ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପ୍ରଦେଶର ଦୁଇଟି ଓ ବିହାରର ଗୋଟିଏ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ତିନୋଟି ଯାକ ଆସନରେ ବିଜେପିକୁ ପରାଜୟ ଭୋଗିବାକୁ ପଡ଼ିଛି।

ଉତ୍ତର ପ୍ରଦେଶର ଗୋରଖପୁର ଓ ଫୁଲପୁର ଏବଂ ବିହାରର ଅରରିଆ ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ପରାସ୍ତ ହୋଇଛି। ଉତ୍ତର ପଦେଶର ଦୁଇଟି ଆସନରେ ସମାଜବାଦୀ ପାର୍ଟି ଜିତିଥିବାବେଳେ ବିହାରରେ ନିତିଶ କୁମାରଙ୍କ ନେତୃତ୍ଵାଧୀନ ଜନତା ଦଳ (ୟୁ) ଓ  ସହଯୋଗୀ ବିଜେପିକୁ ହରାଇ ଆରଜେଡି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି।

ଫୁଲପୁରରେ ସମାଜବାଦୀ ପ୍ରାର୍ଥୀ ନାଗେନ୍ଦ୍ର ପଟେଲ ବିଜେପିର କୌଶଳେନ୍ଦ୍ର ପଟେଲଙ୍କୁ ୬୯୬୧୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରେ ଏହି ସିଟ୍ ଖାଲି ଥିଲା। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଟ ଗୋରଖପୁରରେ ମଧ୍ୟ ବିଜେପି ପରାଜୟ ଭୋଗିବାକୁ ଯାଉଛି।

ୟୁପି ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ। ତେଣୁ ଏହାକୁ ଯୋଗୀ ସରକାରଙ୍କ ଲୋକପ୍ରିୟତାର ପରୀକ୍ଷା ବୋଲି ବିଚାର କରାଯାଉଥିଲା। କିନ୍ତୁ ପରୀକ୍ଷାରେ ଫେଲ୍ ମାରିଛନ୍ତି ଯୋଗୀ।

ଏହି ଦୁଇଟି ଆସନରେ ସମାଜବାଦୀ ପାର୍ଟିକୁ ସମର୍ଥନ କରୁଥିଲା ମାୟାବତୀଙ୍କ ନେତୃତ୍ଵାଧୀନ ବହୁଜନ ସମାଜବାଦ ପାର୍ଟୀ। ତେଣୁ ଏହି ମେଣ୍ଟର ବିଜୟ ଆଗାମୀ ଦିନରେ ବିଜେପି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସେହିପରି ବିହାରରେ ଲାଲୁ ଯାଦବଙ୍କ ନେତୃତ୍ଵାଧୀନ ଆରଜେଡି ପାଇଁ ଏହି ଉପନିର୍ବାଚନ ଅଗ୍ନିପରୀକ୍ଷା ଥିଲା। କାରଣ ନିତିଶ-ଲାଲୁ ମହାମେଣ୍ଟ ଭାଙ୍ଗିବା ପରେ ଏହା ଥିଲା ପ୍ରଥମ ନିର୍ବାଚନ। ଦୁଇଜଣଙ୍କ ପାଇଁ ଏହାକୁ ଜିତି ସମ୍ମାନ ରକ୍ଷା କରିବା ଥିଲା ମୂଳ ଲକ୍ଷ୍ୟ । କିନ୍ତୁ ଏଥିରେ ବିଫଳ ରହିଛି ବିଜେପି ଓ ଏହାର ସହଯୋଗୀ ଜନତା ଦଳ(ୟୁ)।

ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଭିତରେ ଅଛନ୍ତି ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ।। ଲାଲୁଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ତେଜସ୍ଵୀ ଯାଦବ ଦଳର ମଙ୍ଗ ସମ୍ଭାଳି ପ୍ରଚାର କାର୍ଯ୍ୟ ନିଜ ହାତକୁ ନେଇଥିଲେ। ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି।

Comment