ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାନିଆ ମିର୍ଜା ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ୁଛନ୍ତି ଓଡ଼ିଆ ଟେନିସ୍ ତାରକା ହେଲେ ଋତୁପର୍ଣ୍ଣା ଚୌଧୁରୀ। ଯିଏକି ଜାତୀୟ ଜୁନିୟର ସ୍ତରରେ ଗୋଟିଏ ପରେ ଗୋଟିଏ ମେଡାଲ ପାଇ ଚାଲିଛନ୍ତି ଆଉ ଟେନିସ୍ ପାହ୍ୟାରେ ନିଜର ଅସ୍ତିତ୍ୱ ପ୍ରମାଣିତ କରି ଚାଲିଛନ୍ତି

ମହିଳା ଟେନିସକୁ ନେଇ କ୍ୟାରିୟର କରିବା ବି ଏତେଟା ସହଜ ନୁହେଁ। ଦେଶରେ ସାନିଆ ମିର୍ଜାଙ୍କ ପରେ ସେଭଳି କୌଣସି ମହିଳା ତାରକା ଏ ଦିଗରେ ନାଁ ବି କରି ପାରିନାହାଁନ୍ତି । ତଥାପି ସାନିଆ ହେବାର ସ୍ୱପ୍ନ ନେଇ ଦେଶର କୋଣ ଅନୁକୋଣରେ ଟେନିସ୍ କୋର୍ଟରେ ଅଭ୍ୟାସ କରୁଛନ୍ତି ଶହ ଶହ ସାନିଆ । ଏମିତି ଜଣେ ଓଡ଼ିଆ ଟେନିସ୍ ତାରକା ହେଲେ ଋତୁପର୍ଣ୍ଣା ଚୌଧୁରୀ। ଯିଏକି ଜାତୀୟ ଜୁନିୟର ସ୍ତରରେ ଗୋଟିଏ ପରେ ଗୋଟିଏ ମେଡାଲ ପାଇ ଚାଲିଛନ୍ତି। ଆଉ ଟେନିସ୍ ପାହ୍ୟାରେ ନିଜର ଅସ୍ତିତ୍ୱ ପ୍ରମାଣିତ କରି ଚାଲିଛନ୍ତି।

ଋତୁପର୍ଣ୍ଣା ଚୌଧୁରୀ । ବୟସ ପାଖାପାଖି ୧୬ ହେବ । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଋତୁପର୍ଣ୍ଣା । ଓଡ଼ିଶା ଜୁନିୟର ବାଳିକା ଟେନିସରେ ଏବେ ଏକ ନମ୍ବର ଖେଳାଳି ହେଉଛନ୍ତି ଋତୁପର୍ଣ୍ଣା । ଜାତୀୟସ୍ତରରେ ଜଣେ ସୁପରିଚିତ ନାଁ ।

ଋତୁପର୍ଣ୍ଣା ନିକଟରେ ନିଜର ଭଲ ପ୍ରଦର୍ଶନ ପାଇଁ ମୁଖମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଟେନିସ୍ ତାରକା ହେବାର ଲକ୍ଷ୍ୟ ରଖିଥିବା ଋତୁପର୍ଣ୍ଣା ଏବେ ବିଧିବଦ୍ଧ ଭାବେ ଆନ୍ତର୍ଜାତୀୟ ସ୍ତରରେ କୋଚିଂ ନେବାକୁ ଯାଉଛଛନ୍ତି । ଯାହାକି ତାଙ୍କୁ ଆନ୍ତର୍ଜାତୀୟସ୍ତରର ଟୁର୍ଣ୍ଣାମେଣ୍ଟ ଖେଳିବାରେ ସାହାଯ୍ୟ କରିବ।

ଉଭୟ ଟେନିସ୍ ଓ ପାଠପଢ଼ାରେ ସନ୍ତୁଳନ ରଖି ଆଗକୁ ବଢ଼ୁଛନ୍ତି ଋତୁପର୍ଣ୍ଣା । ଏ ଦିଗରେ ପରିବାର ଲୋକଙ୍କ ଆଭିମୁଖ୍ୟ ବେଶୀ ସ୍ପଷ୍ଟ ବୋଲି କହନ୍ତି ଋତୁପର୍ଣ୍ଣା । ସେ କହନ୍ତି ପାଠ ପଢ଼ା, ଖାଦ୍ୟପେୟର ଯତ୍ନ ମା’ ଜ୍ୟୋତ୍ସା ନେଉଥିବାବେଳେ ଖେଳରେ ଆଗକୁ ବଢ଼ିବା କଥା ବାପା ଚୌଧୁରୀ ବିନୟ କୁମାର ବୁଝିଥାନ୍ତି । ମାଟ୍ରିକ ପରୀକ୍ଷାର ଜଟିଳ ସମୟ ଭିତରେ ବି ମୁଁ ସମସ୍ତ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଖେଳାଳିଙ୍କ ଖେଳ ଦେଖେ। ଏହା ମୋତେ ମାନସିକ ସ୍ତରରେ ଖୁସି ଦିଏ।

ମୋର ସଫଳତା ପଛରେ ମୋ କୋଚ ଅଲ୍ଲୀ ସାରଙ୍କ ଅବଦାନ ଯଥେଷ୍ଟ ଅଧିକ। ତାଙ୍କ ପରିଶ୍ରମ ଓ ପ୍ରେରଣା ହିଁ ମୋତେ ଏ ଦିଗରେ ଅଧିକ ଅଗ୍ରସର ହେବାକୁ ଆତ୍ମବିଶ୍ୱାସ ଦେଇ ପାରିଛି।

ମାତ୍ର ୬ ବର୍ଷ ବୟସରୁ ଟେନିସ୍ ଖେଳିବା ଆରମ୍ଭ କରିଛନ୍ତି ଋତୁପର୍ଣ୍ଣା । ଝିଅର ଏହି ଆଗ୍ରହ ଦେଖି ବାପା ଚୌଧୁରୀ ବିନୟ କୁମାର ଦାସଙ୍କୁ ପ୍ରଭାବିତ କଲା । ଝିଅର ଏହି ସଫଳତାରେ ଯେମିତି କୌଣସି ଅଭାବ ନ ରୁହେ ସେଥିପାଇଁ ଦିନରାତି ଏକାଠି କରିଛନ୍ତି ବିନୟ। ଆଉ ନିଜ ସ୍ତ୍ରୀ ଜ୍ୟୋତ୍ସାଙ୍କ ସହ ମିଶି ଆରମ୍ଭ କରିଛନ୍ତି ବ୍ୟବସାୟ । ସେଥିରୁ ବାହାରୁଥିବା ଲାଭାଂଶ ଖର୍ଚ୍ଚ ହୁଏ ଋତୁପର୍ଣ୍ଣାଙ୍କ କୋଚିଂରେ। ଏ ଦିଗରେ ଋତୁପର୍ଣ୍ଣାଙ୍କ କୋଚ ସୟଦ ଫରହାନ୍ ଅଲ୍ଲୀଙ୍କ ଭୂମିକା ମଧ୍ୟ କିଛି କମ୍ ନୁହେଁ । କୋଚ୍ ଶିଖାଉଥିବା ଟେନିସର ପ୍ରତିଟି କୌଶଳକୁ ଅତି ସହଜରେ ଗ୍ରହଣ କରିନିଅନ୍ତି ଋତୁପର୍ଣ୍ଣା।

ଉଭୟ ଶାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେଲା ପରେ ୨୦୧୩ ମସିହାରେ ସେ ବିଧିବଦ୍ଧ ଭାବେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଆରମ୍ଭ କଲେ। ୨୦୧୩ ଡିସେମ୍ବର ମାସରେ ୧୫ତମ ନାଲକୋ ଓପନ୍ ଅଲ୍ ଓଡ଼ିଶା ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଋତୁପର୍ଣ୍ଣା ବାଳିକା ସିଙ୍ଗଲସରେ ରନର୍ସଅପ୍ ହୋଇଥିଲେ । ଏହାପରେ ଆଉ ସେ କେବେ ପଛକୁ ଫେରି ଦେଖି  ନାହାଁନ୍ତି । ୨୦୧୪ରେ ପ୍ରଥମ କିଟ୍ ଅଲ୍ ଓଡ଼ିଶା ଟେନିସ ଚାମ୍ପିଅନ୍ସସିପରେ ଚାମ୍ପିଅନ୍ ହେଲେ । ସେହିବର୍ଷ ନାଲକୋ କପ୍‌ର ସିଙ୍ଗଲ୍ ଟାଇଟଲ୍ ଆସଲ କଲେ । ମିକ୍ସଡ ଡବଲସ୍‌ରେ ମଧ୍ୟ ତାଙ୍କର କୃତିତ୍ୱ ରହିଛି । ୨୦୧୫ ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛନ୍ତି ଋତୁପର୍ଣ୍ଣା ।

ଜାତୀୟ ସ୍ତରରେ ମଧ୍ୟ ତାଙ୍କ ସଫଳତାର ତାଲିକା ଖୁବ୍ ଳମ୍ବା । ୨୦୧୩ ମସିହାରେ ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ଟେନିସ୍ ଟୁର୍ଣ୍ଣାମେଣ୍ଟର ୧୪ ବର୍ଷରୁ କମ୍ ବାଳିକା ଡବଲ୍ସରେ ଚାମ୍ପିଅନ୍ ହୋଇଥିଲେ । ୨୦୧୪ ଆଇଟା ଓଟିପିପିଏ ଚାମ୍ପିଅନସିପ୍‌ର ସିରିଜରେ ଡବଲ୍ସ ଚାମ୍ପିଅନ୍, ବିଶାଖାପାଟଣାରେ ଅନୁଷ୍ଠିତ ରମେଶ ସ୍ମାରକୀ ଅଲ୍ ଇଣ୍ଡିଆ ଚାମ୍ପିଅନସିପ୍‌ରେ ସିଙ୍ଗଲ୍ ଚାମ୍ପିଅନ୍ ହୋଇଥିବା ବେଳେ ନିକଟରେ କୋଲକାତାରେ ଅନୁଷ୍ଠିତ ଆଇଟା ସୁପର ସିରିଜରେ ସିଙ୍ଗଲ୍ସରେ ବିଜେତା ହୋଇଛନ୍ତି।

 

Comment