ଓଡ଼ିଶାଲାଇଭ୍‌ ବ୍ୟୁରୋ

“ସଂଘୀୟ ବ୍ୟବସ୍ଥା ଓ ସମାଜବାଦରେ ଗଭୀର ବିଶ୍ୱାସ କରୁଥିଲେ ବିଜୁବାବୁ। ସେ ଭାବୁଥିଲେ, ସମାନୁପାତରେ ରାଜ୍ୟଗୁଡ଼ିକର ବିକାଶ ନହେଲେ ଭାରତ କେବେ ବି ଶକ୍ତିଶାଳୀ ହୋଇପାରିବ ନାହିଁ।”

– ଏମ୍ ହମିଦ୍ ଅନସାରୀ, ପୂର୍ବତନ ଉପ-ରାଷ୍ଟ୍ରପତି

ସଂଘୀୟବାଦ ଉପରେ ବିଜୁବାବୁ ଯୁକ୍ତି ଉପସ୍ଥାପନ କରୁଥିଲେ, ପୂର୍ବତନ ଉପ-ରାଷ୍ଟପତି ହମିଦ ଅନସାରୀଙ୍କ ଏହି ମନ୍ତବ୍ୟରୁ ଜଣାପଡେ଼। ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକ ଅବସରରେ ପୂର୍ବତନ ଉପ-ରାଷ୍ଟ୍ରପତି କହିଥିଲେ, ରାଜ୍ୟଗୁଡ଼ିକର ସମାନୁପାତ ବିକାଶ ନହେଲେ ଭାରତ ଶକ୍ତିଶାଳୀ ହୋଇ ପାରିବନାହିଁ ବୋଲି ଦୃଢ଼ ଭାବେ ବିଶ୍ୱାସ କରୁଥିଲେ ବିଜୁ ପଟ୍ଟନାୟକ।

ବିଜୁବାବୁ ଚାହୁଁଥିଲେ ରାଜ୍ୟଗୁଡ଼ିକୁ ଅଧିକ କ୍ଷମତା ଓ ଅଧିକ ସ୍ୱାଧୀନତା ଦିଆଯାଉ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂପର୍କ ସ୍ଥିର ହେବା ସହ ଫେଡେରାଲ ସରକାର ପାଇଁ ସେ ଦୃଢ଼ ଯୁକ୍ତି ବାଢ଼ୁଥିଲେ। ଫେଡେରାଲ ବ୍ୟବସ୍ଥା ହେଉଛି କେନ୍ଦ୍ର ଅଧିକାରଭୁକ୍ତ ହୋଇ ମଧ୍ୟ ରାଜ୍ୟସମୂହ ଆଭ୍ୟନ୍ତରୀଣ ବ୍ୟାପାରରେ ସ୍ୱାଧୀନତା। ଅବଶ୍ୟ ଭାରତର ଅନେକ ନେତା ଏହି ପ୍ରସଙ୍ଗରେ ବିଜୁବାବୁଙ୍କୁ ନୈତିକ ସମର୍ଥନ କରୁଥିଲେ। ହେଲେ ସେମାନେ ଖୋଲାଖୋଲି ଏ ନେଇ ମୁହଁ ଖୋଲିବାକୁ ସାହସ କରିପାରୁନଥିଲେ।

ପଣ୍ଡିତ ଜବାହରଲାଲ ନେହରୁଙ୍କ ସମୟରୁ ସଂଘୀୟବାଦର ଚିନ୍ତନ ଆରମ୍ଭ ହୋଇଥିଲା। ତେବେ ନ୍ୟାସନାଲ ଫ୍ରଣ୍ଟ ଓ ଜନତା ଦଳ କ୍ଷମତାକୁ ଆସିବା ପରେ ଏହି ପ୍ରସଙ୍ଗରେ ବିଜୁବାବୁଙ୍କ ଯୁକ୍ତି ଅଧିକ ଶାଣିତ ହୋଇଥିଲା। ଏଥିପାଇଁ ଜାତୀୟ ସ୍ତରରେ ବିତର୍କ ହେଉ ବୋଲି ଚାହୁଁଥିଲେ ବିଜୁ ପଟ୍ଟନାୟକ। ତାଙ୍କର ଯୁକ୍ତି ଥିଲା, ପ୍ରତିରକ୍ଷା ଓ ମୁଦ୍ରା ବ୍ୟବସ୍ଥା କେବଳ କେନ୍ଦ୍ର ସରକାରଙ୍କ ଅଧୀନରେ ରହୁ। ବୈଦେଶିକ ସଂପର୍କ, ଯୁଦ୍ଧ ଓ ଶାନ୍ତି ସମ୍ବନ୍ଧୀୟ ନିଷ୍ପତ୍ତି ରାଜ୍ୟସମୂହ ମିଳିତ ଭାବେ ନିଅନ୍ତୁ। ତେବେ ବିଜୁବାବୁ ଚାହୁଁଥିଲେ, ଅନ୍ୟ ଦେଶ ସହ ବ୍ୟବସାୟ ଓ ବାଣିଜ୍ୟ ପାଇଁ ରାଜ୍ୟଗୁଡ଼ିକୁ ନିଜସ୍ୱ ନୀତି ନିର୍ଦ୍ଧାରଣ ପାଇଁ ଅଧିକାର ଦିଆଯାଉ। ବିଦୈଶିକ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ରାଜ୍ୟଗୁଡ଼ିକ ସ୍ୱକୀୟ ନୀତି ନିର୍ଦ୍ଧାରଣ କରନ୍ତୁ। ବନ୍ଦର ଓ ରେଳପଥ ବିକାଶ ପାଇଁ ମଧ୍ୟ ରାଜ୍ୟଗୁଡ଼ିକୁ କ୍ଷମତା ମିଳୁ।

କେବଳ ଏତିକି ନୁହେଁ ବ୍ରଡକାଷ୍ଟିଙ୍ଗ୍ ବା ପ୍ରସାରଣ କ୍ଷେତ୍ରରେ କେନ୍ଦ୍ରର ଏକଚାଟିଆ ଅଧିକାରକୁ ମଧ୍ୟ ବିରୋଧ କରୁଥିଲେ ବିଜୁବାବୁ। ଦୂରଦର୍ଶନ ଭଳି ରାଜ୍ୟ ସରକାରଙ୍କ ଅଧିନରେ ଦ୍ୱିତୀୟ ଟିଭି ଚ୍ୟାନେଲ ପାଇଁ ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଉ ବୋଲି ସେ ଚିନ୍ତା କରୁଥିଲେ।

ବିଜୁବାବୁଙ୍କ ଏପରି ଯୁକ୍ତି ସେତେବେଳେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଜୋରଦାର ଚର୍ଚ୍ଚା ହେଉଥିଲା। ତାଙ୍କର ବିଶ୍ୱାସ ଥିଲା, ରାଜ୍ୟଗୁଡ଼ିକୁ ଶକ୍ତିଶାଳୀ କରି ଗଢ଼ିବାକୁ ହେଲେ ଅଧିକ ସ୍ୱାଧୀନତା ଦିଆଯିବା ଜରୁରୀ। ସ୍ୱାୟତ୍ତ ଶାସନ ପ୍ରସଙ୍ଗରେ ଜାତୀୟ ବିତର୍କ ହେବା ଆବଶ୍ୟକ ବୋଲି ସେ ଖୋଲାଖୋଲି ମତ ଦେଉଥିଲେ। ଏ ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଚିଠି ଲେଖିଥିଲେ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ବିତର୍କ କରିବା ଲାଗି ସେ ଆହ୍ୱାନ ଦେଇଥିଲେ।

ତେବେ ବିଜୁବାବୁଙ୍କ ଦୂରଦୃଷ୍ଟିକୁ ଠିକ୍ ରୂପେ ନବୁଝି କିଛି ନେତା ସେତେବେଳେ ତାଙ୍କୁ ବିଚ୍ଛିନ୍ନତାବାଦୀର ଆଖ୍ୟା ଦେବାକୁ ପଛାଇ ନଥିଲେ। ଏହା ପରେ ବିଜୁବାବୁ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ ଯେ ସବୁ କ୍ଷମତା କେନ୍ଦ୍ର ନିକଟରେ ଠୁଳ ହୋଇ ରହିବା ସେ ଚାହୁଁନାହାନ୍ତି। କାରଣ ଏହା ଦ୍ୱାରା ରାଜ୍ୟଗୁଡ଼ିକର ସମାନୁପାତ ବିକାଶ ହୋଇ ପାରୁନାହିଁ। ଆଜି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସବୁ ରାଜ୍ୟ ଊଣାଅଧିକ ଏକଥା ବୁଝିସାରିଛନ୍ତି।

ତାଙ୍କର ମତାମତକୁ ନେଇ ଜାତୀୟ ସାମ୍ମୁଖ୍ୟ ସରକାରଙ୍କୁ ସମାଲୋଚନା କରାଯାଉଥିବା ବେଳେ ବିଜୁବାବୁଙ୍କ ସପକ୍ଷରେ ବାହାରିଥିଲେ ଭିପି ସିଂହ। ସେ କହିଥିଲେ, ବିଜୁବାବୁଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ।

ଖବରକାଗଜରେ ତାଙ୍କ ବିରୋଧରେ ପ୍ରକାଶ ପାଇଥିବା ଅଭିଯୋଗରେ ସେ କ୍ଷୁବ୍ଧ ହୋଇ କହିଥିଲେ, ଓଡ଼ିଆମାନେ ନିଜ ରାଜ୍ୟ ପାଇଁ ଥାଳ ଧରି ଆଣ୍ଠୁମାଡି ସବୁବେଳେ କେନ୍ଦ୍ର ନିକଟରେ ଭିକ୍ଷା ମାଗି ପାରିବେନାହିଁ।

ବିଜୁବାବୁଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଥିଲା, ଓଡ଼ିଶାର ବିକାଶ ପାଇଁ ସେ କେତେ ଚିନ୍ତିତ ଥିଲେ। କେନ୍ଦ୍ରୀୟ ଅବହେଳା ଯୋଗୁଁ ରାଜ୍ୟର ବିକାଶ ବାଧା ପାଉ ସେ ଚାହୁଁନଥିଲେ। ରାଜ୍ୟକୁ ସ୍ୱୟଂସଂପୂର୍ଣ୍ଣ ଏବଂ ଆତ୍ମନିର୍ଭରଶୀଳ କରି ଗଢି ତୋଳିବା ତାଙ୍କର ଅଭିପ୍ରାୟ ଥିଲା। ସେ ମର୍ମେ ମର୍ମେ ଅନୁଭବ କରୁଥିଲେ ରାଜ୍ୟର ବିକାଶରେ ହିଁ ଦେଶର ବିକାଶ। ରାଜ୍ୟଗୁଡ଼ିକ ଅଧିକ ସ୍ୱାଧୀନତା ପାଇ ନିଜ ପାଇଁ ନୀତି ନିର୍ଦ୍ଧାରଣ କଲେ ରାଜ୍ୟର ପ୍ରକୃତ ବିକାଶ ହୋଇପାରିବ। ସବୁ ରାଜ୍ୟ ବିକଶିତ ହେଲେ, ଦେଶ ଅଧିକ ଶକ୍ତିଶାଳୀ ଓ ସମୃଦ୍ଧ ହୋଇପାରିବ।

(ସୌଜନ୍ୟ – ସମ୍ବାଦ)

Comment