ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପଦ୍ମପୁର ଉପନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳରେ ବଢୁଛି ଉଷ୍ମତା। ସିଧାସଳଖ ଲଢ଼େଇ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା। ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ନେତା।

ଧାମନଗର ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ବରଗଡ଼ ଜିଲ୍ଲାର ପଦ୍ମପୁର ଆସନ ପାଇଁ ବିଗୁଲ ବାଜିଛି। ଡିସେମ୍ବର ୫ରେ ସେଠାରେ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ ଅଧିକାରୀ ତାରିଖ ଘୋଷଣା କରିଛନ୍ତି। ଫଳରେ ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ – ବିଜେଡି, ବିଜେପି ଏବଂ କଂଗ୍ରେସ ଶିବିରରେ ରାଜନୈତିକ ପାଣିପାଗ ସରଗରମ ହୋଇଯାଇଛି। କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁନେଇ ମାନସମନ୍ଥନ ଆରମ୍ଭ ହୋଇଛି।

ପଦ୍ମପୁର ପାଇଁ ବିଜେପି ଏକପ୍ରକାର ପ୍ରାର୍ଥୀ ଚୂଡ଼ାନ୍ତ କରି ସାରିଛି। କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି। ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ସେଲର ସଭାପତି ରହିଥିବା ପ୍ରଦୀପ ପୁରୋହିତଙ୍କ ନାଁରେ ବିଜେପି ମୋହର ମାରିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। କାରଣ, ପଦ୍ମପୁରରେ ବିଜେପିର ଆଉ କେହି ବିକଳ୍ପ ନେତା ନାହାନ୍ତି। ଏବେ କେବଳ ସମସ୍ତଙ୍କ ନଜର ବିଜେଡି ଏବଂ କଂଗ୍ରେସ ଉପରେ ରହିଛି। ଏହି ଦୁଇ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେଡିରେ ପ୍ରାର୍ଥୀ ଗଣିତ ଛିଡୁନି

୨୦୧୯ ବିଧାନସଭା ନିର୍ବାଚନରେ ପଦ୍ମପୁର ଆସନ ବିଜେଡି ଖାତାକୁ ଆସିଥିଲା। ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନିକଟରେ ତାଙ୍କର ଦେହାନ୍ତ ହୋଇଯିବାରୁ ପଦ୍ମପୁରରେ ଉପନିର୍ବାଚନ ହେବାକୁ ଯାଉଛି। ଫଳରେ ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି।

ବିଜେଡି ଟିକେଟ ରେସରେ ବିଜୟ ରଞ୍ଜନ ସିଂ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ବରିହା ଆଗରେ ରହିଛନ୍ତି। ଟିକେଟ ନେବା ପାଇଁ ସେ ଆବେଦନ ମଧ୍ୟ କରିଛନ୍ତି। ସେହିପରି ନୂଆପଡ଼ାରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ମହେନ୍ଦ୍ର ବଢ଼େଇଙ୍କ ନାଁ ବି ଚର୍ଚ୍ଚାକୁ ଆସିଛି। ତା’ଛଡ଼ା ପଦ୍ମପୁରର କିଛି ନେତା ମଧ୍ୟ ଟିକେଟ ଦୌଡ଼ରେ ରହିଛନ୍ତି। ତେବେ ଏମାନଙ୍କ ଭିତରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏଯାଏଁ ଚୂଡ଼ାନ୍ତ ହୋଇପାରିନାହିଁ।

ବରଗଡ଼ ଜିଲ୍ଲାର ବରିଷ୍ଠ ବିଜେଡି ନେତାମାନେ ପଦ୍ମପୁରର ବିଭିନ୍ନ ବ୍ଲକସ୍ତରକୁ ଯାଇ କର୍ମକର୍ତ୍ତା ଏବଂ ସାଧାରଣ ଲୋକଙ୍କ ମତାମତ ନେଇଛନ୍ତି। କାହାକୁ ପ୍ରାର୍ଥୀ କଲେ ଦଳ ଏଠି ବିଜୟୀ ହେବ ସେନେଇ ତୃଣମୂଳ ସ୍ତରରୁ ଆସିଥିବା କିଛି ନେତାଙ୍କ ନାଁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ପଠାଯାଇଛି। ଏହା ଉପରେ ବର୍ତ୍ତମାନ ଆଲୋଚନା ଚାଲିଥିବା କୁହାଯାଉଛି।

ନିକଟରେ ଧାମନଗରରେ ଶେଷ ହୋଇଥିବା ଉପନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ବିଜେଡି ପଦ୍ମପୁର ବିଜୟ ପାଇଁ ଅଙ୍କ କଷୁଛି। ତେଣୁ ଦଳ ମାପିଚୁପି ପଦକ୍ଷେପ ନେବ ବୋଲି ରାଜନୀତି ପଣ୍ଡିତମାନେ ମତ ଦେଉଛନ୍ତି।

ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ବିଜେଡି ପଦ୍ମପୁର ଉପନିର୍ବାଚନରେ କିପରି ଭଲ ପ୍ରଦର୍ଶନ କରିବ ସେଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଏଥିଲାଗି ନେତାମାନଙ୍କୁ ଦାୟିତ୍ୱ ବାଣ୍ଟିଛି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଦଳ ପ୍ରଚାର ଏବଂ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି। ଏହାସହ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପଦ୍ମପୁର ବ୍ଲକ ଦାୟିତ୍ୱ ଦିଆଯାଇଥିବା ବେଳେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ପାଇକମାଲ ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ ଝାରବନ୍ଧ ବ୍ଲକର ଦାୟିତ୍ୱ ଦିଆଯାଇଛି।

ସେହିପରି ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂହଦେଓ, ନିରଞ୍ଜନ ବିଶି ଏବଂ ରୋହିତ ପୂଜାରୀଙ୍କ ଭଳି ନେତାଙ୍କୁ ବିଭିନ୍ନ ଜୋନ୍‌ ଦାୟିତ୍ୱ ଦିଆଯାଇଛି।

ବିଜେପିର ୩ ନେତାଙ୍କୁ ଦାୟିତ୍ୱ

ଧାମନଗର ବିଜୟ ପରେ ବିଜେପି ନେତା ଓ କର୍ମୀଙ୍କ ମନରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି। ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ବଡ଼ ଷ୍ଟ୍ରାଟେଜି କରୁଥିବା କୁହାଯାଉଛି। ଏହି ଉପିର୍ବାଚନରେ ବିଜେପିକୁ କିପରି ଫାଇଦା ମିଳିବ ସେଥିପାଇଁ ଦଳ ତିନି ନେତାଙ୍କୁ ଦାୟିତ୍ୱ ଦେଇଛି। କଳାହାଣ୍ଡିର ଲୋକସଭା ସଦସ୍ୟ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ସମ୍ବଲପୁର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

କଂଗ୍ରେସରେ ଆଶାୟୀ ଅନେକ

ପଦ୍ମପୁର ହେଉଛି କଂଗ୍ରେସର ପୁରୁଣା ଗଡ଼। ତେଣୁ ପୁଣିଥରେ ଏଠାରେ ଭଲ ପ୍ରଦର୍ଶନ କରିବା ଲାଗି କଂଗ୍ରେସ ଅଣ୍ଟା ଭିଡ଼ିଛି। କଂଗ୍ରେସ ନେତା କିଶୋର ପଟେଲ, ସନ୍ତୋଷ ସିଂ ସାଲୁଜା ଏବଂ ଅଧିରାଜ ପାଣିଗ୍ରାହୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ପଦ୍ମପୁର ଆସି ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ଭେଟି କିଏ ପ୍ରାର୍ଥୀ ହେଲେ ଦଳକୁ ଲାଭ ମିଳିବ ସେ ବିଷୟରେ ଆଲୋଚନା କରିଛନ୍ତି।

ଏହି କମିଟି ବର୍ତ୍ତମାନ ୪ ଜଣଙ୍କ ନାଁ ପ୍ରାର୍ଥୀ ପାଇଁ ସୁପାରିଶ କରିଛି। ସେମାନଙ୍କ ଭିତରେ ଅଛନ୍ତି ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ସୁନୀଲ ଅଗ୍ରୱାଲ, ଚମ୍ପକେଶ୍ୱର ପୁରୋହିତ ଏବଂ ଗଜରାଜ ସିଂ ପୁଟା। ଏଆଇସିସି ଏହି ୪ ନାଁ ଭିତରୁ କାହା ଉପରେ ମୋହର ମାରୁଛନ୍ତି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ନଭେମ୍ବର ୧୦ ତାରିଖରୁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ତେଣୁ ଆସନ୍ତା ଦିନେ ଦୁଇ ଦିନ ଭିତରେ ବିଜେଡି, କଂଗ୍ରେସ ଏବଂ ବିଜେପି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି।

ପଦ୍ମପୁରରେ ହେବ ଶଙ୍ଖ-ପଦ୍ମ ଭିତରେ କଡ଼ା ଟକ୍କର!

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ତେଣୁ ପଦ୍ମପୁର ଜିତିବା ଲାଗି ବିଭିନ୍ନ ଦଳ ଜୋରଦାର ପ୍ରୟାସ କରିବେ। ତେବେ ବିଜେପି ଓ ବିଜେଡି ଭିତରେ ସିଧାସଳଖ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି। ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବିଜେଡି ବିଜୟୀ ହୋଇଥିଲା।

୨୦୧୯ରେ ପଦ୍ମପୁର ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ୯୩ ହଜାର୨୯୯ ଭୋଟ ମିଳିଥିଲା। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭ ହଜାର ୫୬୫ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୩୨ ହଜାର ୭୮୭ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୧୪ରେ ଏହି ଆସନ ବିଜେପି ଖାତାକୁ ଆସିଥିଲା।

ତେବେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍ ହାର ବୃଦ୍ଧି ପାଇଥିଲା। ଏହା ସହ ୪ଟି ଜିଲ୍ଲା ପରିଷଦ ଆସନ ମଧ୍ୟ ହାତେଇବାରେ ବିଜେପି ସକ୍ଷମ ହୋଇଥିଲା।  ପଞ୍ଚାୟତ ନିର୍ବାଚନରେ ବିଜେଡି ୮୮ ହଜାର ୦୧୧ ଭୋଟ ପାଇଥିବା ବେଳେ ବିଜେପି ୮୨ ହଜାରରୁ ଅଧିକ ଭୋଟ ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ବିଧାନସଭା ନିର୍ବାଚନଠାରୁ କମ୍ ଭୋଟ ପାଇ ପ୍ରାୟ ୧୨ ହଜାର ୯୦୯କୁ ଖସି ଆସିଥିଲା। ତେଣୁ ପଦ୍ମପୁରରେ ବିଜେଡି ଏବଂ ବିଜେପି ମଧ୍ୟରେ ସିଧା ଟକ୍କର ହେବ ବୋଲି ପୂର୍ବାନୁମାନ କରାଯାଉଛି।

କ’ଣ କହୁଛି ପଦ୍ମପୁରର ନିର୍ବାଚନ ଇତିହାସ?

ପଦ୍ମପୁର ନିର୍ବାଚନମଣ୍ଡଳୀ ତିନୋଟି ବ୍ଲକ – ଝାରବନ୍ଧ, ପାଇକମାଲ ଏବଂ ପଦ୍ମପୁରକୁ ନେଇ ଗଠନ କରାଯାଇଛି ଏଠାକର ଭୋଟର ବହୁ ସଚେତନ କାରଣ ଏହି ଅଞ୍ଚଳର ଭୋଟର ଉପଯୁକ୍ତ ପ୍ରାର୍ଥୀ ଦେଖି ମତ ସାବ୍ୟସ୍ତ କରୁଛନ୍ତି। ୧୯୬୧ ମସିହାରୁ ୨୦୧୯ ପର୍ଯ୍ୟନ୍ତ ନିର୍ବାଚନ ଇତିହାସକୁ ଦେଖିଲେ ଏହା ସ୍ପଷ୍ଟ ଅନୁମାନ କରି ହେଉଛି। ତେଣୁ ଚଳିତ ଉପନିର୍ବାଚନ ସମସ୍ତ ରାଜନୈତିକ ଦଳ ପାଇଁ ବଡ଼ ଚାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି।

୧୯୬୧ ନିର୍ବାଚନରେ ପଦ୍ମପୁର ଆସନ କଂଗ୍ରେସ ଖାତାକୁ ଯାଇଥିଲା। ଏଠାରେ ବିକ୍ରମାଦିତ୍ୟ ସିଂ ବରିହା ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୬୭ରେ ହୋଇଥିବା ନିର୍ବାଚନରେ ପୁଣି ବିକ୍ରମାଦିତ୍ୟ ବିଜୟୀ ହୋଇଥିଲେ। ହେଲେ ସେତେବେଳେ ସେ ଓଡ଼ିଶା ଜନକଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ୧୯୭୧ ଏବଂ ୧୯୭୪ରେ ଏଠାରେ କଂଗ୍ରେସ ବିଜୟୀ ହୋଇଥିଲା। ଦୁଇ ଥର ଯାକ କୃପାସିନ୍ଧୁ ଭୋଇ ବିଜୟୀ ହୋଇଥିଲେ। ୧୯୭୭ରେ କିନ୍ତୁ ପଦ୍ମପୁର ଭୋଟର କଂଗ୍ରେସ ଉପରେ ଭରସା କଲେନାହିଁ। ବିକ୍ରମାଦିତ୍ୟ ସିଂ ବରିହା ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ।

୧୯୮୦ ଏବଂ ୧୯୮୫ରେ ଜାତୀୟ କଂଗ୍ରେସ ଦଳରୁ ସତ୍ୟଭୂଷଣ ସାହୁ ବିଜୟୀ ହୋଇଥିଲେ। ଏହାପରେ ୧୯୯୦, ୧୯୯୫, ୨୦୦୪, ୨୦୦୯ ଏବଂ ୨୦୧୯ରେ ହୋଇଥିବା ନିର୍ବାଚନରେ ବିଜୟ ରଞ୍ଜନ ସିଂ ବରିହା ଜନତା ଦଳ ଏବଂ ପରେ ବିଜୁ ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ। ହେଲେ ୨୦୦୪ରେ ଏହି ଆସନ କଂଗ୍ରେସ ହାତକୁ ଯାଇଥିବା ବେଳେ ୨୦୧୪ରେ ବିଜେପି ହାତକୁ ପଦ୍ମପୁର ଆସନ ଯାଇଥିଲା।

ବରଗଡ଼ ଜିଲ୍ଲାରେ ବିଜେଡିର ଭଲ ପ୍ରଭାବ ରହିଥିବା କୁହାଯାଉଛି। ୨୦୧୯ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ଭଲ ଭୋଟ ପାଇଥିଲା। ୫ରୁ ୫ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଏବଂ ଭଟଲି ଆସନ ବିଜେଡି ହାତକୁ ଆସିଥିଲା।  କେବଳ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ପଦ୍ମପୁରରେ ବିଜେପି-ବିଜେଡି ଭିତରେ ଜୋରଦାର ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #PadampurByelection #BJD #BJP #Congress

Comment