ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟଙ୍କ ଓଡ଼ିଶା ଗସ୍ତ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। ଟ୍ରିବ୍ୟୁନାଲର ସଦସ୍ୟମାନେ ଓଡ଼ିଶାରେ ମହାନଦୀର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରଦର୍ଶନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସେମାନେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ମହାନଦୀ ଉପରମୁଣ୍ଡରେ ଥିବା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ସୋମବାର ଦିନ ଅପରାହ୍ଣରେ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍‌ ଏଏମ୍‌ ଖାନୱିଲକରଙ୍କ ନେତୃତ୍ଵରେ ସଦସ୍ୟମାନେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ସ୍ଥିତ ଭଗୋପାଲିରେ ମହାନଦୀର ପ୍ରମୁଖ ଶାଖା ନଦୀ ‘ଇବ’ରେ ପ୍ରସ୍ତାବିତ ‘ଯୁଗିଯୁଗେନ ଡ୍ୟାମ’ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହା ସହ ସୁନ୍ଦରଗଡ଼ରେ ଶୁଖିଲା ପଡ଼ିଥିବା ଇବ ନଦୀକୁ ମଧ୍ୟ ସେମାନେ ଦେଖିଥିଲେ।

ଏହାପୂର୍ବରୁ ସୋମବାର ଦିନ ସେମାନେ ଝାରସୁଗୁଡ଼ା ସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ମହାନଦୀ ଇଣ୍ଟେକ ୱେଲ୍ ବୁଲି ଦେଖିଥିଲେ। ଏଠାରେ ମହାନଦୀରୁ ଆଉ କେଉଁ ଶିଳ୍ପସଂସ୍ଥାକୁ କେତେ ମାତ୍ରାରେ ପାଣି ଯାଉଛି, ସେନେଇ ମଧ୍ୟ ପଚରାଉଚରା କରିଥିଲେ। ସେମାନେ ବନହରପାଲି ସ୍ଥିତ ଇବ ଥର୍ମାଲ୍ ପ୍ଳାଣ୍ଟକୁ ମଧ୍ୟ ଯାଇଥିଲେ।

ଝାରସୁଗୁଡ଼ାରେ ମହାନଦୀ କ୍ଷେତ୍ର ପରିଦର୍ଶନ ବେଳେ ଓପିଜିସିର ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ। ସେମାନେ ଟ୍ରିବ୍ୟୁନାଲର ସଦସ୍ୟମାନଙ୍କୁ ମହାନଦୀର ପାଣିକୁ ଓପିଜିସି କିଭଳି ବ୍ୟବହାର କରୁଛି ତା’ର ସବୁ ତଥ୍ୟ ଦେଇଥିଲେ।

ସୋମବାର ଓପିଜିସି ଗେଷ୍ଟ ହାଉସରେ ବିଶ୍ରାମ ନେବାପରେ ଟ୍ରିବ୍ୟୁନାଲର ସଦସ୍ୟମାନେ ସୁନ୍ଦରଗଡ଼ ଅଭିମୁଖେ ବାହାରି ଯାଇଥିଲେ। ଟ୍ରିବ୍ୟୁନାଲଙ୍କ ଗସ୍ତକୁ ନେଇ ଝାରସୁଗୁଡ଼ାର ବନହରପାଲି ଓ ଓପିଜିସି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଓପିଜିସି ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା।

ମଙ୍ଗଳବାର ଦିନ ଟ୍ରିବ୍ୟୁନାଲର ସଦସ୍ୟମାନେ ସୁନ୍ଦରଗଡ଼ ଜିଲ୍ଲାରେ ମହାନଦୀର ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରି ନୂଆପଡ଼ା ଜିଲ୍ଲା ଅଭିମୁଖେ ବାହାରିବେ। ନୂଆପଡ଼ାରେ ସେମାନେ ସାଇପଲା ଡ୍ୟାମ୍‌ ଓ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। 

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟଙ୍କ ୯ ଦିନିଆ ଓଡ଼ିଶା ଗସ୍ତ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଗସ୍ତ ସମୟରେ ସେମାନେ ଓଡ଼ିଶାରେ ମହାନଦୀର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଓଡ଼ିଶାରେ ଅଣମୌସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ ଓ ଅନ୍ୟାନ୍ୟ ବିଷୟରେ ତଥ୍ୟ ସଂଗ୍ରହ କରିବ ଟ୍ରିବ୍ୟୁନାଲ। ଶେଷରେ ମେ’ ୨୮ ତାରିଖରେ ଟ୍ରିବ୍ୟୁନାଲର ସଦସ୍ୟମାନେ ଦିଲ୍ଲୀ ଫେରିଯିବେ।

Tags: #MahanadiWaterDispute #MahanadiTribunal #FieldVisit #Sundargarh #jharsuguda #Odisha

Comment