ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଜନାଦେଶକୁ ନମ୍ରତାର ସହ ଗ୍ରହଣ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପରାଜୟକୁ ଗ୍ରହଣ କରିବା ସହ ଦଳ ଆତ୍ମସମୀକ୍ଷା କରି ପରାଜୟର କାରଣ ଖୋଜିବ ବୋଲି ଟୁଇଟ୍ କରିଛନ୍ତି।

ବିଜେପୁର ଉପ-ନିର୍ବାଚନକୁ ନେଇ ସିଙ୍ଘ ଭଳି ଗର୍ଜୁଥିବା ବିଜେପିର ସ୍ୱର ନରମି ଯାଇଛି। ପରାଜୟକୁ ବିଜେପିର ତୁଙ୍ଗ ନେତାମାନେ ନମ୍ରତାର ସହ ଗ୍ରହଣ କରିଛନ୍ତି। ବିଜେପୁର ଉପ-ନିର୍ବାଚନର ପ୍ରଚାର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପାଇଁ ଆତ୍ମସମୀକ୍ଷାର ବେଳ ଆସିଛି ବୋଲି କହିଛନ୍ତି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ବି ପରାଜୟକୁ ଗ୍ରହଣ କରିଛନ୍ତି।

ବିଜେପୁରରେ ବିଜେପିର ବିଜୟ ନିଶ୍ଚିତ ବୋଲି ବିଜେପି ନେତାମାନେ ଦୃଢ଼ତାର ସହ କହୁଥିଲେ। ହେଲେ ଫଳାଫଳ ବାହାରିବା ପରେ ସ୍ଥିତି ଓଲଟି ଯାଇଥିଲା। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବିଜେଡି ପ୍ରାର୍ଥୀଙ୍କଠାରୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି।

ବିଜେପି ପରାଜିତ ହେବା ଖବର ଆସିବା ପରେ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟ ନେତା ଶୂନ୍ୟ ହୋଇଯାଇଥିଲା। କୌଣସି ନେତାଙ୍କୁ ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧି ଦେଖିବାକୁ ପାଇ ନଥିଲେ। ଅପରାହ୍ଣ ୩ଟାରେ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା।

ବିଜେଡି ବିଜେପୁର ବିଜୟକୁ ନେଇ ଉତ୍ସବ ପାଳୁଥିବା ବେଳେ ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟୁଜ୍ ଏଜେନ୍ସୀ ଏବଂ ଟୁଇଟର୍ ଜରିଆରେ ପରାଜୟ ସ୍ୱୀକାର କରିଥିବା କହିଥିଲେ। ଏହାସହ ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ପ୍ରେସ୍ ବିବୃତି ମାଧ୍ୟମରେ ଦଳର ପରାଜୟକୁ ଗ୍ରହଣ କରିଥିବା ଦର୍ଶାଇଥିଲେ।

ଧର୍ମେନ୍ଦ୍ର ପ୍ରଧାନ ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି, “ଦଳର ପରାଜୟକୁ ନେଇ ଆମେ ଆତ୍ମ ସମୀକ୍ଷା କରିବୁ। ଦଳ ପରାଜୟର କାରଣ ଖୋଜି ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବୁ। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ଜନ ସମସ୍ୟାକୁ ନେଇ ବିଜେପି ତାର କାର୍ଯ୍ୟ କରିବାର ଶୈଳୀକୁ ତ୍ୱରା୍ନ୍ୱିତ କରିବ। ବିଜେପୁର ଜନାଦେଶକୁ ବିଜେପି ନମ୍ରତାର ସହ ସ୍ୱୀକାର କରୁଛି।”

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ବିଜେପି ତାର ଅଭିମତକୁ ବିଜେପୁରର ଜନସାଧାରଣଙ୍କୁ ସଠିକ୍ ଭାବେ ବୁଝାଇବାରେ ସଫଳ ହୋଇ ପାରି ନାହିଁ। ଏ ଦିଗ ପ୍ରତି ଆମେ ଧ୍ୟାନ ଦେବୁ।

ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରେସ୍ ବିବୃତି ଜରିଆରେ କହିଛନ୍ତି, “ବିଜେପୁର ଭୋଟରଙ୍କ ରାୟକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ। ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁ କଂଗ୍ରେସ କର୍ମୀଙ୍କ ସହ ବିଜେଡିରେ ମିଶିବାରୁ ବିଜେଡି ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। କଂଗ୍ରେସକୁ ବିଜେପୁରବାସୀ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଲଢ଼େଇ କରିବା ପାଇଁ ତୃଣମୂଳ ସ୍ତରର କର୍ମୀଙ୍କୁ ପ୍ରୋତ୍ସାହିତ କରାଯିବ।”

LEAVE A REPLY

Please enter your comment!
Please enter your name here