ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମାମଲାର ଏବେ ଶୁଣାଣି ଚାଲୁଅଛି। ବୁଧବାର ଏହି ଶୁଣାଣିବେଳେ ମହାନଦୀ ଟ୍ରିବ୍ୟୁନାଲରେ ତଥ୍ୟ ଦାଖଲ ପାଇଁ ଓଡ଼ିଶା ସରକାର ଅଧିକ ସମୟ ମାଗିଛନ୍ତି। ଓଡ଼ିଶା ମାଗିଥିବା ୪ ସପ୍ତାହ ଅଧିକ ସମୟକୁ ଟ୍ରିବ୍ୟୁନାଲ ମଞ୍ଜୁର କରିଛନ୍ତି।

ମହାନଦୀ ଟ୍ରିବ୍ୟୁନାଲଙ୍କ କମନ ଫର୍ମାଟରେ ତଥ୍ୟ ଦାଖଲ କରିବାକୁ ପୂର୍ବରୁ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ଓଡ଼ିଶା ପକ୍ଷରୁ ୮ଟି କମନ୍ ଫର୍ମାଟ ସୂଚନା ଦାଖଲ କରାଯାଇଥିଲା। ସେହିପରି ଛତିଶଗଡ଼ ପକ୍ଷରୁ ଏ ଯାଏଁ ୩୪ଟି ତଥ୍ୟ ଦାଖଲ କରାଯାଇଛି।

ମହାନଦୀର ପଶ୍ଚିମ କ୍ୟାଚମେଣ୍ଟ ଅଞ୍ଚଳକୁ ନେଇ ଓଡ଼ିଶା ପକ୍ଷରୁ କୌଣସି ତଥ୍ୟ ଦାଖଲ କରାଯାଇନାହିଁ। ରାଜ୍ୟ ପକ୍ଷରୁ କମନ୍ ଫର୍ମାଟ ସୂଚନା ଦାଖଲ ପାଇଁ ଚାରି ସପ୍ତାହ ସମୟ ମଗାଯାଇଥିଲା। ଏହି ଆବେଦନକୁ ଟ୍ରିବ୍ୟୁନାଲ ମଞ୍ଜୁର କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ରେ ହେବ।

ଅନ୍ୟପଟେ ଏବେ ମହାନଦୀର ଏହି ପଶ୍ଚିମ କ୍ୟାଚମେଣ୍ଟ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଉପୁଜିଛି। ବୁଧବାର ଶୁଣାଣି ଅବସରରେ ଓଡ଼ିଶା ପକ୍ଷରୁ ପଶ୍ଚିମ କ୍ୟାଚମେଣ୍ଟ ଅଞ୍ଚଳ ମହାନଦୀ ଅବବାହିକାର ଅଂଶ ନୁହେଁ ବୋଲି କୁହାଯାଇଥିଲା। ଏହାର ସୀମା ନିର୍ଦ୍ଧାରଣକୁ ନେଇ ପୂର୍ବରୁ ହୋଇଥିବା ଆଲୋଚନା ଓ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ ଓଡ଼ିଶା ସରକାର।

ତେବେ ମହାନଦୀ ମାମଲାରେ ଟ୍ରିବ୍ୟୁନାଲ ଅନେକ ଥର ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ପରିଦର୍ଶନ କରି ସ୍ଥିତିକୁ ଭଲ ଭାବେ ସମୀକ୍ଷା କରିଛନ୍ତି। ଏବେ ଆସନ୍ତା ମାସରେ ଏହି ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି ଉଭୟ ରାଜ୍ୟ ଆଶାବାଦୀ ଅଛନ୍ତି।

Tags: #MahanadiWaterDispute #MahanadiTribunal #Odisha #Chhattisgarh

 

Comment