ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ୍। ସୋମବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ଦାଖଲର ଶେଷଦିନ ହେଉଛି ମାର୍ଚ୍ଚ ୧୨ ତାରିଖ। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ।

୧୩ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୧୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ୨୩ ତାରିଖରେ ଭୋଟ ଗ୍ରହଣ ହେବ। ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ ହେବ।

ସାଂସଦ ଦିଲ୍ଲିପ ତିର୍କୀ, ଅନଙ୍ଗ ଉଦୟ ସିଂଦେଓ ଏବଂ ଏ ଭି ସ୍ବାମୀଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେଉଛି। ଏହି ୩ଟି ଆସନ ପାଇଁ ଭୋଟ ହେବ। ରାଜ୍ୟସଭା ଯିବା ପାଇଁ ପ୍ରାର୍ଥୀଙ୍କ ଲମ୍ବା ରେସ୍ ଲାଗିଛି। କାହାକୁ ପ୍ରାର୍ଥୀ କରାଯିବ ସେନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କିଛି ଘୋଷଣା କରି ନାହାନ୍ତି। ରାଜନେତାମାନଙ୍କୁ ଏଥର ରାଜ୍ୟସଭା ପଠାଯିବ କହି ନବୀନ ନେତାଙ୍କ ମନରେ ଉତ୍ସାହ ବଢ଼ାଇ ଦେଇଛନ୍ତି।

୧୬ଟି ରାଜ୍ୟର ୫୮ଟି ଆସନ ପାଇଁ ଭୋଟ ହେବ। ଉତ୍ତରପ୍ରଦେଶର ୧୦ଟି ଆସନ ପାଇଁ ଭୋଟ୍ ହେବାକୁ ଥିବା ବେଳେ ବିହାର ଏବଂ ମହାରାଷ୍ଟ୍ରର ୬ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେବ। ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶର ୫ଟି ଆସନ ପାଇଁ ନିର୍ବାଚନ ହେବ।

ଗୁଜୁରାଟ ଏବଂ କର୍ଣ୍ଣାଟକର ୪ଟି ଆସନ ପାଇଁ ଭୋଟ ହେବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଏବଂ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ଝାଡଖଣ୍ଡର ୨ଟି, ଛତିଶଗଡ, ହରିୟାଣା, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରବ ଶଙ୍କର ପ୍ରସାଦ, ଜେ ପି ନଡ୍ଡା ଏବଂ ଥୱାରଚାନ୍ଦ ଗେହଲଟଙ୍କ କାର୍ଯ୍ୟକାଳ ଶେଷ ହେଉଛି।

LEAVE A REPLY

Please enter your comment!
Please enter your name here