ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ଓଡ଼ିଶାର ୩ ଜଣ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଏ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର ଅବନୀକାନ୍ତ ପଟ୍ଟନାୟକ।

ଖାଲି ହେବାକୁ ଥିବା ୩ ରାଜ୍ୟସଭା ଆସନ ପାଇଁ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନର କୌଣସି ଆବଶ୍ୟକତା ନଥିବାରୁ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଂ ଅଫିସର କହିଛନ୍ତି। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ୩ ଜଣ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ନିଜର ବିଜୟୀ ସାର୍ଟିଫିକେଟ ଗ୍ରହଣ କରିଛନ୍ତି।

ଆସନ୍ତା ଏପ୍ରିଲ ୩ ତାରିଖରେ ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଖାଲି ହେବାକୁ ଥିବା ଏହି ୩ ଆସନ ଲାଗି ନିର୍ବାଚନ ହେବାର ଥିଲା।

ରାଜ୍ୟସଭାର ୩ଟି ଆସନ ଲାଗି ଫେବ୍ରୁଆରି ୧୩ ତାରିଖରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଫେବ୍ରୁଆରି ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ସମର୍ଥନ କରିଛି ବିଜେଡି।

ଫେବ୍ରୁଆରି ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଫେବ୍ରୁଆରି ୧୫ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ ଫେବ୍ରୁଆରି ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ରହିଥିଲା। ତିନୋଟି ରାଜ୍ୟସଭା ଆସନ ଲାଗି କେବଳ ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେମାନେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

Tags: #Politics #OdishaPolitics #AshwiniVaisanaw #DebashishSamantaray #SubhasishKhuntia #Election #RajyasabhaElection #BJD #Odisha

LEAVE A REPLY

Please enter your comment!
Please enter your name here