ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ରାଜ୍ୟ ନେତାମାନେ ଯେଉଁ ସବୁ ବଡ଼ ବଡ଼ କଥା କହୁଥିଲେ ତାହା ନିରର୍ଥକ ପ୍ରମାଣିତ ହୋଇଛି। ଏହି ଗୁରୁତ୍ତ୍ବପୂର୍ଣ୍ଣ ନିର୍ବାଚନରେ ବିଜେଡିର ରିତା ସାହୁ ୪୧ ହଜାର ୯୩୩ ଭୋଟ ବ୍ୟବଧାନରେ ଜିତି କେବଳ ବିଜେପିର ଆଶାକୁ ଧୂଳିସାତ କରିଦେଇଛନ୍ତି ତାହାନୁହେଁ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ହରାଇବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି।
ବିଜେପୁରରେ ବିଜେପିର ହାରିବା ପଛରେ ବହୁ କାରଣ ରହିଛି। ନିଜକୁ ଅତି ବଡ଼ ବୋଲି ଭାବିବା, ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ହିଂସାର ଆଶ୍ରୟ ନେବା, ଦିଲ୍ଲିପ ରାୟ ଓ ବିଜୟ ମହାପାତ୍ରଙ୍କ ଭଳି ଅଭିଜ୍ଞ ନେତାଙ୍କୁ ସାଥିରେ ନନେବା ଏସବୁ ଗୋଟିଏ ଗୋଟିଏ କାରଣ ବୋଲି କୁହାଯାଉଛି।
ବିଜେପୁର ଉପ-ନିର୍ବାଚନର ଦାୟିତ୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଇଥିଲେ। ଏହି ବିଫଳତା ପାଇଁ ତାଙ୍କୁ ହିଁ ଜବାବ ଦାଖଲ କରିବାକୁ ହେବ। ମନେହୁଏ ବିଜେପିର ରଣନୀତିରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଇଥିଲା। ଗତ ପଞ୍ଚାୟତ ନିର୍ବାଚନରେ ବିଜେପୁରରୁ ବିଜେପି ୯୨ ହଜାର ଭୋଟ ପାଇଥିବା ବେଳେ ଏଥର ତାହା ସାଙ୍ଘାତିକ ଭାବରେ କମିଛି। ଯଦି ଏହାହିଁ ହୁଏ ତେବେ ୧୨୦ରୁ ୦ ବାଦ ଦେବା ଭଳି ପରିସ୍ଥିତି ଯେ ନହେବ ସେ କଥା କିଏ କହିବ?
ଭୋଟ ପୂର୍ବର ଘଟଣାବଳୀ ଉପରେ ଯଦି ଆଖି ପକାଯାଏ ଏହା ପ୍ରମାଣିତ କରୁଛି ଯେ ବିଜେପିର ରଣକୌଶଳ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାରେ ଚପଲ ଫିଙ୍ଗିବା, ପାଣ୍ଡିଆନଙ୍କ ଘରକୁ ଗୋବର ଫୋପାଡ଼ିବା ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ବିଜେପି ମୂଳରୁ ହିଁ ଆଶା ହରାଇଥିଲା।
ଖାଲି ସେତିକି ନୁହେଁ ବରଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ଉପରେ ବର୍ଷିବା ଧର୍ମେନ୍ଦ୍ରଙ୍କ ଅହଙ୍କାରର ପରିଚୟ ଦେଉଥିଲା ଏବଂ ସ୍ୱାଭାବିକ ଭାବରେ ଭୋଟରମାନେ ବିଜେପିଠାରୁ ସେମାନଙ୍କ ମୁହଁ ଫେରାଇ ନେଇଥିଲେ। ସତ କହିବାକୁ ଗଲେ, ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପୁର ଥିଲା ବିଜେପି ପାଇଁ ଏକ ବଡ଼ ପରୀକ୍ଷା। କିନ୍ତୁ ଏହି ପରୀକ୍ଷାଟି କ୍ରମଶଃ ଧର୍ମେନ୍ଦ୍ରଙ୍କ ଅହଙ୍କାର ଓ ନବୀନଙ୍କ ସଂଭ୍ରମତାର ଲଢେ଼ଇରେ ପରିଣତ ହୋଇଯାଇଥିଲା। ଗୋଟିଏ ପଟେ ଧର୍ମେନ୍ଦ୍ର ଓ ତାଙ୍କ ଦଳୀୟ ନେତାମାନେ (ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ସମେତ) କାହିଁକି କେଜାଣି ନିଜ ନିଜ ଔଦ୍ଧତ୍ୟ ପ୍ରକାଶରେ ଲାଗିପଡ଼ିଥିଲେ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ, ବିଧାୟକ ଓ କର୍ମକର୍ତ୍ତାମାନେ କୌଣସି ପ୍ରକାର ଅହଙ୍କାର ପ୍ରଦର୍ଶନ କରିନଥିଲେ। ଏମାନେ ଲୋକଙ୍କ ପାଖକୁ ଯାଇ ଭୋଟ ମାଗୁଥିଲେ। ବିଜେପିର ନକରାତ୍ମକ ପ୍ରଚାର ଦ୍ୱାରା ପ୍ରଭାବିତ ନହୋଇ ନବୀନ ନିଜ ବାଟରେ ନିର୍ବାଚନ ଜିତିବା ପାଇଁ କୌଶଳ ପ୍ରସ୍ତୁତ କରିଥିଲେ ଓ ଏଥିରେ ସଫଳ ମଧ୍ୟ ହେଲେ।
ଲକ୍ଷାଧିକ ଭୋଟ ପାଇ ବିଜେଡି ପ୍ରାର୍ଥୀ ଜିତିବା ପରେ ନବୀନ ପଟ୍ଟନାୟକ ଦଳର ସୁପ୍ରିମୋ ଭାବରେ ନିଜର ଲୋକପ୍ରିୟତାକୁ ବଜାୟ ରଖିଛନ୍ତି। ୧୨୦ ଆସନ ଜିତିବାର ଆସ୍ପର୍ଦ୍ଧା ରଖୁଥିବା ବିଜେପି ସଭାପତି ଅମିତ ଶାହାଙ୍କୁ ମଧ୍ୟ କଡ଼ା ସନ୍ଦେଶ ପଠାଇବାରେ ସଫଳ ହୋଇଛନ୍ତି।
ନିର୍ବାଚନରେ ହାରିବା ପରେ ଧର୍ମେନ୍ଦ୍ର ଓ ତାଙ୍କ ଅନୁଗତମାନେ ବର୍ତ୍ତମାନ ସମୀକ୍ଷା କରିବା ଦରକାର କେଉଁଠି ତ୍ରୁଟି ରହିଲା? ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପୁରରେ ଦଳ ପକ୍ଷରୁ ମୁଖ୍ୟ ଆକର୍ଷଣ କରାଯାଇଥିଲା। ସେ ହିଁ ସବୁକିଛି ବୁଝୁଥିଲେ ଏବଂ ଦଳର ବହୁ ପ୍ରଭାବଶାଳି ନେତାଙ୍କୁ ହିସାବକୁ ନେଇ ନଥିଲେ। ଫଳରେ ସେହି ନେତାମାନେ ଧର୍ମେନ୍ଦ୍ରଙ୍କ ବିରୋଧରେ ଏକ ବୈଚାରିକ ମତଭେଦ ସୃଷ୍ଟି କରିଥିଲେ।
ବିଜେପୁର ବିଜେଡି ଅପେକ୍ଷା ବିଜେପି ପାଇଁ ଗୁରୁତ୍ବପୂର୍ଣ ଥିଲା। କାରଣ ବିଜେପି ଏହିଠାରୁ ହିଁ ନବୀନ ସରକାରଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥାନ୍ତା। ଧର୍ମେନ୍ଦ୍ର ବାରମ୍ବାର କହୁଥିଲେ ଯେ ଓଡ଼ିଶାରେ ୨୦୧୯ରେ ବିଜେପିର ଶାସନ ପାଇଁ ବିଜେପୁରରେ ହିଁ ମୂଳଦୁଆ ପଡ଼ିବ। ଭୋଟ ଫଳ ଆସିବା ପରେ ଧର୍ମେନ୍ଦ୍ର ଓ ତାଙ୍କ ଅନୁଗତମାନେ ଯେଉଁ ଯୁକ୍ତି ବାଢ଼ୁଛନ୍ତି ତାହା ଗାଲୁ ଭୁରୁଡ଼ି ବ୍ୟତୀତ ଆଉ କିଛି ନୁହେଁ।
ବର୍ତ୍ତମାନ ସମୟ ଆସିଛି ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ବିଚାର କରି ଦେଖିବା ଦରକାର ଧର୍ମେନ୍ଦ୍ରଙ୍କୁ ଦଳର ଘଣ୍ଟି କରିବା ଠିକ୍ ହେବ କି? ଯେଉଁମାନେ ବିଜେପିର ଗତିବିଧିକୁ ଲକ୍ଷ୍ୟ କରି ଆସିଛନ୍ତି ସେମାନଙ୍କ କହିବା କଥା ଯେ ଧର୍ମେନ୍ଦ୍ର କଦାପି ସର୍ବାନନ୍ଦ ସୋନୱାଲ ହୋଇ ପାରିବେ ନାହିଁ। ଧର୍ମେନ୍ଦ୍ର ବର୍ତ୍ତମାନ ଦଳ ପାଇଁ ଏକ ବୋଝ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଏଣୁ ୨୦୧୯ରେ ନିର୍ବାଚନ ଜିତିବାକୁ ହେଲେ ଅମିତ ଶାହାଙ୍କୁ ବିକଳ୍ପ ଚିନ୍ତା କରିବା ପାଇଁ ହେବ।