ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଇଆଇଏମ୍ସି ଢେଙ୍କାନାଳର ରୌପ୍ୟ ଜୟନ୍ତୀ ସମାରୋହ
  • ଆଇଆଇଏମ୍ସିରେ ଖୋଲିବ ଗୋଷ୍ଠୀ ବେତାର କେନ୍ଦ୍ର
  • ଖୋଲାଯିବ ଜାତୀୟ ସ୍ତରର ଗଣମାଧ୍ୟମ ସଂଗ୍ରହାଳୟ
  • ‘ସମ୍ବାଦ ପ୍ରସଙ୍ଗ-୨’ ଓ ‘ମିଡିଆ ୩୬୦ ଡିଗ୍ରୀ’ ଉନ୍ମୋଚିତ

“କେବଳ ରାଜନେତା, ଉତ୍ତମ ଶାସନ କିମ୍ବା ସଫଳ ବ୍ୟକ୍ତିତ୍ୱଙ୍କ ପାଇଁ ଦେଶ ଶ୍ରେଷ୍ଠ ହୋଇପାରିବନି। ସାରା ବିଶ୍ୱରେ ଭାରତକୁ ଶ୍ରେଷ୍ଠ ଦେଶରେ ପରିଣତ କରିବାକୁ ହେଲେ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଗଢ଼ିବାକୁ ହେବ”, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ର ରୌପ୍ୟ ଜୟନ୍ତୀ ସମାରୋହର ଉଦ୍‌ଘାଟନୀ ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ ସୁବ୍ରତ ବାଗ୍ଚୀ।

“ଜାପାନ ବିକଶିତ ହେବା ପଛରେ ଏହାର ଟେକ୍ନୋଲୋଜିର ଭୂମିକା ଅନେକ। ସେଠାକାର କମ୍ପାନିଗୁଡ଼ିକ କେବଳ ଉତ୍ପାଦ ବିକ୍ରି କରୁନାହାନ୍ତି, ବରଂ ଟେକ୍ନୋଲୋଜିର ବିଭିନ୍ନ ସ୍ତର ଉପରେ ଅଧିକରୁ ଅଧିକ ଗବେଷଣା କରୁଛନ୍ତି। ସେହିପରି ଭାରତରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ବିଭିନ୍ନ ବିଷୟ ଉପରେ ଜଟିଳ ଗବେଷଣା ଦରକାର। ଏଥିପାଇଁ ଉତ୍ତମ ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିଛି। ହେଲେ ଏ ପର୍ଯ୍ୟନ୍ତ ଆମ ଦେଶରେ ଆମେ ପ୍ରତିଷ୍ଠାନର ଗୁରୁତ୍ୱ ବୁଝିପାରୁନାହେଁ। ତେଣୁ ପ୍ରଥମେ ପ୍ରତିଷ୍ଠାନର ଗୁରୁତ୍ୱ ବୁଝିବାକୁ ହେବ। ଏହାସହ ଆମେ କେବଳ ସଫଳତା ଓ ଲକ୍ଷ୍ୟ ହାସଲ ପଛରେ ଧାଇଁଲେ ହେବନି। ଆମକୁ ପ୍ରଥମେ ଦେଶ, ତାପରେ ସଂସ୍ଥା ଓ ଶେଷରେ ନିଜ କଥା ଭାବିବା ଦରକାର”, କହିଛନ୍ତି ସୁବ୍ରତ ବାଗ୍ଚୀ।

ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ କହିଛନ୍ତି, “ଦେଶର ମହାନ୍ ଇତିହାସ, ପରମ୍ପରା ଓ ଅବଦାନ ରହିଛି। କିନ୍ତୁ ବର୍ତ୍ତମାନ ଶିକ୍ଷା ଓ ମାନବ ସମ୍ବଳର ବିକାଶ ସବୁଠୁ ଅଧିକ ପ୍ରୟୋଜନ। ଉତ୍ତମ ଶିକ୍ଷା ଓ ଜ୍ଞାନୋଦୟ ପାଇଁ ଆଇଆଇଏମ୍ସି ପରି  ସବୁ ଅନୁଷ୍ଠାନ ଉତ୍ସର୍ଗୀକୃତ ହେବା ଆବଶ୍ୟକ। ଆଇଆଇଏମ୍ସି ଜାତୀୟ ସ୍ତରର ଅନୁଷ୍ଠାନ ହୋଇଥିଲେ ମଧ୍ୟ ଏହାର ପରିଚୟ ଅନ୍ତର୍ଜାତୀୟସ୍ତରର।”

ଆଇଆଇଏମ୍ସିର ମହାନିର୍ଦ୍ଦେଶକ କେ.ଜି. ସୁରେଶ କହିଛନ୍ତି, “ସାମ୍ବାଦିକତାର ଭବିଷ୍ୟତ ହେଉଛି ଆଞ୍ଚଳିକ ଭାଷା। ଲୋକେ ନିଜ ଅଞ୍ଚଳର ବା କହୁଥିବା ଭାଷାରେ ଖବର ପଢ଼ିବାକୁ ଓ ଦେଖିବାକୁ ଚାହୁଁଛନ୍ତି। ଏ ସ୍ଥିତିରେ ଆଞ୍ଚଳିକ ଭାଷାରେ ସାମ୍ବାଦିକତା ପାଠ୍ୟକ୍ରମର ବେଶ୍ ଭୂମିକା ରହିଛି। ଏଥିପାଇଁ ଆଇଆଇଏମ୍ସି ଢେଙ୍କାନାଳର ଢେର ଅବଦାନ ରହିଛି। ସାରା ଦେଶର ଅନ୍ୟ ଆଇଆଇଏମ୍ସି ଶାଖା ପାଇଁ ଆଇଆଇଏମ୍ସି ଢେଙ୍କାନାଳକୁ ରୋଲ୍ ମଡେଲ୍ ଭାବେ ନିଆଯାଇ ଆଗାମୀ ଦିନରେ ଆଞ୍ଚଳିକ ଭାଷାରେ ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦିଆଯିବ।”

ସେ ଆହୁରି କହିଛନ୍ତି ଯେ ବିକାଶମୂଳକ ଯୋଗାଯୋଗ ପାଇଁ ‘ଗୋଷ୍ଠୀ ବେତାର’ର ଗୁରୁତ୍ୱ ରହିଛି। ଏହାକୁ ଆଖି ଆଗରେ ରଖି ଆଇଆଇଏମ୍ସି ଢେଙ୍କାନାଳରେ ଖୁବ୍ ଶୀଘ୍ର ଏକ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯିବାକୁ ଯୋଜନା କରାଯାଉଛି। ଏହାସହ ଏଠାରେ ଏକ ଜାତୀୟ ସ୍ତରର ‘ଗଣମାଧ୍ୟମ ସଂଗ୍ରହାଳୟ’ ଖୋଲାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଉତ୍ସବରେ ଅନ୍ୟତମ ଅତିଥିଭାବେ ଆଇଆଇଏମ୍ସି, ନୂଆଦିଲ୍ଲୀର ଏକାଡେମିକ୍ ଡିନ୍ ପ୍ରଫେସର ବିଜୟ ପରମାର୍ କହିଛନ୍ତି, “ଆଇଆଇଏମ୍ସି ଢେଙ୍କାନାଳର ଏ ଯାତ୍ରା ପଛରେ ଏହାର ଅଧ୍ୟାପକ, କର୍ମଚାରୀଙ୍କ ବିଶେଷ ଭୂମିକା ରହିଛି। ସେମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ହିଁ ଆଜି ଏ ସଂସ୍ଥାନକୁ ଅନନ୍ୟ ପରିଚୟ ଦେଇଛି।”

ଅଧ୍ୟକ୍ଷତା କରି ଆଇଆଇଏମ୍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, “କୌଣସି ସଂସ୍ଥାନର ୨୫ ବର୍ଷ ପୂର୍ତ୍ତି ବହୁତ ଅଧିକ ହୋଇନପାରେ। ହେଲେ ବିଶ୍ୱସନୀୟତା ପ୍ରତିଷ୍ଠାନ ଓ ପଥ ଦେଖାଇବା ପାଇଁ ଏହା ଯଥେଷ୍ଟ। ତେବେ ଆଇଆଇଏମ୍ସି ଢେଙ୍କାନାଳର ଏ ବୟସରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ନେଇ ଆମେ ସଙ୍କଳ୍ପବଦ୍ଧ।”

ଏହି ଅବସରରେ ସଂସ୍ଥାନ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସମ୍ବାଦ ପ୍ରସଙ୍ଗ-୨’ ଓ ‘ମିଡିଆ ୩୬୦ ଡିଗ୍ରୀ’ ଉନ୍ମୋଚିତ ହୋଇଛି। ଧନ୍ୟବାଦ ଅର୍ପଣ କରିଛନ୍ତି ଇତିଶ୍ରୀ ସିଂହ ରାଠୋର।

Comment