ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନ ପିପୁଲ୍ସ ପାର୍ଟି ଜଣେ ହିନ୍ଦୁ ମହିଳାଙ୍କୁ ସିନେଟ୍ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।
ପାକିସ୍ତାନର ସିନ୍ଧ୍ ପ୍ରାନ୍ତର ଥାର୍ରେ ରହୁଥିବା କ୍ରିଷ୍ଣା କୁମାରୀ ହୋଇପାରନ୍ତି ପାକିସ୍ତାନ ପାର୍ଲିଆମେଣ୍ଟର ପ୍ରଥମ ମହିଳା ହିନ୍ଦୁ ସାଂସଦ। ପାକିସ୍ତାନ ପିପୁଲ୍ସ ପାର୍ଟିର ସୋସିଆଲ୍ ମିଡ଼ିଆ ଟିମ୍ ସଦସ୍ୟ ଆୟାଜ୍ ବୁରିରୋ କ୍ରିଷ୍ଣା କୁମାରୀଙ୍କୁ ନିଜ ପାର୍ଟି ପକ୍ଷରୁ ଏହି ଘୋଷଣା କରିଛନ୍ତି।
ପାକିସ୍ତାନ ପାର୍ଲିଆମେଣ୍ଟର ଉଚ୍ଚ ସଦନକୁ ସିନେଟ୍ କୁହାଯାଏ। ମୁସ୍ଲିମ୍ ବହୁଳ ପାକିସ୍ତାନକୁ ରୁଢିବାଦୀ ଦେଶର ଆଖ୍ୟା ମିଳିଛି। ଏଠାରେ ମହିଳାଙ୍କୁ ସମାଜର ଅନେକ ସ୍ତରରେ ଭେଦଭାବର ଶିକାରର ସାମ୍ନା କରିବାକୁ ପଡ଼ିଥାଏ।
କ୍ରିଷ୍ଣା କୁମାରୀ ହିନ୍ଦୁ ପରିବାରରୁ ଆସିଛନ୍ତି। ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ନିଜ ଭାଇଙ୍କ ସହ ପିପିପି (ପାକିସ୍ତାନ ପିପୁଲ୍ସ ପାର୍ଟି)ରେ ସାମିଲ୍ ହୋଇଥିଲେ। ପରେ ତାଙ୍କୁ ବେରେନୋରୁ ୟୁନିୟନ୍ କାଉନସିଲ୍ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।
କ୍ରିଷ୍ଣାଙ୍କ ଜନ୍ମ ୧୯୭୯ ମସିହାରେ ଏକ ଗରିବ କୃଷକ ପରିବାରରେ ହୋଇଥିଲା। ହିନ୍ଦୁ ହୋଇଥିବାରୁ ତାଙ୍କ ପରିବାରକୁ ବହୁ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଥିଲା ବୋଲି କହନ୍ତି କ୍ରିଷ୍ଣା।
ମାତ୍ର ୧୬ ବର୍ଷ ବୟସରେ ଲାଲଚାନ୍ଦ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ କ୍ରିଷ୍ଣା । ସେ ସମୟରେ ମାତ୍ର ନବମ ଶ୍ରେଣୀରେ ପଢୁଥିଲେ ସେ। ବିବାହ ପରେ ମଧ୍ୟ ନିଜ ପାଠପଢା ଜାରି ରଖିଥିଲେ। ୨୦୧୩ରେ ସିନ୍ଧ୍ ବିଶ୍ଵବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥଲେ କ୍ରିଷ୍ଣା।








ପାକିସ୍ତାନ ପିପୁଲ୍ସ ପାର୍ଟି ଜଣେ ହିନ୍ଦୁ ମହିଳାଙ୍କୁ ସିନେଟ୍ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।







