ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ-ନିର୍ବାଚନ ପୂର୍ବରୁ ବିଜେପୁରର ପଡ଼ୋଶୀ ସୋହେଲାରେ ଆତଙ୍କରାଜ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ମରଣାନ୍ତକ ଆକ୍ରମଣକୁ ନେଇ ବିଜେପି-ବିଜେଡି ହୋଇଛନ୍ତି ମୁହାଁମୁହିଁ।
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଆକ୍ରମଣକୁ ନେଇ ବିଜେଡି ବିଜେପି ଉପରେ ଦୋଷ ଲଦିଥିବା ବେଳେ ବିଜେପି ମଧ୍ୟ ଏହାର ଜବାବ ଦେଇଛି।
ବିଜେଡି ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ବିଜେଡି ଏହି ଘଟଣାକୁ ନିନ୍ଦା କରୁଛି। ନିର୍ବାଚନକୁ ବନ୍ଦ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଯେଉଁମାନେ ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ କରିଛନ୍ତି ସେମାନେ ସବୁ ଓଡ଼ିଶା ବାହାରର ଲୋକ। କାରଣ ସେମାନେ ହିନ୍ଦୀରେ କଥା ହେଉଥିଲେ। ଏହାସହ ଆକ୍ରମଣକାରୀଙ୍କ ଭିତରେ ବିଜେପିର ଜଣେ ନେତା ଥିଲେ। ସେ ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ବିଜେଡିଠାରୁ ପରାଜିତ ହୋଇଥିଲେ।”
ବିଜେଡିର ଏହି ପ୍ରତିକ୍ରିୟା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଜବାବ ରଖିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ବିଜେପି କୌଣସି ପ୍ରକାରର ହିଂସାକୁ ପ୍ରଶୟ ଦିଏ ନାହିଁ। ବିନା ତଦନ୍ତରେ ବିଜେପି ଉପରେ ଦୋଷ ଲଦିବା ବିଜେଡିର ଚିରାଚରିତ ଅଭ୍ୟାସ। ମନ୍ତ୍ରୀଙ୍କ ଭାଇଙ୍କର ସେ ଅଞ୍ଚଳରେ ଅପରାଧିକ ପୃଷ୍ଠଭୂମି ରହିଛି। ଏହାସହ ମନ୍ତ୍ରୀଙ୍କ ଭାଇ ରାତି ୧୨ଟାରେ ସୋହେଲାରେ କ’ଣ କରୁଥିଲେ?”
ଗୁରୁବାର ରାତିରେ ସୁବ୍ରତ ତାଙ୍କ ସହଯୋଗୀ କାର୍ତ୍ତିକ ନାଗ, ମାଗି ଶାହା, ଖଗେଶ୍ୱର ମହାମଲ୍ଲିକଙ୍କ ସହ କାର୍ରେ ବୁଲୁଥିଲେ। ସୋହେଲା ବ୍ଲକର ବଣବିରା ଗାଁ ନିକଟରେ ୨୦ ଜଣ ଲୋକ ସେମାନଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଇଟାରେ ସୁବ୍ରତଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି।
ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଅଫୁଟା ଗୁଳି ଜବତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।








ଉପ-ନିର୍ବାଚନ ପୂର୍ବରୁ ବିଜେପୁରର ପଡ଼ୋଶୀ ସୋହେଲାରେ ଆତଙ୍କରାଜ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ମରଣାନ୍ତକ ଆକ୍ରମଣକୁ ନେଇ ବିଜେପି-ବିଜେଡି ହୋଇଛନ୍ତି ମୁହାଁମୁହିଁ।









