ଓଡ଼ିଶାଲାଇଭ୍ ବ୍ୟୁରୋ

ମେଘାଳୟରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରତାପ ରଂଜନ ପରିଡ଼ାଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ପୁରୀ ଜିଲ୍ଲା ଗୋପସ୍ଥିତ ମଲ୍ଲଗ୍ରାମରେ ପହଞ୍ଚିଛି। ସୋମବାର ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଯବାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

ବିଏସଏଫ ଯବାନ ହାବିଲଦାର ମେଜର ପ୍ରତାପ ରଂଜନ ପରିଡ଼ାଙ୍କ ଶନିବାର ରାତିରେ ମେଘାଳୟରେ ମୃତ୍ୟୁ ଘଟିଥିଲା। ସେ ବାଂଲାଦେଶ ସୀମାରେ ଥିବା ମେଘାଳୟର ତୁରାରେ କାର୍ଯ୍ୟରତ ଥିବା ସମୟରେ କିଛି ଦୁର୍ବୃତ୍ତଙ୍କ ଦ୍ଵାରା ସଂଘବଦ୍ଧ ଆକ୍ରମଣରେ ସହିଦ ହୋଇଥିଲେ।

ଏହି ଆକ୍ରମଣରେ ସେ ଏକ ବଡ଼ ଖାଲକୁ ଖସିପଡ଼ିଥିଲେ। ଏହାପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

ଏହାପରେ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ରବିବାର ଓଡ଼ିଶା ଅଭିମୁଖେ ପଠାଯାଇଥିଲା। ରବିବାର ସନ୍ଧ୍ୟାରେ ପାର୍ଥିବ ଶରୀର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲା। ହେଲେ ରାତି ଅଧିକ ହୋଇଯାଇଥିବାରୁ ତାଙ୍କ ପାର୍ଥିବ ଶରୀରକୁ ଖୋର୍ଦ୍ଧାସ୍ଥିତ ବିଏସଏଫ୍‌ କ୍ୟାମ୍ପକୁ ନିଆଯାଇଥିଲା।

ସୋମବାର ସକାଳେ ସହିଦ ପ୍ରତାପ ରଂଜନ ପରିଡ଼ାଙ୍କୁ ବିଏସଏଫ୍‌ କ୍ୟାମ୍ପରେ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ସେଠାରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଓ ଅନ୍ୟ ବ୍ୟକ୍ତି ବିଶେଷମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ଗୋପ ଅଭିମୁଖେ ପଠାଯାଇଥିଲା।

ସୋମବାର ଅପରାହ୍ଣରେ ମଲ୍ଲଗ୍ରାମ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଯବାନଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।  

Tags: #PratapRanjanParida #MartyredOdiaJawan #BSF #Meghalaya #Odisha

Comment