ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନରେ ଦମ୍‌ ଦେଖାଇଛି ବିଜେଡି। ପ୍ରତିପକ୍ଷଙ୍କୁ ମାତ୍‌ ଦେଇ ବିଜୟ ବାନା ଉଡ଼ାଇଛି ଶାସକ ଦଳ। ଆଗୁଆ ରଣନୀତି ଏବଂ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରି ବିଜେଡି ପ୍ରତିପକ୍ଷ ବିଜେପି-କଂଗ୍ରେସ ଆଖିରୁ ନିଦ ହଜାଇ ଦେଇଛି।

ବିଜେପୁରରେ ବାଜିମାତ୍ କରିଛି ବିଜେଡି। କଂଗ୍ରେସର ଅଭେଦ୍ୟ ଦୁର୍ଗରେ ବିଜୟ ବାନା ଉଡାଇଛି ଶାସକ ଦଳ। ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକରେ ବିଜେଡି ଏମିତି ଗୋଟି ଚାଳନା କରିଥିଲା ଯେ ପ୍ରତିପକ୍ଷ ଦଳ ଟେର୍ ପାଇଲେନି। ଫଳରେ ବିଜେଡି ପ୍ରାର୍ଥୀ ରିତା ସାହୁ ୪୧,୯୩୩ ଭୋଟ ବ୍ୟବଧାନରେ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ପରାଜିତ କରିଥିଲେ। ଆଉ କଂଗ୍ରେସ ଧରାଶାୟୀ ହୋଇଥିଲା। ବିଜେଡିର ଗୋଟି ଚାଳନା ଆଗରେ ବିରୋଧୀଙ୍କ ରଣନୀତି ଫେଲ୍ ମାରି ଯାଇଥିଲା।

ରଣନୀତି-୧: ସୁବଳ ସାହୁଙ୍କ ଦେହାନ୍ତ ପରଠୁ ହିଁ ବିଜେଡି ବିଜେପୁର ଆସନ ଉପରେ ଆଖି ପକାଇଥିଲା। ବିଜେପୁରରେ କେମିତି ବିଜୟ ବାନା ଉଡ଼ାଇବ ତାକୁ ନେଇ ବିଜେଡି ମ୍ୟାନେଜର ଭୁବନେଶ୍ବରରେ ଅଙ୍କ କଷିଥିଲେ। ଫଳସ୍ୱରୂପ ସୁବଳ ସାହୁଙ୍କ ପରିବାରକୁ ଦଳକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଏହି ଯୋଜନାରେ ସଫଳ ହୋଇଥିଲେ ବିଜେଡି ନେତା। ସୁବଳଙ୍କ ପୁଅ ସୁମିତ ସାହୁ ଏବଂ ସ୍ତ୍ରୀ ରିତା ସାହୁ ବିଜେଡି ଆପଣାଇ ନେଇଥିଲା। ୨୦୧୭ ସେପ୍ଟେମ୍ବର ୨୩ ତାରିଖରେ ରିତା ବିଜେଡିରେ ଯୋଗ ଦେଇଥିଲେ। ଏଥିପାଇଁ  ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଫୁଲତୋଡ଼ା ଦେଇ ରିତାଙ୍କୁ ବିଜେଡିକୁ ସ୍ୱାଗତ କରିଥିଲେ। କାଳବିଳମ୍ବ ନକରି ନବୀନ ସେପ୍ଟେମ୍ବର ୨୬ରେ ରିତାଙ୍କୁ ବିଜେପୁରର ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ।

ରଣନୀତି-୨: ରିତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ବିଜେପୁର ବିଜେଡିରେ ଦେଖାଦେଇଥିଲା ଅସନ୍ତୋଷ। ଏହାକୁ ତୃଣମୂଳ ସ୍ତରର ବିଜେଡି କର୍ମୀ ଗ୍ରହଣ କରିପାରି ନଥିଲେ। ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଚାଲିଲା ମନ୍ଥନ। ବରଗଡ଼ ଜିଲ୍ଲାର ବିଜେଡି ନେତା ଏବଂ କିଛି ଛାମୁଆ କର୍ମୀଙ୍କୁ ନେଇ ନବୀନ ନିବାସରେ ବସିଲା ବୈଠକ। ଏହି ବୈଠକରେ ଅସନ୍ତୁଷ୍ଟ ଥିବା ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ମାନ ଭଞ୍ଜନ କରାଯାଇଥିଲା। ରିତାଙ୍କୁ ଜିତାଇବା ପାଇଁ ବିଜେଡି ନେତାମାନେ ଏହିଠାରୁ ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ରଣନୀତି-୩: ବିଜେପୁର ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଖୋଲିଲେ ଯୋଜନାର ପେଡ଼ି। ବିଜେପୁରକୁ ଏନଏସି ମାନ୍ୟତା ସହ ସବ୍-ରେଜିଷ୍ଟ୍ରାର ଅଫିସ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ। ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ବିଜେପୁରବାସୀ ଖୁସି ପ୍ରକାଶ କରିଥିଲେ। ସେହିପରି ଚାଷ ଜମିକୁ ଜଳସେଚନର ସୁବିଧା ପାଇଁ ନବୀନ ଘୋଷଣା କରିଥିଲେ ମେଗା ଜଳସେଚନ ପ୍ରକଳ୍ପ। ଗଙ୍ଗାଧର ମେହେର ଲିଫ୍ଟ ଇରିଗେସନ ସିଷ୍ଟମ ନାଁରେ ପ୍ରକଳ୍ପ ଘୋଷଣା କରି ବିଜେଡି ବିଜେପୁରବାସୀଙ୍କ ମନକୁ ଛୁଇଁଥିଲା। ଏହି ପ୍ରକଳ୍ପ ପାଇଁ ୧୨୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଖାଲି ସେତିକି ନୁହେଁ, ୩ଟି ଯାକ ବ୍ଲକରେ ଯାହା ସମସ୍ୟା ଥିଲା ସେଗୁଡ଼ିକୁ ସ୍ଥାନୀୟ ବିଜେଡି ନେତାଙ୍କ ସହାୟତାରେ ଠାବ କରାଯାଇ ସମାଧାନ କରାଯାଇଥିଲା।

ରଣନୀତି-୪: ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡିର ବର୍ତ୍ତମାନ ବିଧାୟକ ଏବଂ ପୂର୍ବତନ ବିଧାୟକ ପ୍ରତି ପଞ୍ଚାୟତରେ ଡେରା ପକାଇଥିଲେ। ତୃଣମୂଳ ସ୍ତରର କର୍ମୀଙ୍କ ସହଯୋଗରେ ଲୋକଙ୍କୁ ଭେଟିଥିଲେ। ଗାଁ ଗାଁରେ ଥିବା ସମସ୍ୟା ଚିହ୍ନଟ କରି ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।

ରଣନୀତି-୫: ପଶ୍ଚିମ ଓଡ଼ିଶାର ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବେଶ ଆଚାର୍ଯ୍ୟ ୩ଟି ଯାକ ବ୍ଲକରେ ଡେରା ପକାଇଲେ। ବିଜେଡି କେମିତି ଜିତିବ ତାକୁ ନେଇ ତୃଣମୂଳ ସ୍ତରର କର୍ମୀଙ୍କ ସହ ଆଲୋଚନା କଲେ।

ପଶ୍ଚିମ ଓଡ଼ିଶାର ଏହି ହେଭିୱେଟ ନେତାଙ୍କ ସହ ଯୋଡ଼ି ହୋଇଗଲେ ଉପକୂଳ ଓଡ଼ିଶାର କିଛି ନେତା। ବିଧାୟକ ସଞ୍ଜୟ ଦାସବର୍ମା, ଡକ୍ଟର ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ବିଜେପୁରରେ ଡେରା ପକାଇ ପ୍ରତିପକ୍ଷଙ୍କୁ ମାତ୍ ଦେବା ପାଇଁ ସଫଳ ରଣନୀତି ପ୍ରସ୍ତୁତ କଲେ। ବିଜେଡିର ଏହି ରଣନୀତି ସମ୍ପର୍କରେ ପ୍ରତିପକ୍ଷ ପତ୍ତା ପାଇଲେନି।

ରଣନୀତି-୬: ବିଜେପୁରର ୩ଟି ବ୍ଲକରେ ବିଜେଡି ପ୍ରଚାରକୁ ଜୋରଦାର କରିଥିଲା। ଗାଁ ଗାଁ ବୁଲି ନେତା ବିଜେଡି ସରକାରର ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କଲେ। ବିଜେଡିର ନୀତି ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଅଭିନେତାରୁ ନେତା ହୋଇଥିବା ସାଂସଦ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଏବଂ ବିଧାୟକ ଆକାଶ ଦାସନାୟକ ଘର ଘର ବୁଲି ଭୋଟରଙ୍କୁ ଭେଟିଥିଲେ। ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିଥିବା କୁହାଯାଉଛି।

ରଣନୀତି-୭: ବିଜେପୁର ପ୍ରଚାର ମଇଦାନୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ସେ ବରପାଲି, ବିଜେପୁର ଏବଂ ଗାଇସିଲଟ ବ୍ଲକରେ ପ୍ରଚାର କରିଥିଲେ। ୨୦ ତାରିଖ ରାତିରେ ନବୀନ ବରଗଡ଼ ସର୍କିଟ ହାଉସରେ ରହିଥିଲେ। ଉପ-ନିର୍ବାଚନ ପରିଚାଳନା କେମିତି ହେଉଛି ତାର ତଦାରଖ କରିଥିଲେ। ନବୀନଙ୍କ ଏହି ରାତି ରହଣି ଏବଂ ଦୁଇ ଦିନିଆ ପ୍ରଚାର ବିଜେଡି କର୍ମୀଙ୍କୁ ଉତ୍ସାହିତ କରିଥିଲା।

“ପ୍ରତିପକ୍ଷଙ୍କୁ ଦୃଷ୍ଟିରେ ରଖି ଆମେ ନିର୍ବାଚନ ପରିଚାଳନା କରିଥିଲୁ। ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ଆମ ନେତା ଓ କର୍ମୀମାନେ ରହିଥିଲେ। ଯେଉଁମାନେ ନିର୍ବାଚନ ପରିଚାଳନା କରୁଥିଲେ ସେମାନଙ୍କ ଭିତରେ ସମନ୍ୱୟ ରହିଥିଲା। ଫଳରେ ଆମେ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେଲୁ”, କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।

ଫେଲ୍‌ ମାରିଲା ବିଜେପି

ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ବିଜେପି ମଇଦାନକୁ ଓହ୍ଲାଇଥିଲା। ମାଳ ମାଳ କେନ୍ଦ୍ର ମନ୍ତ୍ରୀ ଏବଂ ସିନେ ଷ୍ଟାରଙ୍କୁ ପ୍ରଚାର ମଇଦାନକୁ ଆଣି କେନ୍ଦ୍ର ଯୋଜନା ସମ୍ପର୍କରେ ଅବଗତ କରିଥିଲା। ହେଲେ ବିଜେପୁରବାସୀଙ୍କ ମନକୁ ଛୁଇଁ ପାରି ନଥିଲା ବିଜେପି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଏବଂ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ ବିଜେପି ପ୍ରଚାରର ମଙ୍ଗ ଧରିଥିଲେ ମଧ୍ୟ ଲୋକେ ଏହି ଦଳକୁ ଗ୍ରହଣ କରି ନାହାନ୍ତି। ଗାଁ ଗାଁରେ ବିଜେପିର କର୍ମୀ ଓ ନେତା ଡେରା ପକାଇଥିଲେ। ହେଲେ ବିଜେଡି ରଣନୀତି କ’ଣ ଚାଲିଛି ତାର କିଛି ଟେର୍ ପାଇ ନଥିଲା ବିଜେପି।

“ବିଜେପୁରରେ ବିଜେଡି ସରକାରୀ ଅଫିସରଙ୍କୁ ନିୟୋଜିତ କରିଥିଲା। ସେମାନେ ହିଁ ନିର୍ବାଚନ ପରିଚାଳନା କରିଥିଲେ। ନେତା କେବଳ ଡେରା ପକାଇଥିଲେ”, କହିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା।

Comment