ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଚଳିତ ବର୍ଷ ୬ ଲକ୍ଷ ୮ ହଜାର ୩୧ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାରୁ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା୩୦ ପର୍ଯ୍ୟନ୍ତ ଚାଲିବ। ତେବେ ପରୀକ୍ଷାର୍ଥୀମାନେ ୮ଟା୧୫ରେ ପରୀକ୍ଷା ହଲରେ ପ୍ରବେଶ କରିବାକୁ କୁହାଯାଇଛି। ୮ଟା୩୦ରେ ପିଲାଙ୍କୁ ଓଏମ୍‌ଆର୍ ସିଟ୍ ଦିଆଯିବ। ୮ଟା୪୫ରେ ପ୍ରଶ୍ନପତ୍ର ଦିଆଯିବ।

ପରୀକ୍ଷା ଉପରେ ନଜର ରଖିବା ପାଇଁ ତ୍ରି ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। କପି ରୋକିବା ପାଇଁ ୩୦ଟି ଜିଲ୍ଲାରେ ୫୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟର ୨ ହଜାର ୮୧୮ଟି କେନ୍ଦ୍ରରେ ହେବ ପରୀକ୍ଷା। ପ୍ରଶ୍ନପତ୍ର ରଖିବା ପାଇଁ ୩୦୨ଟି ନୋଡାଲ ସେଣ୍ଟର କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ବୋର୍ଡ ସ୍ତରରେ ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଏକ ସ୍କ୍ୱାଡ୍ ଗଠନ କରାଯାଇଛି।

“ଚଳିତ ବର୍ଷ ମୋଟ ୬ ଲକ୍ଷ ୮ ହଜାର ୩୧ ପିଲା ପରୀକ୍ଷା ଦେଉଛନ୍ତି। ୩୦୨ଟି ନୋଡାଲ ସେଣ୍ଟର କରାଯାଇଛି। ପ୍ରଥମ ତିନି ଦିନର ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚି ଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି”, କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର।

ମାଓବାଦୀ ଅଞ୍ଚଳରେ ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ସକାଳେ କିଛି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ।

Comment