ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮-୧୯ରେ ଭାରତୀୟ କ୍ରିକେଟ୍‌ ଦଳ ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି୨୦ ଫର୍ମାଟ୍‌ରେ ମୋଟ ୬୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ।

କ୍ରିକେଟ୍‌ କ୍ୟାଲେଣ୍ଡର ଅନୁଯାୟୀ ଏପ୍ରିଲ୍‌ରୁ ବର୍ଷାରମ୍ଭ ହୁଏ। ୨୦୧୮-୧୯ ସିଜିନ୍‌ରେ ଭାରତୀୟ ଦଳ ୧୨ଟି ଟେଷ୍ଟ, ୩୦ଟି ଦିନିକିଆ ଓ ୨୧ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଏପ୍ରିଲ୍‌ ମାସରେ ଅନୁଷ୍ଠିତ ହେବ ଆଇପିଏଲ୍‌। ଆଇପିଏଲ୍‌ ଶେଷ ହେବା ପରେ ଭାରତୀୟ ଦଳ ଜୁନ୍‌ରେ ଆୟାରଲାଣ୍ଡ ବିରୋଧରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟ୍ୱେଣ୍ଟି୨୦ ସିରିଜ୍‌ ଖେଳିବ। ମାସରେ ଆଫଗାନିସ୍ତାନ ବିରୋଧରେ ଭାରତ ବେଙ୍ଗାଳୁରୁରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିବ।

ଏହାପରେ ଭାରତୀୟ ଦଳ ଜୁଲାଇ ଶେଷ ଭାଗରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଇଂଲଣ୍ଡ ବିରୋଧରେ ୫ଟି ଟେଷ୍ଟ, ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିବ।

ଏସିଆ କପ୍‌ ଆୟୋଜିତ ହେବାକୁ ଥିବା ବେଳେ ଭାରତୀୟ ଦଳ ଏଥିରେ ଭାଗ ନେବେ। ତେବେ ଏସିଆ କପ୍‌ କେବେଠାରୁ ଆରମ୍ଭ ହେବ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ଅକ୍ଟୋବର-ନଭେମ୍ବର ମାସରେ ଭାରତ ନିଜ ମାଟିରେ ୱେଷ୍ଟଇଣ୍ଡିଜ ବିରୋଧରେ ଦୁଇଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିବ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ଭାରତ ନଭେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିରୋଧରେ ୪ଟି ଟେଷ୍ଟ, ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିବ।

୨୦୧୯ ଜାନୁଆରୀ ମଧ୍ୟଭାଗରୁ ଫେବୃଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ବିରୋଧରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ୍‌ ଅନୁଷ୍ଠିତ ହେବ। ଫେବ୍ରୁଆରିରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସି ଘରୋଇ ଦଳ ବିରୋଧରେ ୫ଟି ଦିନିକିଆ ଓ ୨ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିବ। ସିଜିନ୍‌ର ଶେଷରେ ଭାରତ-ଜିମ୍ବାୱେ ବିରୋଧରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ୱେଣ୍ଟି୨୦ ସିରିଜ୍‌ ଅନୁଷ୍ଠିତ ହେବ।

Comment