ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ପ୍ଲାଷ୍ଟିକ ବ୍ୟବହାର ନିଷେଧ କରିଥିଲେ, କିନ୍ତୁ ସରକାରଙ୍କ ନିୟମ ଏବେ ପ୍ରଭାବହୀନ ହୋଇପଡ଼ିଛି।

ଦେଶର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ବଡ଼ ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ଗତ ୨୦୨୨ ମସିହା ଜୁଲାଇ ପହିଲାରୁ ସମଗ୍ର ଦେଶରେ  ବ୍ୟାନ୍‌ ହୋଇଥିଲା ପ୍ଲାଷ୍ଟିକ୍‌ର ବ୍ୟବହାର। ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ଆଇନ ଅନୁଯାୟୀ ଏହି ନିଷେଧ ଘୋଷଣା କରାଯାଇଥିଲା।

ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାରଙ୍କର ଏହି ଘୋଷଣା ପରେ ସବୁ ରାଜ୍ୟର ସରକାର ମଧ୍ୟ ଏହି ନିୟମକୁ ଲାଗୁ କରିବା ଉପରେ ଜୋର ଦେଇଥିଲେ।

ବିଶ୍ୱ ପରିବେଶ ଦିବସ ଅବସରରେ ହିମାଚଳ ପ୍ରଦେଶ ଓ ରାଜସ୍ଥାନ ସରକାର ବି ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବ୍ୟାନ୍‌ କରିବାକୁ ଘୋଷଣା କରିଥିଲେ। ଏହି ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କାର ଜରିମାନା ଭରିବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଇଥିଲା।

ସିଙ୍ଗଲ ୟୁଜ ପ୍ଲାଷ୍ଟିକର ପ୍ରସ୍ତୁତି, ଷ୍ଟକିଂ, ବିତରଣ ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏଥିସହ ପ୍ଲାଷ୍ଟିକ ଷ୍ଟିକ ଥିବା ଇୟର ବଡ଼, ବେଲୁନରେ ବ୍ୟବହୃତ ପ୍ଲାଷ୍ଟିକ, ପ୍ଲାଷ୍ଟିକ ପତାକା, କ୍ୟାଣ୍ଡି ଷ୍ଟିକ୍‌ସ, ଆଇସ୍କ୍ରିମ ଷ୍ଟିକ ଏବଂ ଘର ସଜ୍ଜା ପାଇଁ ବ୍ୟବହୃତ ବିକ୍ରିକୁ ବନ୍ଦ କରାଯାଇଥିଲା। ଏହା ସହ ଶହେ ମାଇକ୍ରନରୁ କମ୍‌ କ୍ଷମତାରେ ନିର୍ମିତ ଥର୍ମୋକୋଲ ପ୍ଲେଟ, କପ୍‌, ଗ୍ଲାସ, ମିଠା ବାକ୍ସକୁ ଗୁଡ଼ାଇବା ପାଇଁ ପ୍ୟାକିଂ ଫିଲ୍ମ ଆଦିକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା।

ଖାଲି ସେତିକି ନୁହେଁ, ୭୫ ମାଇକ୍ରନରୁ କମ୍‌ କ୍ଷମତା ବିଶିଷ୍ଟ ପଲିଥିନକୁ ବନ୍ଦ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦେଶ ଦେଇଥିଲେ। ଗ୍ରାହକଙ୍କୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବଦଳରେ ବାୟୋଡିଗ୍ରେଡେବଲ କଟଲରି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଝୋଟ କିମ୍ବା କପଡ଼ା ବ୍ୟାଗ୍‌ ବ୍ୟବହାର କରିବା ପାଇଁ କୁହାଯାଇଥିଲା। ବାହାରକୁ ଜିନିଷ କିଣିବାକୁ ଯିବାବେଳେ ଘରୁ କପଡ଼ା ବ୍ୟାଗ୍‌ ନେଇ ଯିବା ପାଇଁ କୁହାଯାଇଥିଲା। ପ୍ଲାଷ୍ଟିକ୍‌ ଡିସ୍ପୋଜାଲ ଜାଗାରେ କାଗଜ, ବାଉଁଶ କିମ୍ବା ମାଟିର ବାସନ ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ବର୍ତ୍ତମାନ ଯାହା ଦେଖାଯାଉଛି କେନ୍ଦ୍ର ସରକାରଙ୍କ ବ୍ୟାନ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କୌଣସି ପ୍ରକାର ପ୍ରଭାବ ପକାଇପାରି ନାହିଁ। ଲୋକେ ବେଧଡ଼କ ପ୍ଲାଷ୍ଟିକ ବ୍ୟବହାର କରି ଚାଲିଛନ୍ତି। ପ୍ଲାଷ୍ଟିକ ବ୍ୟବହାର ପରିବେଶ ଓ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ। ଏଦିଗରେ ଆତ୍ମ ସଚେତନତା ଆବଶ୍ୟକ। ପୂର୍ବରୁ ବି ପ୍ଲାଷ୍ଟିକ ନିର୍ମିତ କିଛି ସାମଗ୍ରୀ ଉପରେ ସରକାର କଟକଣା ଲଗାଇଥିଲେ।

ଏଥିରେ ୭୫ ମାଇକ୍ରୋନରୁ କମ ମୋଟା ଯୁକ୍ତ ପ୍ଲାଷ୍ଟିକ କ୍ୟାରି ବ୍ୟାଗର ପ୍ରସ୍ତୁତି, ଆମଦାନୀ, ବିତରଣ, ବିକ୍ରି ଓ ବ୍ୟବହାର ସାମିଲ ରହିଛି। ସେହିପରି ୨୦୨୨ ମସିହା ଡିସେମ୍ବର ୩୧ ତାରିଖରୁ ୧୨୦ ମାଇକ୍ରୋନରୁ କମ ମୋଟେଇଯୁକ୍ତ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି।

ଗତ ୨୦୧୮ ମସିହା ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ୨୦୨୨ ମସିହା ସୁଦ୍ଧା ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବ। ୨୦୧୯ ମସିହାରେ ଅନୁଷ୍ଠିତ ଜାତିସଂଘର ଚତୁର୍ଥ ପରିବେଶ ବୈଠକରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ବିଶ୍ୱର ସବୁ ରାଷ୍ଟ୍ରରେ ଏହାର ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଏକ ପ୍ରସ୍ତାବକୁ ଆଗେଇ ନେଇଥିଲା।

Tags: #SingleUsePlastic #PlasticUse #India #Odisha #BanUsePlastic

Comment