ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଆଇନ ଅର୍ଥ କାରବାର ଅଭିଯୋଗରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ସିବିଆଇ ଗିରଫ କରିଛି।

ବେଆଇନ ଅର୍ଥ କାରବାର ଅଭିଯୋଗରେ ଲଣ୍ଡନରୁ ଭାରତ ଫେରୁ ଥିବାବେଳେ ଚେନ୍ନାଇ ବିମାନବନ୍ଦରରୁ କାର୍ତ୍ତି ଚିଦାମ୍ବରମଙ୍କୁ ଗିରଫ କରିଛି ସିବିଆଇ।

ଆଇଏନଏକ୍ସ ମିଡିଆରେ ବେଆଇନ ଅର୍ଥ କାରବାର ଅଭିଯୋଗରେ କାର୍ତ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏକ ଅଦାଲତରେ ହାଜର କରାଯିବ।

“ଯାଞ୍ଚ ସମୟରେ କୌଣସି ସହଯୋଗ କରୁନଥିଲେ କାର୍ତ୍ତି। ଏହାସହ ଆମ ପ୍ରଶ୍ନର ଉତ୍ତର ମଧ୍ୟ ଦେଉନଥିଲେ। ଲଣ୍ଡନ ଯାଇ ସେଠାରେ ନିଜ ବିରୋଧରେ ଥିବା ଅଭିଯୋଗର ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରୁଥିଲେ ସେ”, କହିଛି ସିବିଆଇ।

ଏହା ପୂର୍ବରୁ କାର୍ତ୍ତିଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌ ଭାସ୍କରରମଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିଲା। ତାଙ୍କୁ ଦିଲ୍ଲୀର ଏକ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

କାର୍ତ୍ତିଙ୍କୁ ଇଡ଼ି ଓ ସିବିଆଇ ପକ୍ଷରୁ ବିଭିନ୍ନ ସମୟରେ ପଚରାଉଚୁରା କରାଯାଇଥିଲା। ଏବେ ତାଙ୍କୁ ଗିରଫ କରାଯାଇଛି।

ଅଭିଯୋଗ ଅନୁସାରେ ଆଇଏନଏକ୍ସ ମିଡିଆର ବିଦେଶ ନିବେଶକୁ ମଞ୍ଜୁରୀ ଦେବା ନିମନ୍ତେ କାର୍ତ୍ତି ୨୦୦୭ରେ ଆଇଏନଏକ୍ସଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ।

ଏହାଦ୍ୱାରା ଆଇଏନଏକ୍ସକୁ ୪ କୋଟି ଟଙ୍କାର ବିଦେଶ ପୁଞ୍ଜି ନିବେଶର ମଞ୍ଜୁରୀ ମିଳିଥିଲା। କିନ୍ତୁ ଏହାର ଦୁରୁପଯୋଗ କରି ଆଇଏନ୍‌ଏକ୍ସ ୩୦୫ କୋଟି ଟଙ୍କା ହାତେଇ ନେଇଥିଲା।

Comment