ଓଡ଼ିଶାଲାଇଭ୍ ବ୍ୟୁରୋ
ମେଘାଳୟରେ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ନେତୃତ୍ୱରେ ବିଜେପି ଏଠାରେ ସରକାର ଗଢ଼ିବାକୁ ଯାଉଛି।
ଚଳିତବର୍ଷ ମେଘାଳୟ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୨୧ଟି ଆସନ ଜିତିଥିଲେ ହେଁ ସରକାର ଗଠନ କରିବାରେ ବିଫଳ ହୋଇଛି।
ବିଜେପି-ଏନପିପି ମେଣ୍ଟ ମୋଟ ୩୪ଜଣ ବିଧାୟକଙ୍କ ସମର୍ଥନ ନେଇ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ସରକାର ଗଠନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏବେ କେବଳ ରାଜଭବନ ପକ୍ଷରୁ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି।
ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍ପିପି) ଅଧ୍ୟକ୍ଷ କନରାଡ ସାଙ୍ଗମା ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ଥିର ହୋଇଛି। ୬ ତାରିଖ ମଙ୍ଗଳବାର ପୂର୍ବାହ୍ନ ସାଢେ ୧୦ଟାରେ ସାଙ୍ଗମା ଶପଥ ନେବେ।
ଚଳିତ ବିଧାନସଭା ନିର୍ବାଚନ ୫୯ଟି ଆସନ ପାଇଁ କରାଯାଇଥିଲା। ଶାସକ କଂଗ୍ରେସ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ ୨୧ଟି ଆସନ ଜିତିଛି। ଗତ ନିର୍ବାଚନ ଅପେକ୍ଷା ଏଥର କଂଗ୍ରେସ ୮ଟି ଆସନ କମ୍ ପାଇଛି। ଏନପିପି ୧୯ ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।
ଆଇଇଡି ବିସ୍ଫୋରଣରେ ଜଣେ ଏନସିପି ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେହି ଆସନରେ ନିର୍ବାଚନ ବାତିଲ କରାଯାଇଛି।
ବିଜେପି (୨), ଏନପିପି (୧୯), ୟୁଡିପି (୬), ଏଚଏସ୍ପିଡିପି (୨), ପିଡିଏଫ (୪) ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ନେଇ ମେଣ୍ଟ ସରକାର ଗଠନ ପାଇଁ ନ୍ୟାସନାଲ ପିପୁଲ୍ସ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।
ଗତବର୍ଷ ଗୋଆ ନିର୍ବାଚନରେ ସର୍ବାଧିକ ଆସନ ଜିତିଥିଲେ ବି କଂଗ୍ରେସ ସରକାର ଗଢ଼ିପାରିନଥିଲା। ମେଘାଳୟରେ ବି ଦଳକୁ ସମାନ ଅବସ୍ଥାର ସାମ୍ନା କରିବାକୁ ପଡ଼ିଛି।
ମୋଟ ୫୯ଟି ଆସନରୁ ସର୍ବାଧିକ ୨୧ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ କଂଗ୍ରେସ ମ୍ୟାଜିକ ସଂଖ୍ୟା ପାଇଁ ଆଉ ୧୦ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହୋଇଛି।








ମେଘାଳୟରେ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ନେତୃତ୍ୱରେ ବିଜେପି ଏଠାରେ ସରକାର ଗଢ଼ିବାକୁ ଯାଉଛି।








