ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସୋମବାର ଟ୍ରିବ୍ୟୁନାଲ ଗଠନ ହୋଇଛି। ଜଷ୍ଟିସ ଖାନବିଲକରଙ୍କୁ ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ଏହାସହ ଦୁଇ ଜଣ ବିଚାରପତିଙ୍କୁ ସଦସ୍ୟ ଭାବେ ନିୟୋଜିତ କରାଯାଇଛି। ତେବେ କିଏ ତିନି ଜଣ ସଦସ୍ୟ ଯେଉଁମାନେ ମହାନଦୀ ବିବାଦର ସମାଧାନ କରିବେ ଜାଣନ୍ତୁ ଏହି ରିପୋର୍ଟରୁ
ଜଷ୍ଟିସ ଖାନବିଲକର
ଅଜୟ ମାନିକ ରାଓ ଖାନବିଲକର ପୁନେଠାରେ ୧୯୫୭ ଜୁଲାଇ ୩୦ରେ ଜନ୍ମ ହୋଇଥିଲେ। ସେ ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତି ଅଛନ୍ତି। ପୂର୍ବରୁ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।୧୯୮୨ ମସିହାରେ ସେ ପୁନେରେ ଓକିଲାତି ଆରମ୍ଭ କରିଥିଲେ। ଦେବାନୀ, ଫୌଜଦାରୀ ଓ ସାମ୍ବିଧାନିକ ମାମଲାରେ ତାଙ୍କର ଦକ୍ଷତା ରହିଛି। ଟ୍ରିବ୍ୟୁନାଲରୁ ଆରମ୍ଭ କରି ମୁମ୍ବାଇ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସେ ଆଇନଜୀବୀ ଭାବରେ କାମ କରିସାରିଛନ୍ତି।
୨୦୦୦ ମସିହାରେ ତାଙ୍କୁ ପ୍ରଥମେ ମୁମ୍ବାଇ ହାଇକୋର୍ଟରେ ଅତିରିକ୍ତ ଜଜ୍ ରୂପେ ନିଯୁକ୍ତି ଦିଆଯାଇଥିଲା। ୨୦୦୨ରେ ସେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତି ପାଇଥିଲେ। ୨୦୧୩ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ଓ ପରେ ତାଙ୍କୁ ମଧ୍ୟପ୍ରଦେଶକୁ ବଦଳି କରାଯାଇଥିଲା।୨୦୧୬ରେ ସେ ସୁପ୍ରିମକୋର୍ଟର ବିଚାରପତି ହେଲେ।
ଜଷ୍ଟିସ ରବି ରଞ୍ଜନ
ଜଷ୍ଟିସ ରବି ରଞ୍ଜନ ମହାନଦୀ ଟ୍ରିବ୍ୟୁନାଲର ଅନ୍ୟତମ ସଦସ୍ୟ। ଡକ୍ଟରସ ରବି ରଞ୍ଜନ ରାଜେଶ ଜୁଲାଇ ୨୪, ୨୦୦୮ରେ ପାଟନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୦ରେ ପାଟନା ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିବା ଡକ୍ଟର ରବି ରଞ୍ଜନ ଭାରତ ସରକାରଙ୍କ ବରିଷ୍ଠ ଓକିଲ ଥିଲେ।
ଜଷ୍ଟିସ ଇନ୍ଦରମିତ କୋଚାର
ଜଷ୍ଟିସ କୋଚାରଙ୍କ ଜନ୍ମ ମାର୍ଚ୍ଚ ୨୨,୧୯୫୬ରେ। ଦିଲ୍ଲୀର ମତରଦେଇ କଣ୍ଟେଣ୍ଟ ସ୍କୁଲରୁ ଶିକ୍ଷା ଲାଭ କରିବା ପରେ ସେ ଲେଡି ଶ୍ରୀରାମ କଲେଜରୁ ମନସ୍ତତ୍ୱବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଆଇନ ଡିଗ୍ରୀ ମଧ୍ୟ ପାଇଛନ୍ତି।
୨୦୦୯ ମେ ୧୩ ତାରିଖରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଭାରତର ଆଇନ ଇତିହାସରେ ଜଷ୍ଟିସ୍ କୋଚାରଙ୍କ ନାମ ଏଥିପାଇଁ ଉଲ୍ଲେଖଯୋଗ୍ୟ ଯେ ସେ ଓ ତାଙ୍କ ସ୍ୱାମୀ ଜଷ୍ଟିସ ଏ କେ ପାଠକ ଗୋଟିଏ ଦିନରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
କୋଚାର କମ୍ପାନି ଆଇନରେ ବିଶେଷ ଦକ୍ଷତା ହାସଲ କରିଛନ୍ତି। ଉଭୟ ସ୍ୱାମୀ ଓ ସ୍ତ୍ରୀ ଦିଲ୍ଲୀ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ଦିଲ୍ଲୀ ହାୟର ଜୁଡିସିଆଲ ସର୍ଭିସରେ ଯୋଗ ଦେବା ପରେ ଉଭୟେ ବିବାହ କରିଥିଲେ।















