ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟୁଜିଲାଣ୍ଡରେ ସରିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ହରାଇ ଟାଇଟେଲ୍ ହାତେଇ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ।
- ବିଶ୍ୱ ବିଜେତାଙ୍କୁ ଭବ୍ୟ ସ୍ୱାଗତ
- ମୁମ୍ବାଇ କ୍ରିକେଟ୍ ସଂଘର ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ
- ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ଖେଳାଳିମାନଙ୍କ ସହ ଆସିଥିଲେ।
ଚତୁର୍ଥଥର ପାଇଁ ବିଶ୍ୱକପ୍ ଜିଣି ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ସୋମବାର ସ୍ୱଦେଶ ଫେରିଛି। ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପୃଥ୍ଵୀ ସ’ଙ୍କ ନେତୃତ୍ୱାଧୀନ ଦଳକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ ମୁମ୍ବାଇ କ୍ରିକେଟ୍ ସଂଘର ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ବାହାରକୁ ପାଛୋଟି ନେଇଥିଲେ।
ସ’ ଓ ତାଙ୍କ ସେନା ଅପରାହ୍ନ ୩ଟା ୩୦ରେ ବିମାନ ବନ୍ଦରରୁ ବାହାରିବା ପରେ ସେମାନଙ୍କୁ ଦେଖିବା ଲାଗି ବିମାନ ବନ୍ଦର ଏବଂ ଏହାର ଆଖ ପାଖ ଅଞ୍ଚଳରେ ପ୍ରବଳ ଭିଡ଼ ଜମିଥିଲା।
ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ଖେଳାଳିମାନଙ୍କ ସହ ଆସିଥିଲେ। ପିଲାଙ୍କ ପ୍ରଦର୍ଶନରେ ମୁଁ ଅତ୍ୟନ୍ତ ଗର୍ବିତ। ସେମାନେ ବିଶ୍ୱବିଜେତା ଭଳି ଖେଳିଲେ ବୋଲି ଏହି ଅବସରରେ ଦ୍ରାବିଡ କହିଥିଲେ।
ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡରେ ଆୟୋଜିତ ବିଶ୍ୱକପ୍ରେ ଅପରାଜେୟ ରହିବା ସହ ଚତୁର୍ଥଥର ପାଇଁ ଦେଶବାସୀଙ୍କୁ ବିଶ୍ୱକପ୍ ଉପହାର ଦେଇଥିଲେ।
ଭାରତୀୟ ଦଳର ଅଧିନାୟକ ପୃଥୀ ସ’ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଥିଲେ ଯେ ଆମକୁ ମନ ମୁତାବକ ଫଳ ମିଳିଲା ସତ କହିବାକୁ ଗଲେ ଫାଇନାଲରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲୁ। ପିଲାମାନଙ୍କୁ ନେଇ ମୁଁ ବେଶ୍ ଗର୍ବିତ। ଆଗମୀ ଦିନରେ ପିଲାମାନେ ବରିଷ୍ଠ ଦଳରେ ସ୍ଥାନ ପାଇ ଦେଶ ପାଇଁ ସୁନାମ ଆଣିବେ।








ନ୍ୟୁଜିଲାଣ୍ଡରେ ସରିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ହରାଇ ଟାଇଟେଲ୍ ହାତେଇ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ।








