ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗାକାଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ଚାହୁଁନାହାନ୍ତି ପରିବାର ଲୋକ। ଅଧିକ ୨ମାସ ଏମ୍ସରେ ରଖିବାକୁ ଚାହୁଁଥିବା କହିଲେ ବାପା।

ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାଁନ୍ତି ଜଗାକାଳିଆଙ୍କ ବାପାମାଆ। କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଏମ୍ସରେ ଆଉ ଦୁଇମାସ ରହିବାକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ଜଗାକାଳିଆଙ୍କ ବାପା।

ଦିଲ୍ଲୀ ଏମ୍ସରେ ସଫଳ ଅପରେଶନ ପରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।

ଜଗାବଳିଆ ଧିରେ ଧିରେ ସୁସ୍ଥ ହେଉଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ କରି ଓଡ଼ିଶା ଆଣିବା ନେଇ ଏମ୍ସ କର୍ତ୍ତୃପକ୍ଷ ଯୋଜନା କରୁଥିବାବେଳେ ଜଗା-କାଳିଆଙ୍କ ବାପାମା ଏଥିରେ ସହମତି ପ୍ରକାଶ କରିନାହାନ୍ତି।

“ଜଗା ଭଲ ଅଛି। ଖେଳାଖେଳି ଓ ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆର ସ୍ଵାସ୍ଥ୍ୟ ଅବସ୍ଥାରେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧାର ହୋଇନି। ଏବେ ବି ସେ ଖାଦ୍ୟ ନଳୀ ଯୋଗେ ଖାଦ୍ୟ  ଗ୍ରହଣ କରୁଛି। ଜଗା ମୁଣ୍ଡରେ ହୋଇଥିବା ସ୍କିନ୍ ଗ୍ରାଫ୍ଟିଂ ଏଯାଏ ଶୁଖିନାହିଁ। ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ। ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଆଉ ୨ ମାସ ରଖାଯାଉ। ଯଦି ଦିଲ୍ଲୀ ଏମ୍ସରୁ ସେମାନଙ୍କୁ  ଡିସଚାର୍ଜ କରାଯାଏ ତେବେ ଭୁବନେଶ୍ୱର ଏମ୍ସରେ ରଖାଯିବାକୁ ବ୍ୟବସ୍ଥା କରାଗଲା ଭଲ ହେବ।”, କହିଛନ୍ତି ଜଗାକାଳିଆଙ୍କ ବାପା ଭୂୟାଁ କହଁର। ଏନେଇ ଜଗାକାଳିଆଙ୍କ ବାପା ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି।

“ଜଗା କାଳିଆଙ୍କ ସ୍ଵାସ୍ଥ୍ୟବସ୍ଥା ଉନ୍ନତି ହେବା ପାଇଁ ଆରମ୍ଭରୁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ କାଳିଆ ସୁସ୍ଥ ହେବା ଯାଏ ଆଉ ଦୁଇମାସ ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହୋଇପାରିବ। ଏନେଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯିବ”, କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ଗତବର୍ଷ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଯୋଡ଼ାମୁଣ୍ଡ ଜଗାକାଳିଆଙ୍କୁ ପଠାଯାଇଥିଲା। ଦୁହିଁଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ସହାୟତା ରାଶି ଦିଆଯାଇଥିଲା।

Comment