ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ଵରେ ରହିବେ ପ୍ରସାଦ ହରିଚନ୍ଦନ। ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିବାରୁ ପିସିସିରେ କୌଣସି ପରିବର୍ତ୍ତନ ହେବ ନାହିଁ।
ପିସିସି ସଭାପତି ପରିବର୍ତ୍ତନକୁ ନେଇ ଗତ କିଛିଦିନ ଧରି ଲାଗିରହିଥିବା କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୧୯ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସ ଦାୟିତ୍ଵରେ ପ୍ରସାଦ ହରିଚନ୍ଦନ ରହିବେ ବୋଲି ଜଣାପଡ଼ିଛି।
ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିବାରୁ ପିସିସିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସେଥିପାଇଁ ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ପତ୍ର ଗ୍ରହଣ କରିନାହିଁ ଏଆଇସିସି।
“ପ୍ରସାଦ ହରିଚନ୍ଦନ ୨୦୧୯ ଯାଏ ସଭାପତି ପଦରେ ରହିବେ। ରାହୁଲ ଏବେ ପିସିସି ସଭାପତି ପରିବର୍ତ୍ତନ କରିବେନି। ଆଗକୁ ଆସୁଛି ନିର୍ବାଚନ। ଆଠ ନଅ ମାସରେ ନୂଆ ସଭାପତି କାମ କରି ପାରିବେନି। ଏଆଇସିସି ପ୍ରସାଦଙ୍କ ଇସ୍ତଫା ଗ୍ରହଣ କଲେ ନାହିଁ”, କହିଛନ୍ତି ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର।
ବିଜେପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଦେଇଥିଲେ। ରାଜ୍ୟ କଂଗ୍ରେସ ବିଭିନ୍ନ ନେତା କଂଗ୍ରେସ ବିଫଳତା ପାଇଁ ପ୍ରସାଦ ଦାୟୀ ବୋଲି କହିଥିଲେ।
ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ରହିଥିବା ପରିଲକ୍ଷିତ ହୋଇଥିଲା। ଏଥିପାଇଁ ବିଭିନ୍ନ ଗୋଷ୍ଠୀ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସଭାପତି ଭାବେ ପ୍ରସାଦ ନିଜ ପଦ ବଜାୟ ରଖିଛନ୍ତି।

















