ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ୯ ଦିନିଆ ଓଡ଼ିଶା ଗସ୍ତ। ଶନିବାର ଦିନ ଟ୍ରିବ୍ୟୁନାଲର ସଦସ୍ୟମାନେ ସମ୍ବଲପୁର ସ୍ଥିତ ହୀରାକୁଦ ଡ୍ୟାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ।

ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟମାନେ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁରରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ବୁର୍ଲା ସ୍ଥିତ ଅଶୋକ ନିବାସକୁ ନିଆ ଯାଇଥିଲା। ଏହି ୩ ଜଣିଆ ଟିମରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ.ଏମ୍‌. ଖନୱାଲିକର, ସଦସ୍ୟ ଜଷ୍ଟିସ ରବି ରଞ୍ଜନ, ସଦସ୍ୟ ଜଷ୍ଟିସ ଇନ୍ଦ୍ରଜିତ କୌର କୋଚିହାର ରହିଛନ୍ତି।

ଟ୍ରିବ୍ୟୁନାଲଙ୍କ ଏହି ଗସ୍ତବେଳେ ଓଡ଼ିଶାରେ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଅନୁଧ୍ୟାନ କରାଯିବ।ମେ’ ୨୮ ତାରିଖ ଯାଏଁ ଟ୍ରିବ୍ୟୁନାଲ ଓଡ଼ିଶାରେ ମହାନଦୀର ବିଭିନ୍ନ ଅଞ୍ଚଳକୁ ବୁଲି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟମାନେ ମେ’ ୨୨ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲାରେ ମହାନଦୀର ବିଭିନ୍ନ ଅଞ୍ଚଳକୁ ଯିବେ। ଶନିବାର ଦିନ ସେମାନେ  ହୀରାକୁଦ ଡ୍ୟାମ ପରେ ଚିପିଲିମା ପାୱାର ହାଉସ ଓ ମହାନଦୀ ତଳମୁଣ୍ଡର କିଛି ଅଞ୍ଚଳ ପରିଦର୍ଶନ କରିବେ।

ସମ୍ବଲପୁର ଗସ୍ତ ବେଳେ ଟ୍ରିବ୍ୟୁନାଲର ସଦସ୍ୟମାନେ ମା’ ସମଲେଇଙ୍କ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଓଡ଼ିଶା ଜଳ ସମ୍ପଦ ବିଭାଗ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିବେ।

ସମ୍ବଲପୁରରେ ସ୍ଥିତି ଅନୁଧ୍ୟାନ ପରେ ଟ୍ରିବ୍ୟୁନାଲର ସଦସ୍ୟମାନେ ଝାରସୁଗୁଡ଼ା ଯିବେ। ଏଠାରେ ସେମାନେ ମହାନଦୀରେ ଥିବା ଓପିଜିସି ଇନଟେନ ପଏଣ୍ଟ, ଇବ ଥର୍ମାଲ ପାୱାର ପ୍ଲାଣ୍ଟ, ଆଇବି ଡ୍ୟାମ ଆଦି ପରିଦର୍ଶନ କରିବେ।

ଅନ୍ୟପଟେ ମହାନଦୀ ଟ୍ରିବ୍ୟୁନାଲଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ହୀରାକୁଦର ଜବାହର ଉଦ୍ୟାନକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ଏନେଇ ହୀରାକୁଦ ଡ୍ୟାମ ପକ୍ଷରୁ ସୂଚନା ଦିଆଯାଇଛି।

ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଟ୍ରିବ୍ୟୁନାଲ ଏବେ ଛତିଶଗଡ଼ ଓ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଏହା ପୂର୍ବରୁ ଏପ୍ରିଲ ମାସରେ ଟ୍ରିବ୍ୟୁନାଲର ସଦସ୍ୟମାନେ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ମହାନଦୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

Tags: #MahanadiWaterDispute #MahanadiTribunal #FieldVisit #Odisha #Chhattisgarh

Comment