ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରସିଦ୍ଧ ଯୋଗ ଗୁରୁ ବାବା ରାମଦେବଙ୍କ ନାଁରେ ଆସିଛି ଅଭିଯୋଗ। ବାବାଙ୍କ ଦ୍ଵାରା ପରିଚାଳିତ ପତଞ୍ଜଳୀ କମ୍ପାନି ପକ୍ଷରୁ ଦିଆଯାଉଥିବା ଜିନିଷରେ ଅପମିଶ୍ରଣ ହୋଇଥିବା ଅଭିଯୋଗ ହୋଇଛି।
ବାବା ରାମଦେବଙ୍କ ଦ୍ଵାରା ପରିଚାଳିତ ପତଞ୍ଜଳୀ କମ୍ପାନି ବିରୋଧରେ ଆସିଛି ଜିନିଷ ଅପମିଶ୍ରଣ କରୁଥିବାର ଅଭିଯୋଗ।
ଏସ କେ ସିଂହ ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ ରାଜସ୍ଥାନର ଜାଲୁପୁରା ଥାନାରେ ପତଞ୍ଜଳୀ ବିରୋଧରେ ଏକ ମାମଲା ରୁଜୁ କରିଥିଲେ।
ଅଭିଯୋଗ ଅନୁସାରେ, ପତଞ୍ଜଳୀର ଏକ ବିସ୍କୁଟ ଯେଉଁଥିରେ ବାବା ଦାବି କରିଛନ୍ତି କି ଏହା ଶତ ପ୍ରତିଶତ ଅଟାରେ ପ୍ରସ୍ତୁତ ଏବଂ ଏଥିରେ ମଇଦାର ବ୍ୟବହାର କରାଯାଇନାହିଁ। ଆଉ ଏହାର ବିଜ୍ଞାପନ ବିଭିନ୍ନ ଚ୍ୟାନେଲରେ ପ୍ରସାରିତ କରାଯାଇ ଲୋକଙ୍କୁ ଭୂଆଁ ବୁଲାଯାଉଛି।
ତେବେ ବିସ୍କୁଟର ଶୁଦ୍ଧତା ଯାଞ୍ଚ କରିବା ପାଇଁ ବିସ୍କୁଟକୁ କାରଖାନାରେ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଏହାର ନମୂନାରେ ତାଲମେଳ ଖାଉନଥିବା ଦେଖିବାକୁ ମିଳିଥିଲା।
ଏହାପରେ ପୁଲିସ ଭାରତୀୟ ଦଣ୍ଡବିଧାନର ଧାରା ୪୨୦ ଏବଂ ୧୨୦ବି ଅନୁସାରେ ବାବା ରାମଦେବ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାଖଲ କରିଛି। ମାତ୍ର ଏହାକୁ ଖଣ୍ଡନ କରି ବାବା ରାମଦେବ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି।
ତେବେ ଯାଚିକାରେ ଏଫଆଇଆରକୁ ଚ୍ୟାଲେଞ୍ଜ୍ ଦେଇ କୁହାଯାଇଛି ନମୁନାରେ କେତେ ମାତ୍ରାରେ ମଇଦା ରହିଛି ତାହା ରିପୋର୍ଟରେ ଦର୍ଶାଯାଇନି। ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ଅଟାରେ ଅନ୍ୟ ସାମଗ୍ରୀ ମଧ୍ୟ ମିଶାଇବାକୁ ପଡିଥାଏ। ଏହା ବ୍ୟତୀତ ଯଦି କିଛି ମାମୁଲି ଅପରାଧ ରହିଥାଏ ତେବେ ଏହା ଆଇପିସି ଧାରାରେ ନଯାଇ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଆଉ ଏଥିପାଇଁ କୌଣସି ଏଫଆଇଆର ଦାଖଲ କରିବାର ଆବଶ୍ୟକତା ନାହିଁ। ଅଭିଯୋଗକାରୀ ଜାଣିଶୁଣି ପତଞ୍ଜଳୀର ପ୍ରତିଷ୍ଠାକୁ ଖରାପ କରିବା ପାଇଁ ଏଭଳି କାଣ୍ଡ କରିଛନ୍ତି ତେଣୁ ଏହି ଏଫଆଇଆରକୁ ରଦ୍ଦ କରିଦିଆଯାଉ ବୋଲି ବାବା ରାମଦେବଙ୍କ ପକ୍ଷରୁ କୁହାଯାଇଛି।
ରାଜସ୍ଥାନରେ ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ହେବା ପରେ ଯୋଗଗୁରୁ ଏନେଇ ହାଇକୋର୍ଟରେ ନିଜର ପକ୍ଷ ରଖିଛନ୍ତି। ଯାହାକୁ ଆଧାର କରି ହାଇକୋର୍ଟ ଉଭୟ ଅଭିଯୋଗକାରୀ ଏବଂ ରାଜ୍ୟ ସରକାରଙ୍କ ନିକଟକୁ ଏକ ନୋଟିସ ଜାରି କରି ଏହାର ଜବାବ ୨୦ ମାର୍ଚ୍ଚ ଭିତରେ ଦେବାକୁ କୁହାଯାଇଛି।








ପ୍ରସିଦ୍ଧ ଯୋଗ ଗୁରୁ ବାବା ରାମଦେବଙ୍କ ନାଁରେ ଆସିଛି ଅଭିଯୋଗ। ବାବାଙ୍କ ଦ୍ଵାରା ପରିଚାଳିତ ପତଞ୍ଜଳୀ କମ୍ପାନି ପକ୍ଷରୁ ଦିଆଯାଉଥିବା ଜିନିଷରେ ଅପମିଶ୍ରଣ ହୋଇଥିବା ଅଭିଯୋଗ ହୋଇଛି।








