ଓଡ଼ିଶାଲାଇଭ୍ ବ୍ୟୁରୋ

- ୩୦୦ ମିଟର ଭିତରକୁ ପଶି ଆସିଲା ହେଲିକପ୍ଟର
- ସ୍ଥଳଭାଗ ପରେ ଆକାଶ ମାର୍ଗରେ ଚାଲେଞ୍ଜ ଦେଲା ପାକ୍
- ପ୍ରାୟ ଅଧ ଘଣ୍ଟା ଧରି ଚକ୍କର କାଟିଲା ହେଲିକପ୍ଟର
ଭାରତୀୟ ସୀମାରେଖାରେ ପାକିସ୍ତାନର ପ୍ରାଦୁର୍ଭାବ ଥମିବାର ନାଁ ନେଉନି। ବାରମ୍ବାର ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନ ବୁଧବାର ଭାରତୀୟ ଆକାଶ ସୀମାରେ ଆଉ ଏକ ଚ୍ୟାଲେଞ୍ଜ ଦେଇଛି। ଭାରତୀୟ ଆକାଶ ସୀମାରେ ପାକିସ୍ତାନର ସାମରିକ ହେଲିକପ୍ଟର ଚକ୍କର କାଟିଥିବା ଦେଖିବାକୁ ମିଳିଛି।
ଜାମ୍ମୁ-କାଶ୍ମୀରର ପୁଞ୍ଛ୍ ସେକ୍ଟର ନିକଟରେ ଏହା ଦେଖିବାକୁ ମିଳିଛି। ପାକିସ୍ତାନର ସାମରିକ ହେଲିକପ୍ଟର ଭାରତୀୟ ଆକାଶ ସୀମାର ୩୦୦ ମିଟର ଭିତରକୁ ପଶି ଆସିଥିଲା। ପ୍ରାୟ ଅଧ ଘଣ୍ଟା ଧରି ହେଲିକପ୍ଟରଟି ଉଡ଼ୁଥିବା ଦେଖିବାକୁ ମିଳିଥିଲା।
ଚଳିତବର୍ଷ ଆରମ୍ଭରୁ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ ହୋଇ ଆସୁଛି। ଗତ ୧୯ ତାରିଖରେ ଜାମ୍ମୁ-କାଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ର ବିରତି ଉଲ୍ଲଂଘନରେ ଭାରତର ୩ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଥିଲେ।
ଏବେ ଭାରତ ସୀମାରେ ପାକିସ୍ତାନର ସାମରିକ ହେଲିକପ୍ଟର ଚକ୍କର ମାରିବା ପରେ ପୁଣି ଥରେ ଭାରତୀୟ ସେନାକୁ ପାକ୍ ଚାଲେଞ୍ଜ ଦେଇଥିବା କୁହାଯାଉଛି।
ନିୟମ କହୁଛି, କୌଣସି ଦେଶର ସାମରିକ ହେଲିକପ୍ଟର ବିନା ଅନୁମତିରେ ଅନ୍ୟ ଦେଶର ସୀମାରେ ପ୍ରବେଶ କରିପାରିବ ନାହିଁ। ହେଲେ ପାକିସ୍ତାନ ଏହି ନିୟମକୁ ଉଲ୍ଲଂଘନ କରିଥିବା କୁହାଯାଉଛି।


















