ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ -୨୦୧୬। ଏହି ପରୀକ୍ଷାରେ ୧୪୫ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚିନ୍ନୟୀ ଚେତନା ଦାଶ ଟପ୍ପର ହୋଇଛନ୍ତି।
ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା-୨୦୧୬ର ଚୂଡ଼ାନ୍ତ ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ୧୪୫ ଜଣ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି।
ଏହି ପରୀକ୍ଷାରେ ଚିନ୍ମୟୀ ଚେତନା ଦାଶ ଟପର୍ ହୋଇଥିବା ବେଳେ ସଂକଳ୍ପ ସ୍ୱସ୍ତିକ ସାହୁ ଦ୍ୱିତୀୟ ଏବଂ ଜ୍ଞାନରଞ୍ଜନ ବିଶ୍ୱାଳ ତୃତୀୟ ସ୍ଥାନରେ ରହିଛନ୍ତି।
“ବିକାଶ କ୍ଷେତ୍ରରେ ଓଡ଼ିଶା କିଛି ପରିମାଣରେ ପଛରେ ପଡ଼ିଛି। ଯେଉଁଠି ବି ନିଯୁକ୍ତି ପାଏ ଓଡ଼ିଶାକୁ ଆଗକୁ ନେବା କ୍ଷେତ୍ରରେ କାର୍ଯ୍ୟ କରିବି। ବିଶେଷକରି ମହିଳାଙ୍କ ବିକାଶ ଲାଗି କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଏଥିସହ ଦୁର୍ବଳ ଶ୍ରେଣୀଙ୍କ ଉନ୍ନତିକୁ ବି ପ୍ରାଥମିକତା ଦେବି। ସଫଳତାର ଶ୍ରେୟ ବାପା, ମା’ଙ୍କୁ ହିଁ ଦେବି। ସେମାନଙ୍କ ଆଶୀର୍ବାଦ, ପ୍ରେରଣା ଲାଗି ଏଭଳି ସଫଳତା ପାଇପାରିଛି”, କହିଛନ୍ତି ପ୍ରଥମ ପ୍ରୟାସରେ ଓଏସ୍ ଟପର୍ ହୋଇଥିବା ଚିନ୍ନୟୀ ଚେତନା ଦାଶ।
ଓଏଏସ୍, ଓଏଫ୍ଏସ୍ ଏବଂ ଓପିଏସ୍ ପଦରେ ରାଙ୍କ୍ ଅନୁଯାୟୀ ଏହି ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ୧୪୫ ଜଣଙ୍କ ମଧ୍ୟରେ ଅଛନ୍ତି ଅଣସଂରକ୍ଷିତ ବର୍ଗରୁ ୭୫ ଜଣ, ଏସଇବିସି ବର୍ଗରୁ ୧୬ ଜଣ, ୨୨ ଜଣ ଏସ୍ସି ଏବଂ ୩୨ ଜଣ ଏସ୍ଟି ବର୍ଗର ଛାତ୍ରଛାତ୍ରୀ।
୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାରେ ପ୍ରିଲିମନାରୀ, ମୁଖ୍ୟ ଏବଂ ମୌଖିକ ପରୀକ୍ଷା ଜରିଆରେ ଏହି ପ୍ରାର୍ଥୀମାନଙ୍କୁ ଚୟନ କରାଯାଇଛି। ଫେବ୍ରୁଆରି ୧୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ କ୍ୟାଣ୍ଟନମେଣ୍ଟ ରୋଡ୍ସ୍ଥିତ ଓପିଏସ୍ସି କାର୍ଯ୍ୟାଳୟରେ ମୌଖିକ ପରୀକ୍ଷା ଦେଇଥିଲେ।








ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ -୨୦୧୬। ଏହି ପରୀକ୍ଷାରେ ୧୪୫ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚିନ୍ନୟୀ ଚେତନା ଦାଶ ଟପ୍ପର ହୋଇଛନ୍ତି।








