କରାଯାଇଛି। ଏହାବାଦ୍ ଏମିତି କିଛି ସାମଗ୍ରୀକୁ ମହଙ୍ଗା କରାଯାଇଛି ଯାହାକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଛନ୍ତି। ଜାଣନ୍ତୁ ବଜେଟ୍ରେ କ’ଣ ହେଲା ମହଙ୍ଗା ଏବଂ କ’ଣ ହେଲା ଶସ୍ତା?
କ’ଣ ହେଲା ମହଙ୍ଗା?
ଟିଭି ଏବଂ ମୋବାଇଲ୍ର ଦର ବୃଦ୍ଧି କରିବା ପାଇଁ ବଜେଟରେ ନିଷ୍ପତ୍ତି ହୋଇଛି। ଏହାସହ ବିଦେଶୀ ମୋବାଇଲ୍, ଲାପ୍ଟପ୍ ବି ମହଙ୍ଗା ହେବ। ଇଲେକ୍ଟ୍ରୋନିକ୍ସ ଏବଂ ଫୁଡ୍ ପ୍ରୋସେସର୍ ଉପରେ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି।
୨୦୧୮ ଜାନୁଆରି ୩୧ ପରେ କିଣା ଯାଇଥିବା ସେୟାର ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲଗାଯାଇଛି। କାର୍, ବାଇକ, ଫ୍ରୁଟ୍ ଜୁସ୍, ପରଫ୍ୟୁମ୍, ଯୋତା, ସୁନା ଏବଂ ରୂପା, ଦାଢ଼ି କାଟିବା ପୂର୍ବରୁ ଏବଂ ପରେ ବ୍ୟବହାର କରାଯାଉଥିବା ପ୍ରସାଧନ, ରେଶମ କପଡ଼ା, ହୀରା ମଧ୍ୟ ମହଙ୍ଗା ହୋଇଛି। ସିଗାରେଟ୍ ଏବଂ ଲାଇଟର ମଧ୍ୟ ମହଙ୍ଗା ହୋଇଛି। ଫର୍ଣ୍ଣିଚର, ଗଦି, ଟ୍ରାଇସାଇକେଲ, ସ୍କୁଟର, ପେଡାଲ୍ କାର ଆଦି ମହଙ୍ଗା ହୋଇଛି।
ଶସ୍ତା କ’ଣ ହେଲା?
ଏଲ୍ଏନ୍ଜି ଗ୍ୟାସ୍ ଶସ୍ତା ହୋଇଥିବା ବେଳେ ଲେଦର, ଲୁଣ, ସୋଲାର ୟୁନିଟ୍, ଜୀବନରକ୍ଷକ ଔଷଧ, ଦିଆସିଲି, ଏଲ୍ଇଡି, ଏଚ୍ଆଇଭି ଔଷଧ, ଫିଙ୍ଗର ସ୍କାନର୍, ମାଇକ୍ରୋ ଏଟିଏମ୍, ଆଇରିସ୍ ସ୍କାନର୍, ଭାରତରେ ତିଆରି ହେଉଥିବା ହୀରା ଶସ୍ତା ହୋଇଛି। ଇ-ଟିକେଟରୁ ସର୍ଭିସ ଟ୍ୟାକ୍ସ ହ୍ରାସ କରାଯାଇଛି।

















